ସରପଞ୍ଚ ଚାମେଲି ଓଝାଙ୍କୁ ଦୁର୍ବ୍ୟବହାର ଘଟଣାରେ ଆଉ ଜଣେ ଗିରଫ

ମୋଟ ଗିରଫ ସଂଖ୍ୟା ୪ ରେ ପହଞ୍ଚିଛି

ମହାକାଳପଡ଼ା/ଭୁବନେଶ୍ୱର,୨୨/୦୬/୨୦୨୬ (ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ତିଖିରି ଗ୍ରାମ ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କୁ ଦୁର୍ବ୍ୟବହାର ଘଟଣାରେ ଆଉ ଜଣେ ଯୁବକଙ୍କୁ ମହାକାଳପଡ଼ା ପୋଲିସ ଗିରଫ କରିଛି। ପୋଲିସ ଗିରଫ କରି ଥିବା ଅଭିଯୁକ୍ତ ଯୁବକ ହେଲେ ସୁକାନ୍ତ ସ୍ୱାଇଁ । ଏହା ସହ ଏହି ଘଟଣାରେ ମୋଟ ଗିରଫ ସଂଖ୍ୟା ୪ ରେ ପହଞ୍ଚିଛି। ପୂର୍ବରୁ ଏହି ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ ପାର୍ଥସାରଥୀ ସାମନ୍ତରାୟ, ହିମାଂଶୁ ପ୍ରଧାନ ଓ ମାମଲାରେ ବିଶ୍ୱଜିତ୍ ମହାପାତ୍ର ଙ୍କୁ ମହାକାଳପଡ଼ା ପୋଲିସ ଗିରଫ କରିଛି। ଅଭିଯୋଗ ଅନୁଯାୟୀ, ତିଖିରି ସରପଞ୍ଚ ଚାମେଲି ଓଝା ମହାକାଳପଡ଼ା ବିଡିଓଙ୍କ ଚାମ୍ବରରେ ଥିବା ବେଳେ ପ୍ରାୟ ସାତ ଜଣ ବ୍ୟକ୍ତି ତାଙ୍କ ସହ ଅସଦାଚରଣ ଓ ଦୁର୍ବ୍ୟବହାର କରିଥିଲେ। ଏନେଇ ସେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଘଟଣାଟି ଜିଲା ତଥା ରାଜ୍ୟରେ ଚର୍ଚ୍ଚା ଜୋର ଧରିଥିଲା।

ମହାକାଳପଡ଼ା ପୋଲିସ ମାମଲା ରୁଜୁ କରି ସିସିଟିଭି ଫୁଟେଜ, ସାକ୍ଷୀଙ୍କ ବୟାନ ଓ ଅନ୍ୟାନ୍ୟ ତଥ୍ୟକୁ ଆଧାର କରି ତଦନ୍ତ ଜାରି ରଖିଛି। ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତମାନଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।

ସରପଞ୍ଚ ଚାମେଲି ଓଝାଙ୍କ ସହ ଘଟିଥିବା ଏହି ଘଟଣାକୁ ନେଇ ବିଭିନ୍ନ ମହିଳା ସଂଗଠନ ଓ ସ୍ଥାନୀୟ ଲୋକମାନେ ତୀବ୍ର ପ୍ରତିବାଦ କରିବା ସହ ଦୋଷୀମାନଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *