ସୂଚନା ଓ ଲୋକସମ୍ପର୍କ ବିଭାଗର କେନ୍ଦ୍ରାଞ୍ଚଳ ଉପନିର୍ଦ୍ଦେଶକଙ୍କ ଯାଜପୁର ଜିଲ୍ଲା କାର୍ଯ୍ୟାଳୟ ପରିଦର୍ଶନ

ଯାଜପୁର, ୧୪/୧୧/୨୦୨୬(ଓଡ଼ିଶା ସମାଚାର) –ସୂଚନା ଓ ଲୋକସମ୍ପର୍କ ବିଭାଗର କେନ୍ଦ୍ରାଞ୍ଚଳ ଉପନିର୍ଦ୍ଦେଶକ ଶ୍ରୀ ଆଶୁତୋଷ ପାଇକରାୟ ଶନିବାର ଦିନିକିଆ ଯାଜପୁର ଜିଲ୍ଲା ଗସ୍ତରେ ଆସି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ। ଏହି ଅବସରରେ ସେ କାର୍ଯ୍ୟାଳୟର ବିଭିନ୍ନ ବିଭାଗର କାର୍ଯ୍ୟଧାରା ସମୀକ୍ଷା କରିବା ସହ କାର୍ଯ୍ୟର ସୁପରିଚାଳନା ଓ ଦକ୍ଷତା ବୃଦ୍ଧି ନିମନ୍ତେ ଆବଶ୍ୟକ ପରାମର୍ଶ ଓ ମାର୍ଗଦର୍ଶନ ପ୍ରଦାନ କରିଥିଲେ।

ପରିଦର୍ଶନ ସମୟରେ ଉପନିର୍ଦ୍ଦେଶକ ଶ୍ରୀ ପାଇକରାୟ କାର୍ଯ୍ୟାଳୟର ପ୍ରତିଷ୍ଠାନ ବିଭାଗର କାଗଜପତ୍ର, ସାଧାରଣ ଭଣ୍ଡାର, ଡାକବାଜି ଯନ୍ତ୍ର ଭଣ୍ଡାର ଏବଂ ସୂଚନା କେନ୍ଦ୍ର ଓ ପାଠାଗାରର କାର୍ଯ୍ୟକାରିତା ସମ୍ପର୍କରେ ପଚାରି ବୁଝିଥିଲେ। ଏଥିସହ କର୍ମଚାରୀଙ୍କ ସେବା ପୁସ୍ତିକା, ବିଲ୍‌ ରେଜିଷ୍ଟର, ଛୁଟି ଦରଖାସ୍ତ ରେଜିଷ୍ଟର, ବୁକ୍‌ ଫାଇଲ୍‌ ଆଦି ଯାଞ୍ଚ କରିଥିଲେ।

ପାଠାଗାରକୁ ଅଧିକ ସମୃଦ୍ଧ ଓ ପାଠକ ଉପଯୋଗୀ କରିବା ଉଦ୍ଦେଶ୍ୟରେ ନିୟମିତ ଖବରକାଗଜ ସହ ବିଭିନ୍ନ ପତ୍ରିକା ଏବଂ ପ୍ରତିଯୋଗିତାମୂଳକ ପରୀକ୍ଷା ସମ୍ବନ୍ଧୀୟ ପୁସ୍ତକ ସଂଗ୍ରହ କରିବାକୁ ସେ ପରାମର୍ଶ ଦେଇଥିଲେ। ଏଥିସହ ‘ଉତ୍କଳ ପ୍ରସଙ୍ଗ’ ଓ ‘ଓଡ଼ିଶା ରିଭ୍ୟୁ’ ପତ୍ରିକାର ବିକ୍ରୟ ସ୍ଥିତି ମଧ୍ୟ ସମୀକ୍ଷା କରିଥିଲେ।

ଜିଲ୍ଲାରେ କାର୍ଯ୍ୟ ସମ୍ପାଦନ ସମୟରେ ଉପୁଜୁଥିବା ବିଭିନ୍ନ ସମସ୍ୟା ଓ ତାହାର ସମାଧାନ ସମ୍ପର୍କରେ ସେ ଆବଶ୍ୟକ ମାର୍ଗଦର୍ଶନ କରିଥିଲେ। ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା, ବିକାଶମୂଳକ କାର୍ଯ୍ୟକ୍ରମ ଓ ଲୋକାଭିମୁଖୀ ପଦକ୍ଷେପଗୁଡ଼ିକର ସଠିକ୍‌, ନିରପେକ୍ଷ ଓ ବ୍ୟାପକ ପ୍ରଚାରପ୍ରସାର ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

ଏହି ଅବସରରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ କାମିନୀ ରଞ୍ଜନ ପଟ୍ଟନାୟକ ଏବଂ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଅବିନାଶ ସାଗର ଉପନିର୍ଦ୍ଦେଶକଙ୍କୁ ସ୍ୱାଗତ କରିବା ସହ କାର୍ଯ୍ୟାଳୟର ବିଭିନ୍ନ କାର୍ଯ୍ୟଧାରା ଓ ଉପଲବ୍ଧି ସମ୍ପର୍କରେ ଅବଗତ କରାଇଥିଲେ। ଏଥିରେ କାର୍ଯ୍ୟାଳୟର ଭଣ୍ଡାର ରକ୍ଷକ ଶ୍ରୀ ସତ୍ୟଜିତ ନାୟକ, ଗ୍ରନ୍ଥାଗାରିକ ଶ୍ରୀ ତାପସ କୁମାର ଗିରି, ଶ୍ରୀ ଶାନ୍ତନୁ କୁମାର ସାହୁ ଓ ଶ୍ରୀ ରତିକାନ୍ତ ମହାନ୍ତିଙ୍କ ସମେତ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ।

କାର୍ଯ୍ୟାଳୟ ପରିଦର୍ଶନ ପରେ ଉପନିର୍ଦ୍ଦେଶକ ଶ୍ରୀ ପାଇକରାୟ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ।

-0-

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *