ତୋଫାନ ବିନ୍ଧାଣି ହତ୍ୟାକାଣ୍ଡ ରେ ସମ୍ପୃକ୍ତ ଦୁର୍ଦ୍ଧାନ୍ତ ଅପରାଧୀ ଓ ଚିନୁ ସମେତ ୫ ଧରାପଡ଼ିଲେ
ବନ୍ଧୁକ , ଗୁଳି , ଟାଙ୍ଗିଆ, ଫାର୍ସା ଆଦି ଜବତ
ରାଉରକେଲା,୨୦/୦୬/୨୦୨୬ (ଓଡ଼ିଶା ସମାଚାର)- ରାଉରକେଲାରେ ଡ଼ବଲ ଏନକାଉଣ୍ଟର । ବହୁ ଚର୍ଚିତ ତୋଫାନ ବିନ୍ଧାଣି ହତ୍ୟାକାଣ୍ଡ ରେ ସମ୍ପୃକ୍ତ ଦୁର୍ଦ୍ଧାନ୍ତ ଅପରାଧୀ ସୁଶାନ୍ତ ନାୟକ ଆଲିଆସ ଲଣ୍ଡାବାବୁ (୩୦) ଓ ଚିନୁ ହରିପା ୨୩ କୁ ପୁଲିସ ଏନକାଉଣ୍ଟର କରିଛି । ଉଭୟ ଙ୍କ ଡ଼ାହାଣ ଗୋଡ଼ରେ ପୁଲିସ ଗୁଳି ବାଜିଛି । କଡ଼ା ସୁରକ୍ଷା ସହିତ ସରକାରୀ ଡ଼ାକ୍ତରଖାନା (ଆରଜିଲଚ) ରେ ଭର୍ତି କରାଯାଇଛି । ଏ ଦୁହିଁ ଙ୍କ ସମେତ ଅନ୍ୟ ଜଣେ ଅପରାଧୀ ଜନସନ୍ ନାଗ (୨୬ ) ମଧ୍ୟ ଧରାପଡ଼ିଛି । ପଶ୍ଚିମାଂଚଳ ଡ଼ିଆଇଜି ବ୍ରିଜେଶ କୁମାର ରାୟଙ୍କ ସୂଚନା ଅନୁସାରେ ୫ ଟି ଟିମ୍ ଗଠନ କରାଯାଇଥିଲା ।
ଝିରପାଣି ଝରିଆଟୋଲି ନଦୀଘାଟ ନିକଟରେ ସମ୍ପୃକ୍ତ ଅଭିଯୁକ୍ତମାନେ ଆତ୍ମଗୋପନ କରିଥିବା ଏବଂ ସେଠାରୁ ବାହାରକୁ ଫେରାର ହେବାକୁ ଯୋଜନା କରିଥିବା ଗୁଇନ୍ଦା ସୂତ୍ରରୁ ଖବର ମିଳିବା ପରେ ଚଢ଼ାଉ କରାଯାଇଥିଲା । ସେମାନଙ୍କୁ ଆତ୍ମସମର୍ପଣ କରିବାକୁ କୁହାଯାଇଥିଲା । କିନ୍ତୁ ସେମାନେ ଆତ୍ମସମର୍ପଣ ନକରି ପୁଲିସ ଉପରକୁ ୨ ରାଉଣ୍ଡ ଗୁଳି ଚଳାଇଥିଲେ । ଆତ୍ମରକ୍ଷା ତଥା ଜବାବରେ ପୁଲିସ ଗୁଳି ଚଳାଇବାରୁ ଦୁଇ ଅପରାଧୀ ଆହତ ହୋଇଥିଲେ । ଫେରାର ହେବାକୁ ଉଦ୍ୟମ କରୁଥିବାବେଳେ ଅନ୍ୟ ୩ ଜଣଙ୍କୁ ମଧ୍ୟ କାବୁ କରାଯାଇଥିଲା । ମୋଟ୍ ୫ ଜଣ ଅପରାଧୀ ଧରାପଡ଼ିଛନ୍ତି ।ପୁଲିସ ଗୋଟିଏ ଦେଶି ବନ୍ଧୁକ, ଗୁଳି, ଖୋକା, ୨ ଟି ଟାଙ୍ଗିଆ,ଗୋଟିଏ ଫାର୍ସା,୩ ଟି ମୋବାଇଲ ଫୋନ୍ ଜବତ କରିଛି । ଲଣ୍ଡା ଓ ଚିନୁ ର ଘର ନାରାୟଣପାଲି ଗୋଲଘର ଅଂଚଳରେ । ଫେରାର ଅନ୍ୟମାନଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରହିଛି ବୋଲି ଏସପି ନୀତେଶ ୱୋଧୱାନୀ କହିଛନ୍ତି ।
