ବାଣୀବିହାର ନିକଟରେ ଅଘଟଣ, ଡ୍ରେନରେ ଭାସିଯାଇ ଜଣେ ନିଖୋଜ

ଭୁବନେଶ୍ୱର,୦୪/୦୭/୨୦୨୬ (ଓଡ଼ିଶା ସମାଚାର/ ଦୀପ୍ତିରଂଜନ କାନୁନଗୋ)- ବାଣୀବିହାର ନିକଟରେ ଆଜି ଶନିବାର ମଧ୍ୟାହ୍ନ ରେ ଏକ ଅଘଟଣ  ଘଟିଛି। ଡ୍ରେନରେ ଭାସିଯାଇ ଜଣେ ଜରି ଗୋଟାଳି ଯୁବକ ନିଖୋଜ ହୋଇଛନ୍ତି ।  ନିଖୋଜ ଜରି ଗୋଟାଳି ଯୁବକ ଜଣକ ହେଉଛନ୍ତି କେନ୍ଦୁଝର ଘଟଗାଁ ଅଞ୍ଚଳର ଅନିଲ। ସେ ପଥରବନ୍ଧ ବସ୍ତିରେ ରହୁଥିଲେ।ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ସ୍ଥାନୀୟ ଅଗ୍ନିଶମ ବାହିନୀ ଓ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଡ୍ରେନରେ ପାଣିର ସ୍ରୋତ ଅଧିକ ଥିବାରୁ ଉଦ୍ଧାର କାର୍ଯ୍ୟରେ ଅସୁବିଧା ହେଉଥିଲେ ମଧ୍ୟ ନିଖୋଜ ଯୁବକଙ୍କ ସନ୍ଧାନ ପାଇଁ ଅଭିଯାନ ଜୋରଦାର ଭାବେ ଚାଲିଛି। ଏପରିକି ଉଦ୍ଧାର କାର୍ଯ୍ୟରେ  ଜେସିବି ଲଗାଯାଇଛି।  ତେବେ  ଯୁବକ ଜଣକ  କିପରି ଡ୍ରେନ ଭିତରକୁ ଗଲେ ସେନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳିନାହିଁ। ପୋଲିସ ଏହି ଘଟଣାର ସମସ୍ତ ଦିଗକୁ ନେଇ ତଦନ୍ତ କରୁଛି।

ସୂଚନା ଅନୁଯାୟୀ, ଲଗାଣ ବର୍ଷା ଯୋଗୁ ବାଣୀବିହାର ଡ୍ରେନ୍‌ରେ ପ୍ରବଳ ବେଗରେ ପାଣି ପ୍ରବାହିତ ହେଉଥିଲା। ଏହି ସମୟରେ କୌଣସି କାରଣବଶତଃ ଜରି ଗୋଟାଳି ଯୁବକଜଣକ ଡ୍ରେନ୍‌ରେ ପଡ଼ିଯାଇଥିବାବେଳେ ପ୍ରବଳ ସ୍ରୋତରେ ଭାସି ଯାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇପାରି ନ ଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମିଳିତ ଭାବେ ଖୋଜାଖୋଜି ଅଭିଯାନ ଆରମ୍ଭ କରିଛନ୍ତି। ଡ୍ରେନ୍‌ର ବିଭିନ୍ନ ସ୍ଥାନରେ ଯୁବକଙ୍କ ସନ୍ଧାନ ଚାଲିଥିବାବେଳେ ଏପର୍ଯ୍ୟନ୍ତ ତାଙ୍କର କୌଣସି ସନ୍ଧାନ ମିଳିନାହିଁ।

ଓ଼ଡ୍ରାଫ୍‌ ଟିମ୍‌ ଏବଂ ଏନଡିଆରଏଫ୍‌ ଟିମ୍‌କୁ ସାମିଲ କରାଯାଇ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଚାଲିଛି ।ଏପିରିକି ଭୁବନେଶ୍ୱର ମେୟର ସୁଲୋଚନା ଦାସ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ରହି ତଦାରଖ କରୁଛନ୍ତି । ୩ଜଣ ଜରି ଗୋଟାଳି ଙ୍କ ମଧ୍ୟରୁ ଜଣେ ଜରି ଗୋଟାଳି ଡ୍ରେନ୍‌ରେ ଖସିପଡ଼ିଥିଲେ। ଅନ୍ୟ ୨ଜଣ ତାଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ କରିଥିଲେ। କିନ୍ତୁ ସେମାନେ ବିଫଳ ହୋଇଥିଲେ। ଘଟଣାସ୍ଥଳରେ ଅଳିଆ ଆବର୍ଜନା ଭର୍ତ୍ତି ହୋଇଛି। ଓଡ୍ରାଫ କର୍ମଚାରୀମାନଙ୍କ ଦ୍ବାରା ଆବର୍ଜନା ସଫା କରାଯାଉଛି। ରିପୋର୍ଟ ଲେଖାଯିବା ବେଳକୁ ନିଖୋଜ ବ୍ୟକ୍ତିଙ୍କ ସଂପର୍କରେ କୌଣସି ଅତିରିକ୍ତି ସୂଚନା ମିଳିପାରି ନାହିଁ। ଏଭଳି ଘଟଣା ଘଟିବା ପରେ ସ୍ଥାନୀୟ ଲୋକଙ୍କ ଭିତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *