ରାଇରଙ୍ଗପୁର ୨୦ ଜୁନ୍ ୨୦୨୬
ସମସ୍ତଙ୍କୁ ମୋର ନମସ୍କାର, ଜୁହାର ଆଉ ଅଭିନନ୍ଦନ ।
ଆଜିର ଏହି ମୂହୁର୍ତ୍ତଟି ଓଡ଼ିଶା ଇତିହାସର ଏକ ସ୍ବର୍ଣ୍ଣାଭ କ୍ଷଣ ।
ଆଜିର ଏହି ଐତିହାସିକ ଦିନ ଓଡ଼ିଶା ଇତିହାସରେ ଏକ ଗୌରବମୟ ଅଧ୍ୟାୟ ଭାବେ ଲିପିବଦ୍ଧ ହୋଇ ରହିବ ।
ଗୋଟିଏ ମଞ୍ଚରେ ଦେଶର ମହାମହିମ ରାଷ୍ଟ୍ରପତି, ଯଶସ୍ୱୀ ପ୍ରଧାନମନ୍ତ୍ରୀ, ରାଜ୍ୟପାଳ ତଥା ମୁଖ୍ୟମନ୍ତ୍ରୀ ଉପସ୍ଥିତ ହୋଇ ଏକ ବିଶେଷ ଅବସରକୁ ପାଳନ କରିବା ନିଶ୍ଚିତ ଭାବେ ଓଡିଶା ପାଇଁ ଏକ ଗୌରବମୟ ମୁହୂର୍ତ୍ତ।
ସର୍ବପ୍ରଥମେ ମହାମହିମ ରାଷ୍ଟ୍ରପତିଙ୍କ ୬୮ତମ ଶୁଭ ଜନ୍ମଦିନରେ ମୁଁ ତାଙ୍କୁ ହୃଦୟର ଗଭୀରତମ ପ୍ରଦେଶରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି ।
ଏହି ଅବସରରେ ମୁଁ ମହାମହିମ ରାଷ୍ଟ୍ରପତି ଏବଂ ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କୁ ସାଢ଼େ ଚାରି କୋଟି ଓଡ଼ିଶାବାସୀଙ୍କ ପକ୍ଷରୁ ସ୍ୱାଗତ କରୁଛି ।
ମହାମହିମ ରାଷ୍ଟ୍ରପତି ମହୋଦୟା,
ଆପଣଙ୍କ ସାରା ଜୀବନ ମା’ ଭାରତୀର ସେବାରେ ଉତ୍ସର୍ଗୀକୃତ । ତ୍ୟାଗ, ସେବା ଓ ସମର୍ପଣର ଆପଣ ହେଉଛନ୍ତି ମୂର୍ତ୍ତିମନ୍ତ ପ୍ରତୀକ । ଆପଣଙ୍କ ଶାନ୍ତ, ସରଳ ଜୀବନ ହେଉଛି ଏକ ଆଧ୍ୟାତ୍ମିକ ଶକ୍ତିର ପ୍ରତୀକ ।
ଏହି ମୟୂରଭଞ୍ଜ ଜିଲ୍ଲାର ଏକ ଅନାମଧେୟ ଜନଜାତି ଅଧ୍ୟୁଷିତ ଗ୍ରାମରୁ ଜୀବନର ଯାତ୍ରା ଆରମ୍ଭ କରି ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦ ଅଳଙ୍କୃତ କରିବା କୌଣସି ଏକ ଚମତ୍କାର ନୁହେଁ, ଏହା ଆପଣଙ୍କର କଠିନ ପରିଶ୍ରମ, ଉତ୍ସର୍ଗୀକୃତ ଜନସେବା ଏବଂ ଦେଶର ସାମ୍ବିଧାନିକ ବିଧି ବ୍ୟବସ୍ଥାରେ ଆପଣଙ୍କ ପୂର୍ଣ୍ଣ ବିଶ୍ବାସ । ଆପଣ ସାରା ଦେଶର ମହିଳାଙ୍କ ପାଇଁ ପ୍ରେରଣାର ଏକ ମହାନ୍ ଉତ୍ସ ।
ଆଜିର ଏହି ପବିତ୍ର ଅବସରରେ ମୁଁ ଆପଣଙ୍କ ଦୀର୍ଘ, ନିରାମୟ ଜୀବନ କାମନା କରିବା ସହିତ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ଆପଣଙ୍କ ପାଇଁ ସୁଖ, ଶାନ୍ତି କାମନା କରୁଛି ।
ଯଶସ୍ଵୀ ପ୍ରଧାନମନ୍ତ୍ରୀ ନିଜେ ଉପସ୍ଥିତ ରହି ଆପଣଙ୍କ ଜନ୍ମ ଦିବସକୁ ଆହୁରି ଗୌରବମୟ କରିଛନ୍ତି । ମୁଁ, ସମସ୍ତ ଓଡିଶାବାସୀଙ୍କ ତରଫରୁ ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କୁ ସହୃଦୟ ଧନ୍ୟବାଦ ଜ୍ଞାପନ କରୁଛି ।
ମାନନୀୟ ପ୍ରଧାନମନ୍ତ୍ରୀ ଜୀ,
ଆମ ସରକାରଙ୍କ ଦୁଇ ବର୍ଷ ପୂରଣ ଅବସରରେ, ଆପଣଙ୍କର ସଦୟ ଉପସ୍ଥିତି ପାଇଁ, ମୁଁ ହୃଦୟରୁ ଆପଣଙ୍କୁ ଧନ୍ୟବାଦ ଜଣାଉଛି। ସରକାରଙ୍କ ଶପଥ ଗ୍ରହଣ ସମାରୋହଠାରୁ ଆରମ୍ଭ କରି, ପ୍ରଥମ ବର୍ଷ ପୂରଣ ଏବଂ ଆଜିର ଏହି ଦୁଇ ବର୍ଷ ପୂରଣ ଅବସର ପର୍ଯ୍ୟନ୍ତ, ଆପଣ ଆଠ ଥର ଓଡ଼ିଶା ଆସିଛନ୍ତି।
ପ୍ରତ୍ୟେକ ଥର, ଓଡ଼ିଶା ପାଇଁ, ଆପଣ ଅମାପ ଭଲପାଇବା ସହିତ ବିକାଶର ଅନେକ ଭେଟି ନେଇ ଆସିଛନ୍ତି।
ଓଡ଼ିଶା ପାଇଁ ଆପଣଙ୍କର ଭରସା, ଆପଣଙ୍କର ଭଲପାଇବା, ଆପଣଙ୍କର ସହଯୋଗ, ଆମ ପାଇଁ ସବୁଠାରୁ ବଡ଼ ପୁଞ୍ଜି ଅଟେ।
କିଛି ଦିନ ପୂର୍ବରୁ, କେନ୍ଦ୍ରରେ ଆପଣଙ୍କ ସରକାର, ସେବା, ସୁଶାସନ ଏବଂ ଭାରତର ଗୌରବମୟ ଦିନର ୧୨ ବର୍ଷ ପୂରଣ କରିଛନ୍ତି। ମୋତେ କହିବାରେ କୌଣସି ସଙ୍କୋଚ ନାହିଁ, ବରଂ ଗର୍ବର ସହ କହୁଛି ଯେ, ବିଗତ ୧୨ ବର୍ଷ ଦେଶ ପାଇଁ ଏପରି ଏକ ସମୟ ଯାହାର ତୁଳନା ନାହିଁ। ୨୦୧୪ ପରେ, ଆପଣ ଯେଉଁ ସବୁ ଯୋଜନା ପ୍ରଣୟନ କରିଛନ୍ତି, ତାହା ବଳରେ ଦେଶର ପ୍ରତ୍ୟେକ ବର୍ଗଙ୍କ ପାଇଁ ଅଳ୍ପ କିଛି ନୁହେଁ, ବରଂ ବହୁତ କିଛି ଲାଭ ମିଳିଛି।
ମୁଁ ତ ନିଶ୍ଚୟ କହିବି, ‘There is a little bit of Modi, in Every one’s life.’
ଲୋକମାନଙ୍କ କଲ୍ୟାଣ ପାଇଁ, ଆପଣଙ୍କ ପ୍ରତିବଦ୍ଧତାରୁ ପ୍ରେରଣା ନେଇ, ଆମ ସରକାର ବିଗତ ଦୁଇ ବର୍ଷ ମଧ୍ୟରେ ଏଭଳି କାର୍ଯ୍ୟ କରିଛି ଯେ, as if, there is no tomorrow.
ବହୁତ କମ୍ ଦିନ ମଧ୍ୟରେ, ଆମ ସରକାର ଅନେକ ଗୁଡ଼ିଏ କଲ୍ୟାଣକାରୀ ଯୋଜନା- ଯେପରିକି ମହିଳାମାନଙ୍କ ପାଇଁ ସୁଭଦ୍ରା ଯୋଜନା, ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା, ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା; ଚାଷୀ ମାନଙ୍କ ପାଇଁ କୃଷକ ସମୃଦ୍ଧି ଯୋଜନା, ସ୍କୁଲ ପିଲାମାନଙ୍କ ପାଇଁ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା, ବରିଷ୍ଠ ନାଗରିକମାନଙ୍କ ପାଇଁ ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା ଏବଂ ରାଜ୍ୟବାସୀଙ୍କ ପାଇଁ ଆୟୁଷ୍ମାନ ଯୋଜନା ଲାଗୁ କରିଛନ୍ତି।
ଏବେ ଏବେ ଆମ ସରକାର ରାଜ୍ୟରେ KG ଠାରୁ PG ପର୍ଯ୍ୟନ୍ତ ଶିକ୍ଷାକୁ ମାଗଣା କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି।
ଏଭଳି ପଦକ୍ଷେପ ନେବାରେ ଓଡ଼ିଶା ବୋଧହୁଏ ଦେଶର ପ୍ରଥମ ରାଜ୍ୟ ଅଟେ। ସାମାଜିକ ଓ ଶିକ୍ଷାଗତ ସ୍ତରରେ ପଛୁଆ ବର୍ଗଙ୍କ ପାଇଁ ଅନେକ ଦଶନ୍ଧି ଧରି ଅଟକି ରହିଥିବା ସଂରକ୍ଷଣକୁ ଲାଗୁ କରାଯାଇଛି, ଯାହା ସାଧାରଣ ଶିକ୍ଷା ଠାରୁ ଆରମ୍ଭ କରି ମେଡିକାଲ ଓ ବୈଷୟିକ ଶିକ୍ଷାରେ ମଧ୍ୟ ଲାଗୁ ହୋଇଛି।
ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଆମେ ଗୁରୁତ୍ୱ ଦେଉଛୁ; ତାହା ହେଉଛି ଦେଶରେ ଶିଳ୍ପର ବିକାଶ। ଗତବର୍ଷ ଆପଣଙ୍କ କରକମଳରେ ‘ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା’ ସମ୍ମିଳନୀରୁ ଆରମ୍ଭ ହୋଇଥିବା ଦ୍ୱିତୀୟ ଶିଳ୍ପ ବିପ୍ଳବ ଏବେ ଚରମ ସୀମାରେ ପହଞ୍ଚିଛି। ଏହି ସବୁ କାର୍ଯ୍ୟକ୍ରମ ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଏବଂ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରଖିବ।
ମୁଁ ଏକ ତଥ୍ୟ ରଖିବାକୁ ଚାହିଁବି। ଏପର୍ଯ୍ୟନ୍ତ ଆମେ ୩.୧୧ ଲକ୍ଷ କୋଟି ଟଙ୍କାର ୧୫୨ଟି ଶିଳ୍ପ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛୁ, ଯାହାଦ୍ୱାରା ପ୍ରାୟ ୨ ଲକ୍ଷ ୫୦ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ସରକାରୀ କ୍ଷେତ୍ରରେ ମଧ୍ୟ ଆମେ ୪୪ ହଜାରରୁ ଅଧିକ ନିଯୁକ୍ତି ଦେଇଛୁ।
ଆମର ୩୦ଟି ଜିଲ୍ଲା ମଧ୍ୟରୁ ୨୯ଟି ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା ହେଉଛି। ଆମର ଏହି ଶିଳ୍ପାୟନ ଅଭିଯାନ ସମ୍ପୂର୍ଣ୍ଣ ରୂପେ ଏକ ସମାବେଶୀ ପ୍ରକ୍ରିୟା ଅଟେ।
ମୋର ପୂର୍ଣ୍ଣ ବିଶ୍ୱାସ ଅଛି ଯେ ଆଗାମୀ ଦିନରେ ଓଡ଼ିଶାର ଲୋକମାନେ ରୋଜଗାର ପାଇଁ ବାହାରକୁ ଯିବେ ନାହିଁ; ବରଂ ଅନ୍ୟ ରାଜ୍ୟର ଲୋକମାନେ ଚାକିରି ପାଇଁ ଓଡ଼ିଶା ଆସିବେ। ଓଡ଼ିଶାରୁ ମାଇଗ୍ରେସନ ନୁହେଁ, ବରଂ ରିଭର୍ସ ମାଇଗ୍ରେସନ୍ ହେବ।
ମାନନୀୟ ପ୍ରଧାନମନ୍ତ୍ରୀ ଜୀ,
ଯେତେବେଳେ ଆମର ସମାଲୋଚକମାନେ ପଚାରନ୍ତି ଯେ, ଡବଲ୍ ଇଞ୍ଜିନ୍ ସରକାରଙ୍କ ଠାରୁ ଓଡ଼ିଶାକୁ କଣ ମିଳିଛି, ସେତେବେଳେ ମୁଁ ଜବାବ ଦିଏ ଯେ, ୯୦ ହଜାର କୋଟି ଟଙ୍କାର ରେଳ ପ୍ରକଳ୍ପ, ୪୦ ହଜାର କୋଟି ଟଙ୍କାର ସଡ଼କ ପ୍ରକଳ୍ପ, ଆମକୁ ଏହି ଡବଲ୍ ଇଞ୍ଜିନ୍ ସରକାରଙ୍କ ସମୟରେ ହିଁ ମିଳିଛି।
୨୫ ହଜାର କୋଟି ଟଙ୍କାର ବନ୍ଦର ପ୍ରକଳ୍ପ, ଆଉ ୨୫ ହଜାର କୋଟି ଟଙ୍କାର ଜାହାଜ ନିର୍ମାଣ ଓ ମରାମତି କ୍ଲଷ୍ଟର ପ୍ରକଳ୍ପ, ପାରାଦୀପରେ ୮୦ ହଜାର କୋଟି ଟଙ୍କାର ପେଟ୍ରୋକେମିକାଲ ପ୍ରକଳ୍ପ ମଧ୍ୟ ମିଳିଛି।
ଏହା ସହିତ, ୫ ହଜାର କୋଟି ଟଙ୍କାର ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ଆର୍ଥିକ କରିଡର ମଧ୍ୟ ମିଳିଛି। ଆଜି ଆରମ୍ଭ ହେବାକୁ ଯାଉଥିବା ୫୦ ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଏହାର ପ୍ରମାଣ ଅଟେ ।

ବନ୍ଧୁଗଣ,
ଗତ ଦୁଇ ବର୍ଷରେ ଆପଣଙ୍କର ସରକାର କାୟ ମନୋବାକ୍ୟରେ ଆପଣଙ୍କ ସେବା କରିଛି । ଏହି ସମୟ ମଧ୍ୟରେ ଅନେକ ପ୍ରତିବନ୍ଧକ ସତ୍ତ୍ୱେ ରାଜ୍ୟର ମହିଳା, ଗରିବ, ଅନ୍ନଦାତା, ଯୁବବର୍ଗ, ଅନୁସୂଚିତ ଜାତି, ଜନଜାତି ତଥା ପଛୁଆବର୍ଗଙ୍କ ପାଇଁ ଅନେକ ନୂତନ କାର୍ଯ୍ୟକ୍ରମ ଓ ଯୋଜନା ପ୍ରଣୟନ କରିଛି । ଯାହାଫଳରେ ବିକାଶର ଗତିରେ ତୀବ୍ରତା ଆସିଛି ।
ଶିକ୍ଷା, ସ୍ୱାସ୍ଥ୍ୟ, ମହିଳା ସଶକ୍ତିକରଣ, ଜୀବନ ଜୀବିକା ଓ ଶିଳ୍ପ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆସିଛି । ସରକାରଙ୍କ ଉଦାର ଶିଳ୍ପ ନୀତି ଯୋଗୁଁ, ଆଜି ଆମ ରାଜ୍ୟ ଶିଳ୍ପପତିଙ୍କ ପ୍ରଥମ ପସନ୍ଦର ରାଜ୍ୟ ଭାବେ ଉଭା ହୋଇଛି ।
ମୁଁ, ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ ରାଜ୍ୟବାସୀଙ୍କୁ ପ୍ରତିଶୃତି ଦେଉଛି ଯେ, ରାଜ୍ୟର କଲ୍ୟାଣ ପାଇଁ ଆମ ଉଦ୍ୟମ କୌଣସି ପ୍ରକାରେ କମ୍ ହେବ ନାହିଁ । ଆପଣମାନଙ୍କ ସମସ୍ତଙ୍କ ଉଦ୍ୟମରେ ଆମେ ନିଶ୍ଚିତ ଭାବେ ୨୦୩୬ ସୁଦ୍ଧା ସମୃଦ୍ଧ ଓଡିଶାର ଲକ୍ଷ୍ୟ ହାସଲ କରି ପାରିବା ।
ମାନନୀୟ ପ୍ରଧାନମନ୍ତ୍ରୀ ଜୀ,
ଆପଣ ଏବେ ଏବେ, ଏକ ସଫଳ G-7 ସମ୍ମିଳନୀରୁ, ସ୍ବଦେଶ ଫେରିଛନ୍ତି। ଆପଣଙ୍କର ଏହି ଗସ୍ତ ଦର୍ଶାଉଛି ଯେ, ଭାରତ ଧାଡ଼ିର ଶେଷରେ ଠିଆ ହୋଇଥିବା, ଏକ ଦେଶ ନୁହେଁ। ଆପଣ ବିଗତ ବାର ବର୍ଷ ମଧ୍ୟରେ, ଦେଖାଇ ଦେଇଛନ୍ତି ଯେ, India’s time on the World Stage has finally arrived
ଆପଣଙ୍କ ମାର୍ଗଦର୍ଶନ, ଆମ ପାଇଁ ପ୍ରେରଣାର ଉତ୍ସ ଅଟେ। ଆପଣଙ୍କର ପ୍ରତିଟି ପାଦ ସହିତ, ଆମେ ପାଦ ମିଶାଇ ଚାଲିବୁ ଏବଂ ବିକଶିତ ଓଡ଼ିଶା, ବିକଶିତ ଭାରତର ସ୍ୱପ୍ନକୁ ନିଶ୍ଚିତ ଭାବେ ପୂରଣ କରିବୁ।
