ମହିଳା ସଶକ୍ତିକରଣ କରିବ ସୁଭଦ୍ରା ଯୋଜନା – ସାଂସଦ

କେନ୍ଦ୍ରାପଡ଼ା, ୦୭/୯/୨୦୨୪ (ଓଡ଼ିଶା ସମାଚାର)- ଜିଲା ସଂସ୍କୃତି ଭବନ ପରିସରରେ କେନ୍ଦ୍ରାପଡା ଲୋକସଭା ସାଂସଦ ବୈଜୟନ୍ତ ପଣ୍ଡାଙ୍କ କରକମଳରେ ଆଜି ସୁଭଦ୍ରା ଯୋଜନା ରଥର ଶୁଭାରମ୍ଭ ହୋଇଯାଇଛି । ମହିଳା ସଶକ୍ତିକରଣ କରିବ ସୁଭଦ୍ରା ଯୋଜନା । ବର୍ଷକୁ ଦୁଇଥର ୫ହଜାର ଲେଖାଏଁ ଟଙ୍କା ପାଂଚ ବର୍ଷ ପାଇଁ ମୋଟ ୫୦ହଜାର ଟଙ୍କା ସିଧାସଳଖ ଭାବେ ସୁଭଦ୍ରା ଯୋଜନାର ନିୟମ ଅନୁଯାଇ ଜିଲାର ସମସ୍ତ ମା’ଭଉଣୀମାନଙ୍କୁ ଡିବିଟି ମାଧ୍ୟମରେ ସେମାନଙ୍କ ବ୍ୟାଙ୍କ ଖାତାକୁ ହସ୍ତାନ୍ତର ହେବ । ଫଳରେ ମା’ ଭଉଣୀମାନେ ସଶକ୍ତ ହେବା ସହ ଆତ୍ମନିର୍ଭରଶୀଳ ହୋଇପାରିବେ ବୋଲି ସାଂସଦ ଶ୍ରୀ ପଣ୍ଡା ମତବ୍ୟକ୍ତ କରିଥିଲେ । ପୂର୍ବରୁ ମହିଳାମାନଙ୍କ ପାଇଁ ଯେତେ ଯୋଜନା ହୋଇଥିଲା ସେଥିରେ ସେମାନଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଡିବିଟି ମାଧ୍ୟମରେ ଟଙ୍କା ହସ୍ତାନ୍ତର ହେଉନଥିଲା । ଦୁର୍ନୀତି ରୋକିବାକୁ ଯୋଗ୍ୟ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଡିବିଟି ମାଧ୍ୟମରେ ଅର୍ଥ ଯିବ । ଏହି ଯୋଜନା ଅଧିନରେ ରାଜ୍ୟ ସରକାରଙ୍କ ନିର୍ଦ୍ଧେଶକ୍ରମେ ସାଂସଦ ପାଂଚଟି ରଥକୁ ପତାକା ଦେଖାଇ ଶୁଭାରମ୍ଭ କରିବା ପରେ ସେଗୁଡିକ ଜିଲାର ୯ଟି ବ୍ଲକର ପ୍ରତ୍ୟେକ ଗ୍ରାମ ପଂଚାୟତ ଓ ୨ଟି ପୌର ପରିଷଦର ପ୍ରତ୍ୟେକ ୱାର୍ଡ ପରିକ୍ରମା କରି ଏହି ଯୋଜନାର ସଫଳତା ନିମନ୍ତେ ସଚେତନତାର ବାର୍ତା ବାଂଟିବ । ସୂଚନା ଯୋଗ୍ୟ ଯେ ଆଳି-ରାଜକନିକା ବ୍ଲକ ପାଇଁ ଗୋଟିଏ ରଥ ଯାତ୍ରା କରିଥିବା ବେଳେ ପଟ୍ଟାମୁଣ୍ଡାଇ-ରାଜନଗର, ଡେରାବିଶ-ଗରଦପୁର, ମାର୍ଶାଘାଇ-ମହାକାଳପଡା ଏବଂ କେନ୍ଦ୍ରାପଡା ବ୍ଲକ-କେନ୍ଦ୍ରାପଡା ଓ ପଟ୍ଟାମୁଣ୍ଡାଇ ପୌରପରିଷଦ ପାଇଁ ଗୋଟିଏ ଗୋଟିଏ ରଥ ପରିକ୍ରମା କରିବ । ଆଜିଠାରୁ ଅର୍ଥାତ୍ ସେପ୍ଟେମ୍ବର ୭ତାରିଖରୁ ସେପ୍ଟେମ୍ବର ୧୬ତାରିଖ ପର୍ଯ୍ୟନ୍ତ ଏହି ୫ଟି ରଥ ଜିଲାର ସମସ୍ତ ଗ୍ରାମ ପଂଚାୟତ ଓ ପୌର ପରିଷଦର ପ୍ରତ୍ୟେକ ୱାର୍ଡ ପରିକ୍ରମା କରିବ । ସୁଭଦ୍ରା ଯୋଜନାରୁ ଯେପରି କୌଣସି ହିତାଧିକାରୀ ବାଦ୍ ନ ପଡନ୍ତି ସେଥିପ୍ରତି ଜିଲା ପ୍ରଶାସନ ସଜାଗ ଅଛି ବୋଲି ଜିଲାପାଳ ସ୍ମୃତିରଞ୍ଜନ ପ୍ରଧାନ ମତବ୍ୟକ୍ତ କରିଛନ୍ତି । ସୁଭଦ୍ରା ଯୋଜନାର ପଞ୍ଜିକରଣ ସମ୍ପର୍କରେ ଏହି ରଥ ମାଧ୍ୟମରେ ଲୋକମାନେ ସଚେତନ ହେବେ ଓ ଏହାର ନିର୍ଦ୍ଧିଷ୍ଟ ସମୟସୀମା ପଞ୍ଜିକରଣ ପାଇଁ ରାଜ୍ୟ ସରକାର ଧାର୍ଯ୍ୟ କରିନଥିବାରୁ ଲୋକମାନେ ବ୍ୟସ୍ତ ନ ହୋଇ ଗହଳି ନକରି ନିକଟସ୍ଥ ଜନସେବା କେନ୍ଦ୍ର ବା ମୋ ସେବା କେନ୍ଦ୍ରରେ ଫର୍ମ ପଞ୍ଜିକରଣ କରିପାରିବେ । ଏଥିପାଇଁ ହିତାଧିକାରୀଙ୍କୁ କୌଣସି ମୂଲ୍ୟ ଦେବାକୁ ପଡିବ ନାହିଁ । ଜିଲା ପ୍ରଶାସନ ୧୦୨୪ଗୋଟି ଜନସେବା କେନ୍ଦ୍ର ଓ ମୋ ସେବା କେନ୍ଦ୍ରରେ ସୁଭଦ୍ରା ଯୋଜନା ପଞ୍ଜିକରଣ ପାଇଁ ଆଗରୁ ସ୍ଥିର କରିଥିବା ବେଳେ ଏହାକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ଅତିରିକ୍ତ ଭାବେ ୨୫୭ଗୋଟି କେନ୍ଦ୍ରକୁ ଏହାସହିତ ଯୋଗ କରିଛନ୍ତି । ଉକ୍ତ ଶୁଭାରମ୍ଭ ଉତ୍ସବରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା, ମହାକାଳପଡା ବିଧାୟକ ଡ. ଦୂର୍ଗାପ୍ରସନ୍ନ ନାୟକ, ଜିଲା ପରିଷଦ ସଭାପତି ଲିଲିତା ଦାସ, ଅତିରିକ୍ତ ଜିଲାପାଳ ନିଲୁ ମହାପାତ୍ର, ଉପଜିଲାପାଳ ରବୀନ୍ଦ୍ର କୁମାର ପ୍ରଧାନ, କେନ୍ଦ୍ରାପଡା ପୌରପାଳ ସରିତା ସାହୁ, ଜିଲା ସମାଜମଙ୍ଗଳ ଅଧିକାରିଣୀ କୁଇନି ଜେନା, ଡେରାବିଶ ବ୍ଲକ ଅଧ୍ୟକ୍ଷା ପ୍ରଭାତି ମଲ୍ଲିକ, ଗରଦପୁର ବ୍ଲକ ଅଧ୍ୟକ୍ଷ ଅଭୟ ମହାରାଜ, ଜିଲା ବିଜେପି ସଭାପତି କିଶୋର ପଣ୍ଡା, ପୂର୍ବତନ ଜିଲା ପରିଷଦ ସଭାପତି ଗିତାଞ୍ଜଳି ସେଠୀ, ବିଜେପି ନେତା ତେଜେଶ୍ୱର ପରିଡା, ବିଭିନ୍ନ ବ୍ଲକର ବିଡିଓ, ଜିଲାସ୍ତରୀୟ ଅଧିକାରୀ, ସ୍ୱୟଂ ସହାୟିକା ଗୋଷ୍ଠୀର କର୍ମକର୍ତା, ବିଭିନ୍ନ ଗଚ୍ଚମାଧ୍ୟମର ପ୍ରତିନିଧିମାନେ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *