ଭୁବନେଶ୍ୱର କୋର୍ଟ ପରିସରରେ ଜରାଜୀର୍ଣ୍ଣ ଅବସ୍ଥାରେ ନେତାଜୀ ସୁଭାଷ ବୋଷଙ୍କ ମୂର୍ତି

ସମ୍ମାନଜନକ ଥଇଥାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲା ଓଡ଼ିଆ ଅସ୍ମିତା ପରିଷଦ
ଭୁବନେଶ୍ୱର,୧୯/୦୬/୨୦୨୬(ଓଡ଼ିଶା ସମାଚାର)-ଭାରତୀୟ ସ୍ୱାଧୀନତା ସଂଗ୍ରାମର ଅଗ୍ନିବର୍ଷୀ ନେତୃତ୍ୱ, ଆଜାଦ୍ ହିନ୍ଦ୍ ଫୌଜ୍ର ପ୍ରତିଷ୍ଠାତା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ପ୍ରତିମୂର୍ତି ଭୁବନେଶ୍ୱର କୋର୍ଟ ପରିସର (ଇଲେକ୍ଟି୍ର ଗ୍ରୀଡ ନିକଟ)ରେ ଜରାଜୀର୍ଣ୍ଣ ଅବସ୍ଥାରେ ଏକ ପରିତ୍ୟକ୍ତ ଓ ଅବହେଳିତ ସ୍ଥାନରେ ରହିଥିବା ଖବର ପାଇ ଓଡ଼ିଆ ଅସ୍ମିତା ପରିଷଦର ଆବାହକ ରବି ବେହେରା ସେଠାରେ ପହଂଚିଥିଲେ । ଓଡ଼ିଆ ଜାତିର ସୁଯୋଗ୍ୟ ସନ୍ତାନ ଦେଶ ସ୍ୱାଧୀନତା ପାଇଁ ବଳିଦାନ ଦେଇଥିବା ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତି ଖୋଦ୍ ରାଜଧାନୀରେ ରାଜ୍ୟ ସରକାରଙ୍କର ଅବହେଳା ଓ ଉଦାସୀନତାକୁ ନେଇ ଶ୍ରୀ ବେହେରା କ୍ଷୋଭ ପ୍ରକାଶ କରିବା ସହିତ ଏହାର ସମ୍ମାନଜନକ ଥଇଥାନ ପାଇଁ ତୁରନ୍ତ ମୁଖ୍ୟମନ୍ତ୍ରୀଙ୍କର ହସ୍ତକ୍ଷେପ ଦାବିକରି ଏକ ପତ୍ର ଲେଖିଛନ୍ତି ।

ସେହି ପତ୍ରରେ ସେ ଦର୍ଶାଇଛନ୍ତି ଯେ, ଓଡ଼ିଶାର ପାଣି ପବନରେ ପରିପୁଷ୍ଟ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ପ୍ରତି ଯଦି ଏଭଳି ଅବହେଳା ଦେଖାଦିଏ, ତାହା କେବଳ ଓଡ଼ିଆ ଜାତି ପାଇଁ ଏକ ବିଡ଼ମ୍ବନା ବ୍ୟତୀତ ଆଉ କିଛି ନୁହେଁ । ତେଣୁ ତୁରନ୍ତ ଆପଣ ଏଥିରେ ହସ୍ତକ୍ଷେପ କରି ସଂସ୍କୃତି ବିଭାଗକୁ ଏହାର ଉପଯୁକ୍ତ ଥଇଥାନ ପାଇଁ ନିର୍ଦ୍ଧେଶ ଦେବାକୁ ଶ୍ରୀ ବେହେରା ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଆଜି ଏକ ପତ୍ର ଲେଖି ଅନୁରୋଧ କରିଛନ୍ତି । ରାଜ୍ୟ ସରକାର ସ୍ୱାଧୀନତା ସଂଗ୍ରାମୀ ମାନଙ୍କର ଜନ୍ମସ୍ଥାନକୁ ଐତିହ୍ୟ ସ୍ଥାନ ଭାବରେ ନେଇ ତାଙ୍କର ପ୍ରତିମୂର୍ତିକୁ ସ୍ଥାପନ କରିବା ଓ ସଂସ୍କୃତି ବିଭାଗ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରୁଥିଲା ବେଳେ ଦେଶର ସ୍ୱାଧୀନତା ସଂଗ୍ରାମର ତେଜସ୍ୱୀ ନେତା ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ପ୍ରତି ଏହି ଅବହେଳାକୁ ଖୋଦ୍ ରାଜଧାନୀରେ ସହ୍ୟ କରି ହେବନାହିଁ ବୋଲି ମତପ୍ରକାଶ କରିବା ସହିତ ତାଙ୍କ ପ୍ରତିମୂର୍ତିର ଉଚିତ୍ ଥଇଥାନ ସେ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *