ଜୁନାଗଡ଼ରେ ପଣ୍ଡରାମାଲି ସମାଜ ପକ୍ଷରୁ ଭବ୍ୟ ଶୀତଳ ଷଷ୍ଠୀ ଓ ଶିବ ବିବାହ ଉତ୍ସବ ପାଳିତ 

ଜୁନାଗଡ଼,୧୯/୦୬/୨୦୨୬ (ଓଡ଼ିଶା ସମାଚାର)- କଳାହାଣ୍ଡି ଜିଲ୍ଲା ପଣ୍ଡରାମାଲି ସମାଜ ପକ୍ଷରୁ ଜୁନାଗଡ଼ ସହରସ୍ଥିତ ମାଁ ଲଙ୍କେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ପବିତ୍ର ଶୀତଳ ଷଷ୍ଠୀ ଓ ଶିବ ବିବାହ ମହୋତ୍ସବ ଅତ୍ୟନ୍ତ ଆଡ଼ମ୍ବର, ଭକ୍ତି ଓ ଉତ୍ସାହର ସହିତ ପାଳିତ ହୋଇଯାଇଛି। ଏହି ଧାର୍ମିକ ଓ ସାମାଜିକ ଉତ୍ସବରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ସମାଜର ସଦସ୍ୟ, ଶ୍ରଦ୍ଧାଳୁ ଏବଂ ସାଧାରଣ ଜନତା ବହୁ ସଂଖ୍ୟାରେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ଉତ୍ସବ ଅବସରରେ ପ୍ରଥମେ ଏକ ବିରାଟ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା। ସୁସଜ୍ଜିତ ରଥରେ ଭଗବାନ ଶିବ ଓ ମା’ ପାର୍ବତୀଙ୍କ ପ୍ରତିମାକୁ ବସାଇ ସହର ପରିକ୍ରମା କରାଯାଇଥିଲା ଶୋଭାଯାତ୍ରାରେ ଭକ୍ତମାନେ ହର ହର ମହାଦେବ ଧ୍ୱନି ଦେଇ ପରିବେଶକୁ ଭକ୍ତିମୟ କରିଥିଲେ। ବାଦ୍ୟଯନ୍ତ୍ର, ଘଣ୍ଟ, ମୃଦଙ୍ଗ, ସଙ୍କୀର୍ତ୍ତନ ଓ ଭଜନର ତାଳେ ତାଳେ ଶୋଭାଯାତ୍ରା ଆଗେଇ ଚାଲିଥିବା ବେଳେ ସହରବାସୀ ଏହାକୁ ସ୍ୱାଗତ କରିଥିଲେ। ଶୋଭାଯାତ୍ରା ସମୟରେ ସହରର ବିଭିନ୍ନ ସ୍ଥାନରେ ଭକ୍ତମାନଙ୍କ ପାଇଁ ପ୍ରସାଦ ସେବାର ବ୍ୟବସ୍ଥା କରାଯାଇଥିଲା।

ପରେ ମାଁ ଲଙ୍କେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ବେଦ ମନ୍ତ୍ର ଓ ପାରମ୍ପରିକ ରୀତିନୀତି ଅନୁସାରେ ଶିବ ଓ ପାର୍ବତୀଙ୍କ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ବିବାହ ଉତ୍ସବକୁ ଦେଖିବା ପାଇଁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା। ସମଗ୍ର ପରିବେଶ ଭକ୍ତି, ଆଧ୍ୟାତ୍ମିକତା ଓ ଧାର୍ମିକ ଉଲ୍ଲାସରେ ମୁଖରିତ ହୋଇଉଠିଥିଲା। ଶିବ ବିବାହ ଉତ୍ସବ ମାଧ୍ୟମରେ ଧର୍ମୀୟ ପରମ୍ପରା ସହ ସାମାଜିକ ଏକତା ଓ ଭାଇଚାରାର ବାର୍ତ୍ତା ମଧ୍ୟ ପ୍ରଚାରିତ ହୋଇଥିଲା। ଶିବ ବିବାହ ପରେ ପଣ୍ଡରାମାଲି ସମାଜ ପକ୍ଷରୁ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। କଳାହାଣ୍ଡି ପଣ୍ଡରାମାଲି ସମାଜର ସଭାପତି ଇଶ୍ୱର ପୁଝାରୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ କୁଳପତି ପ୍ରକାଶ ଚନ୍ଦ୍ର ନାଏକ, ଆଇନ ପରାମର୍ଶଦାତା ଦୁର୍ଗା ପ୍ରସାଦ ନାଏକ, ଯୁବ ବାହିନୀ ସଭାପତି ଭବାନୀ ଶଙ୍କର ବଣିଆ, ଗୋଦାବରୀଶ ନାଏକ, ସମାଜସେବୀ ରାଜେନ୍ଦ୍ର ଭୋଇ, ଭୈରବ ନାଏକ, ଉମାଶଙ୍କର ମାଝୀ, ଗଜିନ୍ଦ୍ର ମାଝୀ, ଦୁର୍ଯ୍ୟୋଧନ ନାଏକ, ବିଷ୍ଣୁ ପ୍ରସାଦ ନାଏକ ପ୍ରମୁଖ ଉପସ୍ଥିତ ରହି ସମାଜର ଉନ୍ନତି, ଶିକ୍ଷାର ପ୍ରସାର, ଯୁବପିଢ଼ିଙ୍କ ଭୂମିକା ଏବଂ ସମାଜର ଏକତା ସମ୍ପର୍କରେ ଆଲୋଚନା କରିଥିଲେ।

ଶୀତଳ ଷଷ୍ଠୀ ଓ ଶିବ ବିବାହ ଭଳି ଧାର୍ମିକ ଉତ୍ସବ ଆମ ସଂସ୍କୃତି ଓ ପରମ୍ପରାର ଏକ ଅମୂଲ୍ୟ ଅଂଶ। ଏଭଳି କାର୍ଯ୍ୟକ୍ରମ ସମାଜ ମଧ୍ୟରେ ଭାଇଚାରା, ସଦ୍ଭାବ ଓ ଆଧ୍ୟାତ୍ମିକ ଚେତନାକୁ ସୁଦୃଢ଼ କରିଥାଏ। ନୂତନ ପିଢ଼ିଙ୍କୁ ନିଜ ଐତିହ୍ୟ, ସଂସ୍କୃତି ଓ ପରମ୍ପରା ସହ ପରିଚିତ କରାଇବାରେ ଏଭଳି ଆୟୋଜନର ଭୂମିକା ଅତୁଳନୀୟ ବୋଲି ମତ ପ୍ରକାଶ ପାଇଥିଲା।

ଶେଷରେ ଉତ୍ସବର ସଫଳ ଆୟୋଜନ ପାଇଁ ପଣ୍ଡରାମାଲି ସମାଜର ସମସ୍ତ ସଦସ୍ୟ, ଯୁବକମାନେ ଓ ସହଯୋଗୀଙ୍କୁ ଧନ୍ୟବାଦ ଜଣାଯାଇଥିଲା। ସମାଜର ଏକତା, ଭକ୍ତି ଓ ସଂଗଠନର ଶକ୍ତିର ଏକ ଉଜ୍ଜ୍ୱଳ ନିଦର୍ଶନ ଭାବେ ଏହି ଶୀତଳ ଷଷ୍ଠୀ ଓ ଶିବ ବିବାହ ଉତ୍ସବ ସ୍ମରଣୀୟ ହୋଇ ରହିଛି। ଆୟୋଜିତ ଏହି କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲାର ପଣ୍ଡରାମାଲି ସମାଜର କୋଣ ଅନୁକୋଣରୁ ସଭ୍ୟ ସଭ୍ୟା, କର୍ମ କର୍ତ୍ତା ସାମିଲ ଥିଲେ।

Leave a Reply

Your email address will not be published. Required fields are marked *