ନୁଆ-ଓ: ଯୁବ ଓଡିଶା ,ନବୀନ ଓଡିଶା କାର୍ୟ୍ୟକ୍ରମ ଉଦଘାଟିତ

ଲକ୍ଷ୍ମୀପୁର, ୧୫/୧୨/୨୦୨୩ (ଓଡ଼ିଶା ସମାଚାର/ପ୍ରମୋଦ କୁମାର ଜେନା) -ନୁଆ-ଓ ଯୁବ ଓଡିଶା ,ନବୀନ ଓଡିଶା ଆନୁକୂଲ୍ୟ ରେ ନାରାୟଣପାଟଣା ରାଧାକୃଷ୍ଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ କ୍ରିଡା, ସାଂସ୍କୃତିକ ଏବଂ ସାମାଜିକ ସେବା କାର୍ୟ୍ୟକ୍ରମ ର ଉଦଘାଟନ ଉତ୍ସବ ଅନୁଷ୍ଠାନ ର ଅଧ୍ୟକ୍ଷ ସୁଧିର କୁମାର ଜେନାଙ୍କ ପୌରୋହିତ୍ୟ ରେ ଏବଂ ନୋଡାଲ ଅଫିସର ଡଃ ପ୍ରଫୁଲ୍ଲ କୁମାର ମହାରଣାଙ୍କ ତତ୍ତ୍ଵାବଧାନ ରେ ଅନୁଷ୍ଠିତ ହୋଇଯାଇଛି।ଉକ୍ତ  କାର୍ୟ୍ୟକ୍ରମ ରେ ନାରାୟଣପାଟଣା ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ଗୋଲାଦି ତ୍ରିନାଥ ମୁଖ୍ୟ ଅତିଥି ଥିବା ବେଳେ ସମ୍ମାନିତ ଅତିଥି ଭାବେ ନାରାୟଣପାଟଣା ସରପଞ୍ଚ ଶ୍ରୀମତୀ ରେବତୀ କୁନ୍ଦରିଆ, ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ରାମ୍ବୋ ଶିରିକା,  ଅତିରିକ୍ତ ଶିକ୍ଷା ଅଧିକାରୀ ସୂର୍ୟ୍ୟ ନାରାୟଣ ପାଇରାପୁ ଏବଂ ମୁଖ୍ୟ ବକ୍ତା ଭାବେ ଅନୁଷ୍ଠାନ ର ପୂର୍ବତନ ସଂପାଦକ ବି. କୁମାର ସ୍ବାମୀ ଗୁପ୍ତା ଯୋଗଦାନ କରିଥିଲେ। ଅଧ୍ୟକ୍ଷ ଶ୍ରୀ ସୁଧିର କୁମାର ଜେନା ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ। ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଥିବା ବହୁମୁଖି ପ୍ରତିଭା ର ବିକାଶ ଘଟାଇବା ନିମନ୍ତେ ରାଜ୍ୟ ସରକାର କେତେ ଯତ୍ନଶୀଳ ତାହା ଉପରେ ମୁଖ୍ୟ ଅତିଥି ଆଲୋକପାତ କରିଥିବା ବେଳେ ଯୁବ ଓଡିଶା-ନବୀନ ଓଡିଶା କାର୍ୟ୍ୟକ୍ରମ ରାଜ୍ୟ ସରକାରଙ୍କ ଯୁବ ଗୋଷ୍ଠୀଙ୍କ ମଧ୍ୟରେ ଥିବା କ୍ରିଡା ପ୍ରତିଭା, ସାଂସ୍କୃତିକ ପ୍ରତିଭା ଓ ସମାଜିକ ସେବା କ୍ଷେତ୍ରରେ ଥିବା ପ୍ରତିଭାର ଉନ୍ମୋଚନ ନିମନ୍ତେ ଏକ ଅଭିନବ ପ୍ରୟାସ ଏବଂ ବଳିଷ୍ଠ ପଦକ୍ଷେପ ବୋଲି ମୁଖ୍ୟ ବକ୍ତା ଶ୍ରୀ ଗୁପ୍ତା ବକ୍ତବ୍ୟ ରଖିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅଧ୍ୟାପକ ଶ୍ରୀ ସୁରଥ ଡାକୁଆ, ଶ୍ରୀ ସୁଶାନ୍ତ କୁମାର ପରିଡା, କ୍ରୀଡା ପ୍ରଶିକ୍ଷକ ଶ୍ରୀ ରଜତ କୁମାର ହିଆଲ ଉପସ୍ଥିତ ରହି ସହଯୋଗ ର ହାତ ବଢାଇଥିଲେ। ଇଂରାଜୀ ଅଧ୍ୟାପକ ଶ୍ରୀ ପ୍ରଜାରଞ୍ଜନ ମିଶ୍ର ମଞ୍ଚ ପରିଚାଳନା କରିଥିଲା ବେଳେ ନୋଡାଲ ଅଫିସର ଡଃ. ମହାରଣା ମଞ୍ଚାସୀନ ଅତିଥିବୃନ୍ଦଙ୍କୁ  ଧନ୍ୟବାଦ ଅର୍ପଣ କରିଥିଲେ।  ପରେ ପରେ ଛାତ୍ର ଛାତ୍ରୀଙ୍କ ଦ୍ବାରା ଏକକ ନୃତ୍ୟ ଏବଂ ଦଳଗତ ନୃତ୍ୟ ପରିବେଷଣ କରାଯାଇଥିଲା। ଅପରାହ୍ନରେ କ୍ରୀଡା ପ୍ରତିଯୋଗିତା ଦାୟୀତ୍ବ ରେ ଥିବା ଇତିହାସ ଅଧ୍ୟାପକ ଶ୍ରୀ ସୁରଥ ଡାକୁଆ ଏବଂ କ୍ରୀଡା ପ୍ରଶିକ୍ଷକ ଶ୍ରୀ ରଜତ କୁମାର ହିଆଲ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ ରେ ସ୍ଥାନୀୟ ଅଧିଷ୍ଠାତୀ ଦେବୀ ମା ବୁଢି ଠାକୁରାଣୀ ମନ୍ଦିର ରୁ ପୂଜା ଅର୍ଚ୍ଚନା କରି ମଶାଲ ଶୋଭାଯାତ୍ରା ହୋଇଥିବା ସହ ଭଲିବଲ ଏବଂ କବାଡି ଖେଳର ଶୁଭାରମ୍ଭ ହୋଇଥିଲା। ଉକ୍ତ କାର୍ୟ୍ୟକ୍ରମ ୧୫ ଡିସେମ୍ବର ରୁ ଆରମ୍ଭ ହୋଇ ୨୯ ଡିସେମ୍ବର ପର୍ୟ୍ୟନ୍ତ ଚାଲୁ ରହିବ।

Leave a Reply

Your email address will not be published. Required fields are marked *