ସମ୍ବଲପୁର,୧୮/୦୮/୨୦୨୬ (ଓଡ଼ିଶା ସମାଚାର)- ମହାନଦୀର ଉପରମୁଣ୍ଡରେ ବର୍ଷା ପରିମାଣ ବୃଦ୍ଧି ଯୋଗୁ ହୀରାକୁଦ ଜଳଭଣ୍ଡାରକୁ ପୁଣିଥରେ ବିପୁଳ ପରିମାଣର ବନ୍ୟା ଜଳ ପ୍ରବେଶ କରିବା ଆରମ୍ଭ କରିଛି। ଫଳରେ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୬୩୦ ଫୁଟ୍ । ପ୍ରାପ୍ତ ସୂଚନା ଅନୁସାରେ ଜଳଭଣ୍ଡାରର ଜଳସ୍ତର ୬୨୦.୦୨ ଫୁଟକୁ ବୃଦ୍ଧି ପାଇଛି ।
ଜଳଭଣ୍ଡାର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସନ ପାଇଁ ମଙ୍ଗଳବାର ସକାଳେ ପୁଣିଥରେ ଦୁଇଟି ପର୍ୟ୍ୟାୟରେ ଆଉ ୭ଟି ସ୍ଲୁଇସ ଗେଟ ଖୋଲାଯାଛି। ଫଳରେ ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରରୁ ବାମ ପାର୍ଶ୍ୱର ୯ ଓ ଦକ୍ଷିଣ ପାର୍ଶର ୫ଟି ମିଶି ମୋଟ ୧୪ଟି ସ୍କୁଇସ ଗେଟ ଜରିଆରେ ଅତିରିକ୍ତ ବନ୍ୟାଜଳ ନିଷ୍କାସନ କରାଯାଉଛି। ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି । ଜଳସ୍ତରକୁ ଦୃଷ୍ଟିରେ ରଖି ଆହୁରି ଗେଟ ଖୋଲାଯିବାର ସମ୍ଭାବନା ମଧ୍ୟ ରହିଛି ।
