କୋଟପାଡ଼ ବ୍ଲକ୍ ସହକାରୀ ନିର୍ବାହୀ ଯନ୍ତ୍ରୀ ସତ୍ୟନାରାୟଣ ସେଠୀଙ୍କ ୭ଟି ସ୍ଥାନରେ ଭିଜିଲାନ୍ସ ର ଚଢ଼ାଉ   

ଭୁବନେଶ୍ୱର,୧୯/୦୬/୨୦୨୬ (ଓଡ଼ିଶା ସମାଚାର /ଦୀପ୍ତିରଂଜନ କାନୁନଗୋ)-କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକ୍ ସହକାରୀ ନିର୍ବାହୀ ଯନ୍ତ୍ରୀ ସତ୍ୟନାରାୟଣ ସେଠୀଙ୍କ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ କରିଛି। ଏକକାଳୀନ ୭ଟି ସ୍ଥାନରେ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ। ୭ଜଣ ଡିଏସ୍ ପି, ୯ ଜଣ ଇନ୍ସପେକ୍ଟର, ୧୧ ଜଣ ଏଏସଆଇ ସମେତ ଅନ୍ୟ କର୍ମଚାରୀ ଚଢ଼ାଉରେ ସାମିଲ ହୋଇଛନ୍ତି। ଜୟପୁର ଭିଜିଲାନ୍ସ ସ୍ୱତନ୍ତ୍ର ବିଚାରପତିଙ୍କ ଜାରି ସର୍ଚ୍ଚ ୱାରେଣ୍ଟ ବଳରେ ଏକାସାଙ୍ଗରେ ୭ଟି ସ୍ଥାନରେ ଚଢ଼ାଉ ହୋଇଛି। ଜୟପୁରର ପରାବେଡ଼ା ଅଞ୍ଚଳରେ ଥିବା ତାଙ୍କ ଭଡ଼ା ଘର, ଖୋର୍ଦ୍ଧା ଜିଲ୍ଲା ଜଟଣୀର ହାଇଟେକ୍ ପ୍ଲାଜାରେ ଥିବା ଫ୍ଲାଟ, କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ଥାନା ପଲେଇ ପଞ୍ଚାୟତ ଅନ୍ତର୍ଗତ ଜହଙ୍ଗର ଗ୍ରାମରେ ଥିବା ପୈତୃକ ବାସଭବନ, କୋଟପାଡ଼ରେ ଥିବା ସରକାରୀ କ୍ୱାର୍ଟର, କାର୍ଯ୍ୟାଳୟ କକ୍ଷ ଏବଂ ବୋରିଗୁମ୍ମା ତହସିଲ ଅନ୍ତର୍ଗତ ତାରାଗାଁ ମୌଜାରେ ଥିବା ଦୁଇଟି ଫାର୍ମରେ ଚଢ଼ାଉ ଚାଲିଛି।

ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଅମାପ ସମ୍ପତ୍ତି ଦେଖି ଭିଜିଲାନ୍ସ କାବା ହୋଇଛି। ବର୍ତ୍ତମାନ ସୁଦ୍ଧା ବାବୁଙ୍କର ଜଟଣୀରୁ ଗୋଟିଏ ଫ୍ଲାଟ୍, କୋରାପୁଟର ବିଭିନ୍ନ ସ୍ଥାନରେ ୩୨ଟି ପ୍ଲଟ୍ ଠାବ ହୋଇଥିବା ବେଳେ କୋରାପୁଟରେ ୧୫ ଏକର ଜମିରେ ୨ଟି ଫାର୍ମ ହାଉସ ମଧ୍ୟ ଠାବ ହୋଇଛି। ଏହାସହ ଚଢାଉ ସମୟରେ ୩୦୦ ଗ୍ରାମର ସୁନା, ରୂପା ଗହଣା, ରୂପା ହାତୀ ମୂର୍ତ୍ତି ସହ ନଗଦ ୫ ଲକ୍ଷ ୪୮ ହଜାର ଟଙ୍କା ଜବତ ହୋଇଛି। ନଗଦ ସାଢେ ୫ ଲକ୍ଷ ଟଙ୍କା ଓ ୩୦୦ ଗ୍ରାମ୍ ସୁନା ଅଳଙ୍କାର ମଧ୍ୟ ଭିଜିଲାନ୍ସ ଟିମ୍ ଜବତ କରିଛି। ଚଢାଉ ଓ ତଦନ୍ତ ଜାରି ରହିଛି।

Leave a Reply

Your email address will not be published. Required fields are marked *