ଓଡ଼ିଶାରେ ଇ-କମର୍ସ ଓ ବଜାର ପ୍ରବେଶ ବୃଦ୍ଧି ପାଇଁ ଓଏନଡିସିସହ ସହଯୋଗ ନେଇ ମୁଖ୍ୟ ଶାସନ ସଚିବଙ୍କଗୁରୁତ୍ୱ

ଓଏନଡିସିଟିମ୍ ଙ୍କରଇ-କମର୍ସ ସକ୍ରିୟତା ବୃଦ୍ଧିସଂପର୍କିତ ଉପସ୍ଥାପନା

ଭୁବନେଶ୍ୱର,୧୮/୦୬/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଓପନ ନେଟଓ୍ୱର୍କ ଫର ଡିଜିଟାଲ କମର୍ସ (ଓଏନଡିସି) ଟିମର ସଦସ୍ୟମାନେ ଆଜି ଓଡିଶା ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଙ୍କ ଅଧ୍ୟକ୍ଷତାରେ  ଅନୁଷ୍ଠିତ ଏକ ବୈଠକରେ ରାଜ୍ୟରେ  ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ,  କୃଷକ ଉତ୍ପାଦନ ସଂଗଠନ, ସ୍ୱୟଂ ସହାୟକ ଗୋଷ୍ଠୀ, ପାରମ୍ପରିକ ହସ୍ତଶିଳ୍ପୀ କାରିଗର ଏବଂ  ଅନ୍ୟାନ୍ୟ ବିକ୍ରେତା ସମୁଦାୟମାନଙ୍କ ମଧ୍ୟରେ ଇ-କମର୍ସ ସକ୍ରିୟତା ବୃଦ୍ଧି କରିବା ସମ୍ପର୍କରେ ଉପସ୍ଥାପନ କରିଥିଲେ ।

       ଓଏନଡିସି  ହେଉଛି ଭାରତ ସରକାରଙ୍କ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ଅଧୀନସ୍ଥ ଶିଳ୍ପ ଓ ଆଭ୍ୟନ୍ତରୀଣ ବାଣିଜ୍ୟ ପ୍ରୋତ୍ସାହନ ବିଭାଗର ଏକ ଅଗ୍ରଣୀ ପଦକ୍ଷେପ । ଏହାର ଉଦ୍ଦେଶ୍ୟ ହେଉଛି ଏକ ଖୋଲା ଓ ପରସ୍ପର ସଂଯୋଗଯୋଗ୍ୟ ଡିଜିଟାଲ୍ ନେଟୱର୍କ ମାଧ୍ୟମରେ ଡିଜିଟାଲ୍ ବାଣିଜ୍ୟକୁ ସର୍ବସାଧାରଣଙ୍କ ପାଇଁ ସୁଲଭ ଓ ଅନ୍ତର୍ଭୁକ୍ତିମୂଳକ କରିବା, ଯାହା ପଣ୍ୟ ଓ ସେବା କ୍ଷେତ୍ରରେ ନିରବିଚ୍ଛିନ୍ନ ଡିଜିଟାଲ୍ କାରବାରକୁ ସୁନିଶ୍ଚିତ କରେ । ବର୍ତ୍ତମାନ ଓଏନଡିସି  ନେଟୱର୍କ ମାଧ୍ୟମରେ ଖୁଚୁରା ବ୍ୟବସାୟ, ଲଜିଷ୍ଟିକ୍ସ, ଆର୍ଥିକ ସେବା, ପରିବହନ ଓ ଭ୍ରମଣ ଆଦି କ୍ଷେତ୍ରରେ ପ୍ରତି ମାସରେ ପ୍ରାୟ ୨ କୋଟି ଡିଜିଟାଲ୍ କାରବାର ସମ୍ପନ୍ନ ହେଉଛି ଏବଂ ଏହା  ବର୍ତ୍ତମାନ ଭାରତ ସରକାରଙ୍କ ୧୦ରୁ ଅଧିକ କେନ୍ଦ୍ରୀୟ ମନ୍ତ୍ରଣାଳୟର ବିଭିନ୍ନ କ୍ଷେତ୍ର ସହ ସକ୍ରିୟ ଭାବେ ସହଯୋଗ  କରୁଛି ।

        ଓଏନଡିସି ପକ୍ଷରୁ ଉପସ୍ଥାପନା ଅନୁସାରେ ଏହି ପ୍ଲାଟଫର୍ମ ମାଧ୍ୟମରେ ଓଡ଼ିଶାରେ କୋଣାର୍କ, ପୁରୀ, ଚିଲିକା, ସିମିଳିପାଳ, ଭିତରକନିକା, ଇକୋ-ଟୁରିଜମ୍ ଓ ଜନଜାତି ସଂସ୍କୃତି ସମେତ ଓଡ଼ିଶାର ପର୍ଯ୍ୟଟନ ସମ୍ପଦକୁ ବିଶ୍ୱସ୍ତରୀୟ ଡିଜିଟାଲ୍ ପ୍ଲାଟଫର୍ମରେ ଅଧିକ ପ୍ରଚାର ମିଳିବ । ଏହାଦ୍ୱାରା ଦେଶୀ ଓ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ, ପର୍ଯ୍ୟଟନ ଆୟ ଏବଂ ସ୍ଥାନୀୟ ରୋଜଗାର ସୁଯୋଗ ବୃଦ୍ଧି ପାଇବ । ସେହିପରି ସ୍ଥାନୀୟ ଟୁର୍ ଅପରେଟର, ହୋମଷ୍ଟେ ମାଲିକ, ମିଶନ ଶକ୍ତି ଗୋଷ୍ଠୀ, ଓରମାସ , ହସ୍ତଶିଳ୍ପୀ, ବୁଣାକାର ଓ ଏମଏସଏମଇ  ଉଦ୍ୟୋଗୀମାନେ ସେମାନଙ୍କ ଉତ୍ପାଦ ଓ ସେବାକୁ ଦେଶବ୍ୟାପୀ ବଜାରରେ ସିଧାସଳଖ ପହଞ୍ଚାଇପାରିବେ । ଏହା ଓଡ଼ିଶାର ସ୍ୱତନ୍ତ୍ର ଉତ୍ପାଦ ଓ ପର୍ଯ୍ୟଟନ ସମ୍ଭାବନାକୁ ଜାତୀୟ ସ୍ତରରେ ଅଧିକ ପ୍ରତିଷ୍ଠିତ କରିବ ।

        ମୁଖ୍ୟ ଶାସନ ସଚିବ ଓଡ଼ିଶାରେ ଇ-କମର୍ସରେ ଅଂଶଗ୍ରହଣ ଓ ବଜାର ପ୍ରବେଶ ସଂପର୍କିତ ସମସ୍ୟାଗୁଡ଼ିକୁ ସମାଧାନ କରିବା ପାଇଁ ଓଏନଡିସି  ସହିତ  ସହଯୋଗର ଆବଶ୍ୟକତା ସଂପର୍କରେ ଗୁରୁତ୍ୱ ଦେଇଥିଲେ ।  ଓଏନଡିସି  ପାରମ୍ପରିକ ଇ-କମର୍ସ ପ୍ଲାଟଫର୍ମଗୁଡ଼ିକ ତୁଳନାରେ ଛୋଟ ବିକ୍ରେତାଙ୍କୁ ଉଲ୍ଲେଖନୀୟ ଭାବରେ  ଜାତୀୟସ୍ତରରେ  ଚାହିଦାର ଦୃଶ୍ୟମାନତା ପ୍ରଦାନ କରିବାରେ କିପରି ଅଧିକ ପ୍ରଭାବୀ ହୋଇପାରିବ, ସେଥିପାଇଁ  ଅଧିକରୁ ଅଧିକ ସୁଯୋଗକୁ ଡିଜିଟାଲ୍ ପଦ୍ଧତିରେ ସାମିଲ କରିବା, ଯଦ୍ୱାରା କି  ବ୍ୟବସାୟ ବୃଦ୍ଧି ସହଜ ହୋଇପାରିବ, ସେ ସଂପର୍କରେ ମୁଖ୍ୟ ସଚିବ ଗୁରୁତ୍ୱାରୋପ କରିଥିଲେ ।

        ମୁଖ୍ୟ ଶାସନ  ସଚିବ ମଧ୍ୟ  ଓଡ଼ିଶାର ପର୍ଯ୍ୟଟନ ଓ ଇକୋ-ଟୁରିଜିମ୍ ସ୍ଥଳଗୁଡିକୁ ଓଏନଡିସି  ନେଟୱାର୍କରେ ସାମିଲ କରିବାକୁ ଉତ୍ସାହିତ କରିଛନ୍ତି,  ଯହା ରାଜ୍ୟର ଜାତୀୟସ୍ତରରେ  ଆବିଷ୍କାରକୁ ବଢ଼ାଇବ ଏବଂ  ସାରା  ଦେଶରେ ପର୍ଯ୍ୟଟକଙ୍କ ପାଇଁ ସୁଗମ ଅନଲାଇନ୍ ବୁକିଂ ସୁବିଧା ଦେବ ।

        ବୈଠକରେ ରାଜ୍ୟ ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ବିଶାଳ କୁମାର ଦେବଙ୍କ ସମେତ  ବାଣିଜ୍ୟ ଓ ପରିବହନ ବିଭାଗ, କୃଷି  ଓ କୃଷକ ସଶକ୍ତିକରଣ ବିଭାଗ, ମିଶନ ଶକ୍ତି, ପର୍ଯ୍ୟଟନ, ଶିଳ୍ପ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ହସ୍ତତନ୍ତ,ବୟନ ଓ ହସ୍ତଶିଳ୍ପ, ମତ୍ସ୍ୟ ଓ  ପ୍ରାଣୀ ସଂପଦ ବିଭାଗ ଆଦି ବିଭିନ୍ନ ବିଭାଗର ସଚିବ ଏବଂ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ ।

-0-

ପଠାଣି ରାଉତ ,ମୁଖ୍ୟଶାସନ ସଚିବଙ୍କଲୋକସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *