ହିନ୍ଦୋଳ,୧୮/୧୨/୨୦୨୪ (ଓଡ଼ିଶା ସମାଚାର)-ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ଲଗାତାର ହାତୀ ଆକ୍ରମଣର ଶିକାର ହେଉଥିବାରୁ ଜନସାଧାରଣ ଅତ୍ୟନ୍ତ ଭୟଭୀତ ଅବସ୍ଥାରେ ଜୀବନ ଅତିବାହିତ କରୁଛନ୍ତି । ଲଗାତାର ଭାବରେ ହାତୀ ଆକ୍ରମଣରେ ଜୀବନ ହରାଉଛନ୍ତି ହିନ୍ଦୋଳ ଅଞ୍ଚଳର ନିରୀହ ଜନତା । ହାତୀ ଆକ୍ରମଣରେ ଗତକାଲି ରାତି ଆଠଟାବେଳେ ପୁଣି ଜଣେ ମୃତ୍ୟୁବରଣ କରିଛନ୍ତି । ଖବରରୁ ପ୍ରକାଶ ଯେ ଗଳେହି ପଞ୍ଚାୟତ ଅନ୍ତର୍ଗତ ବଙ୍ଗୁ ଗ୍ରାମର ସିକର ସାହୁ ରାତିରେ ପରିସ୍ରା କରିଯିବା ପାଇଁ କବାଟ ଖୋଲିବା ମାତ୍ରେ ତାଙ୍କୁ ଏକ ହାତୀ ଶୁଣ୍ଢରେ ଟେକି ନେଇ କଚାଡି ମାରି ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ତାଙ୍କ ସହ ଥିବା ତାଙ୍କ ନାତି ଅଳ୍ପକେ ରକ୍ଷା ପାଇଯାଇଥିଲା । ଏଭଳି ଗୋଟିଏ ପରେ ଗୋଟିଏ ଜୀବନ ଅକାଳରେ ଚାଲି ଯାଉଛି । ଚଳିତବର୍ଷ ପଚାଶରୁ ଅଧିକ ଲୋକ ହିନ୍ଦୋଳରେ ହାତୀ ଆକ୍ରମଣରେ ମୃତ୍ୟୁ ବରଣ କଲା ପରେ ମଧ୍ୟ ନା ଚେତୁଛି ବନବିଭାଗ ନା ଚେତୁଛି ପ୍ରଶାସନ । ସମସ୍ତେ କେବଳ ନିରବଦ୍ରଷ୍ଟା । ଅଧିକାରୀମାନଙ୍କର ଏହି ନୀରବତା ଆଗାମୀ ଦିନରେ ଏକ ବଡ ଆନ୍ଦୋଳନ ପାଇଁ ଖୋରାକ ଯୋଗଉଛି । ସରକାର ଏବେଠାରୁ ସଜାଗ ନ ହେଲେ ଆଗାମୀ ଦିନରେ ଏହା ଏକ ବିସ୍ଫୋରକ ମୋଡ ନେବ ।