କେନ୍ଦ୍ରାପଡ଼ା,୧୮/୦୬/୨୦୨୬ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ତିଖିରୀ ଗ୍ରାମପଂଚାୟତର ସରପଂଚ ଚାମେଲି ଓଝାଙ୍କୁ ନ୍ୟାୟ ପ୍ରଦାନ ଦାବିରେ ନିଖିଳ ଓଡିଶା ଜିଲା ପରିଷଦ ସଭାପତି ସଂଘ ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଧେଶ୍ୟରେ କେନ୍ଦ୍ରାପଡା ଜିଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ସେହି ସ୍ମାରକପତ୍ରରେ ଉଲ୍ଲେଖ ରହିଛି ଯେ ୭୩ତମ ସମ୍ବିଧାନ ସଂଶୋଧନ ଆଇନରେ ପଂଚାୟତର ସୁପରିଚାଳନା ପାଇଁ ତ୍ରିସ୍ତରୀୟ ପଂଚାୟତିରାଜ ପ୍ରତିନିଧିମାନଙ୍କୁ କେତେକ କ୍ଷମତା ପ୍ରଦାନ କରାଯାଇଛି । ଏହି ଆଇନରେ ସରପଂଚହେଉଛନ୍ତି ଗ୍ରାମପଂଚାୟତର କାର୍ଯ୍ୟନିର୍ବାହୀ କର୍ତୃପକ୍ଷ ଏବଂ ସଂପୃକ୍ତ ପଂଚାୟତ ସମିତିରେ ତାଙ୍କର ଭୋଟଦାନର ଅଧିକାର ରହିଛି । ଓଡିଶା ପଂଚାୟତ ସମିତି ଆଇନ ଓ ନିୟମରେ ବିଡିଓ ହେଉଛନ୍ତି ପଂଚାୟତ ସମିତିର ଆବାହକ ତଥା ସମ୍ପାଦକ ।
ତେଣୁ ବିଡିଓଙ୍କୁ ସରପଂଚ ଅନୁରୋଧ କରିବା ହେଉଛି ଏକ ପ୍ରାକୃତିକ ବ୍ୟବସ୍ଥା । ଓଡିଶାର ୩୦ଟି ଜିଲାର ୩୧୪ପଂଚାୟତସମିତି ଅଧିନରେ ୬ହଜାର ୭୯୪ଗ୍ରାମପଂଚାୟତରେ ପିଆରଆଇ ପ୍ରତିନିଧିମାନେ କାର୍ଯ୍ୟ କରୁଛନ୍ତି । ଏଣୁ ନିଖିଳ ଓଡିଶା ଜିଲା ପରିଷଦ ସଭାପତି ସଂଘର ସଦସ୍ୟ ତଥା ବିଭିନ୍ନ ଜିଲାର ଜିଲା ପରିଷଦ ସଭାପତିମାନେ ମହାକାଳପଡା ବିଡିଓଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । କେନ୍ଦ୍ରାପଡା ଜିଲାରେ ଯେଉଁ ଘଟଣା ଘଟିଛି ସେଥିପାଇଁ ମହାକାଳପଡା ବିଡିଓ ହିଁ ଏକମାତ୍ର ଦାୟୀ । ଏଥିସହିତ ତିଖିରୀ ସରପଂଚଙ୍କ ବିରୁଦ୍ଧରେ ହୋଇଥିବା ମିତ୍ୟା ମାମଲା ଗୁଡିକୁ ତୁରନ୍ତ ପ୍ରତ୍ୟାହାର କରାଯିବାକୁ ସଂଘ ଦାବି କରିଛି ।
ଏଥିସହିତ ୭୩ତମ ସମ୍ବିଧାନ ସଂଶୋଧନ ଆନ୍ତରିକତାର ସହ କାର୍ଯ୍ୟକାରୀ କରାଇବାକୁ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେବାକୁ ରାଜ୍ୟପାଳଙ୍କୁ ସଂଘ ନିବେଦନ କରିଛି । ସଂଘର ସଦସ୍ୟ ଓ ସଦସ୍ୟାମାନେ ଡାକ୍ତରଖାନାରେ ଥିବା ସରପଂଚ ଚାମେଲି ଓଝାଙ୍କୁ ଭେଟି ସମସ୍ତ ଘଟଣା ପଚାରି ବୁଝିଥିଲେ । ଜିଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲାପାଳ ରବୀନ୍ଦ୍ର କୁମାର ମଲ୍ଲିକଙ୍କୁ ଏହି ସ୍ମାରକପତ୍ର ପ୍ରଦାନ ସମୟରେ ନିଖିଳ ଓଡିଶା ଜିଲା ପରିଷଦ ସଭାପତି ସଂଘ ସଭାପତି ଇଂ ଦେବାଶିଷ ପଟ୍ଟନାୟକ, କେନ୍ଦ୍ରାପଡା ଜିଲାପରିଷଦ ସଭାପତି ସୁଶ୍ରୀ ଲିଲିତା ଦାସ, ଦେବଗଡର କୌଶିକ କୁମାର ପ୍ରଧାନ, ଅନୁଗୁଳ ବବିତା ପ୍ରଧାନ, ଢେଙ୍କାନାଳର ଅର୍ଚ୍ଚନା ପୁହାଣ, ଜଗତସିଂହପୁରର ମନୋଜ କୁମାର ଭୋଇ, କଟକର କିଶୋର ଚନ୍ଦ୍ର ମିଶ୍ର, ପୁରୀର ସ୍ୱପ୍ନାରାଣୀ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।
