ଅପରେସନ ସାଇବର କବଚ :୨୨୪୫୫ ବେନାମୀ ବ୍ୟାଙ୍କ ଆକାଉଣ୍ଟ ଯାଂଚ, ୨୮୯ ଗିରଫ

କଟକ ୦୪/୦୩/୨୦୨୬ (ଓଡ଼ିଶା ସମାଚାର)- ସାଇବର ଅପରାଧ ଉପରେ ଲଗାମ ଲଗାଇବା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ଆରମ୍ଭ ହୋଇଥିବା ବିଶେଷ ଅଭିଯାନ ‘ଅପରେସନ ସାଇବର କବଚ’ ସମଗ୍ର ରାଜ୍ୟରେ ଜାରି ରହିଛି । ରାଜ୍ୟ ଆରକ୍ଷୀ ମହାନିର୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ନର୍ର୍ଦଶକ୍ରମେ ଜିଲା ଏସ୍.ପି. ଓ ଡି.ସି.ପି.ମାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଜିଲା ସାଇବର କ୍ରାଇମ୍ ୟୁନିଟ୍ ଦ୍ୱାରା ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଏହି ଅଭିଯାନ ଅଧୀନରେ ସାଇବର ଠକେଇରେ ବ୍ୟବହୃତ ବେନାମୀ ବ୍ୟାଙ୍କ ଆକାଉଣ୍ଟ ଏବଂ ଏଥିରେ ସମ୍ପୃକ୍ତ ସହାୟକମାନଙ୍କୁ ଚିହ୍ନଟ କରାଯାଇ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଏପର୍ଯ୍ୟନ୍ତ ‘ଅପରେସନ୍ ସାଇବର କବଚ’ ଅନ୍ତର୍ଗତ ସମଗ୍ର ରାଜ୍ୟରେ ମୋଟ ୨୪,୫୫୫ଟି ବ୍ୟାଙ୍କ ଆକାଉଣ୍ଟ ଯାଂଚ କରାଯାଇଛି ।

ଏହା ସହ ବେନାମୀ ବ୍ୟାଙ୍କ ଆକାଉଣ୍ଟ ସମ୍ପର୍କିତ ୮୨୭ଟି ସାଇବର ମାମଲା, ଏଟିଏମ୍ ଟଙ୍କା ଉଠାଣ ସମ୍ପର୍କିତ ୩୨ଟି ନୂଆ ମାମଲା, ଚେକ୍ ଟଙ୍କା ଉଠାଣ ସମ୍ପର୍କିତ ୨୭ଟି ମାମଲା ଏବଂ ନକଲି ସିମ୍ ଓ ପିଓଏସ ଭେରିଫିକେସନ୍ ସମ୍ପର୍କିତ ୧୮ଟି ମାମଲା ରୁଜୁ ହୋଇଛି । ଏହାସହ ସମୁଦାୟ ୨୮୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ, ନୂଆ ମାମଲା ଓ ୧୭୧ଟି ପୁରୁଣା ଏଫ୍.ଆଇ.ଆର ସହ ସଂପୃକ୍ତ ସନ୍ଦିଗ୍ଧ ସହଯୋଗୀ ଓ ଆକାଉଣ୍ଟଧାରୀଙ୍କ ମଧ୍ୟରୁ ସମୁଦାୟ ୫,୩୮୦ ଜଣଙ୍କୁ ଆଇନଗତ ନୋଟିସ୍ ଜାରି କରାଯାଇଛି । ଏହି ବିଶେଷ ଅଭିଯାନରେ ରାଉରକେଲା ଜିଲା ପୋଲିସ ୨୦ଟି ବେନାମୀ ଆକାଉଣ୍ଟ ଯାଂଚ କରି ୧୦ଟି ମାମଲା ରୁଜୁ କରିଥିବା ବେଳେ ୯ ଜଣଙ୍କୁ ଆଇନଗତ ନୋଟିସ୍ ଜାରି କରିଛି । ସେହିପରି ସୁନ୍ଦରଗଡ଼ ଜିଲା ପୋଲିସ ୨୧୫ଟି ବେନାମୀ ଆକାଉଣ୍ଟ ଯାଂଚ କରି ୩ଟି ମାମଲା ରୁଜୁ କରିବା ସହ ୨ ଜଣଙ୍କୁ ନୋଟିସ୍ ଜାରି କରିଛି ।

ଭୁବନେଶ୍ୱର କମିଶନେରେଟ ପୋଲିସ ୩୦୬ଟି ବେନାମୀ ଆକାଉଣ୍ଟ ଯାଂଚ କରି ୨ଟି ମାମଲା ରୁଜୁ କରିଛି ଏବଂ ୬ ଜଣଙ୍କୁ ଆଇନଗତ ନୋଟିସ୍ ଜାରି କରିଛି । ସେହିପରି ଦେବଗଡ଼ ଜିଲ୍ଲା ପୋଲିସ ୫୩ଟି ବେନାମୀ ଆକାଉଣ୍ଟ ଯାଂଚ କରି ୧ଟି ମାମଲା ରୁଜୁ କରିବା ସହ ୨ ଜଣଙ୍କୁ ନୋଟିସ୍ ଜାରି କରିଛି । ସୁବର୍ଣ୍ଣପୁର ଜିଲ୍ଲା ପୋଲିସ ୭୯ଟି ବେନାମୀ ଆକାଉଣ୍ଟ ଯାଂଚ କରି ୧ଟି ମାମଲା ରୁଜୁ କରି ୨ ଜଣଙ୍କୁ ନୋଟିସ୍ ଜାରି କରିଛି । ସମ୍ବଲପୁର ଜିଲା ପୋଲିସ ୧୦୨ଟି ବେନାମୀ ଆକାଉଣ୍ଟ ଯାଂଚ କରି ମ୍ୟୁଲ୍ ବ୍ୟାଙ୍କ ଆକାଉଣ୍ଟ ସଂପୃକ୍ତ ୧୪ଟି ଏବଂ ନକଲି ସିମ୍ ସଂପୃକ୍ତ ୨ଟି ମାମଲା ରୁଜୁ କରିବା ସହ ୧୭ ଜଣଙ୍କୁ ନୋଟିସ୍ ଜାରି କରିଛି । ସେହିପରି ଅନୁଗୁଳ ଜିଲା ପୋଲିସ ୧୪୪ଟି ବେନାମୀ ଆକାଉଣ୍ଟ ଯାଂଚ କରି ମ୍ୟୁଲ୍ ବ୍ୟାଙ୍କ ଆକାଉଣ୍ଟ ସଂପୃକ୍ତ ୧ଟି ମାମଲା ରୁଜୁ କରିଛି ଏବଂ ୨୨ଟି ପୁରୁଣା ଏଫ୍.ଆଇ.ଆର ସଂପୃକ୍ତିରେ ୨୩ ଜଣଙ୍କୁ ନୋଟିସ୍ ଜାରି କରିଛି । ଭଦ୍ରକ ଜିଲା ପୋଲିସ ୮୮ଟି ବେନାମୀ ଆକାଉଣ୍ଟ ଯାଂଚ କରି ୧ଟି ମାମଲା ରୁଜୁ କରିଛି ।

ଝାରସୁଗୁଡ଼ା ଜିଲା ପୋଲିସ ବେନାମୀ ଆକାଉଣ୍ଟ ସଂପୃକ୍ତ ୧ଟି ମାମଲା ରୁଜୁ କରିଛି । ସେହିପରି କେନ୍ଦୁଝର ଜିଲା ପୋଲିସ ୨୦ଟି ବେନାମୀ ଆକାଉଣ୍ଟ ଯାଂଚ କରି ମ୍ୟୁଲ୍ ବ୍ୟାଙ୍କ ଆକାଉଣ୍ଟ ସଂପୃକ୍ତ ୨୮ଟି, ଏଟିଏମ୍ ଟଙ୍କା ଉଠାଣ ସଂପୃକ୍ତ ୧ଟି ଏବଂ ଚେକ୍ ଟଙ୍କା ଉଠାଣ ସଂପୃକ୍ତ ୧ଟି ମାମଲା ରୁଜୁ କରିଛି । ଏହି କ୍ରମରେ ୫ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୨୦ ଜଣଙ୍କୁ ନୋଟିସ୍ ଜାରି କରାଯାଇଛି । ଗଞ୍ଜାମ ଜିଲା ପୋଲିସ ୧୩ଟି ବେନାମୀ ଆକାଉଣ୍ଟ ଯାଂଚ କରି ୧ଟି ମାମଲା ରୁଜୁ କରିବା ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି । ପୁରୀ ଜିଲା ପୋଲିସ ୪ଟି ବେନାମୀ ଆକାଉଣ୍ଟ ଯାଂଚ କରି ୩ଟି ମାମଲା ରୁଜୁ କରିଛି ଏବଂ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେହିପରି କଟକ କମିଶନରେଟ ପୋଲିସ ୯୧ଟି ବେନାମୀ ଆକାଉଣ୍ଟ ଯାଂଚ କରି ୧୩ ଜଣଙ୍କୁ ନୋଟିସ୍ ଜାରି କରିଛି । କନ୍ଧମାଳ ଜିଲା ପୋଲିସ ୧୨ଟି ବେନାମୀ ଆକାଉଣ୍ଟ ଯାଂଚ କରି ୧୬ ଜଣଙ୍କୁ ନୋଟିସ୍ ଜାରି କରିଛି ।

ବ୍ରହ୍ମପୁର ଜିଲା ପୋଲିସ ୨୪୫ଟି ବେନାମୀ ଆକାଉଣ୍ଟ ଯାଂଚ କରି ଗୋଟିଏ ପୁରୁଣା ଏଫ୍.ଆଇ.ଆର ଆଧାରରେ ୨୬୫ ଜଣଙ୍କୁ ନୋଟିସ୍ ଜାରି କରିଛି । ସେହିପରି ବୌଦ୍ଧ ଜିଲା ପୋଲିସ ୫୬ଟି ବେନାମୀ ଆକାଉଣ୍ଟ ଯାଂଚ କରି ୫୬ ଜଣଙ୍କୁ ନୋଟିସ୍ ଜାରି କରିଛି । ମାଲକାନଗିରି ଜିଲା ପୋଲିସ ୮ଟି ବେନାମୀ ଆକାଉଣ୍ଟ ଯାଂଚ କରି ଗୋଟିଏ ପୁରୁଣା ଏଫ୍.ଆଇ.ଆର ମାମଲାରେ ୨ ଜଣଙ୍କୁ ଗିରଫ କରିବା ସହ ୬ ଜଣଙ୍କୁ ନୋଟିସ୍ ଜାରି କରିଛି । କଳାହାଣ୍ଡି ଜିଲା ପୋଲିସ ୧୧ଟି ବେନାମୀ ଆକାଉଣ୍ଟ ଯାଂଚ କରି ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଏବଂ ୪ ଜଣଙ୍କୁ ନୋଟିସ୍ ଜାରି କରିଛି ।

ଏତଦ୍ ବ୍ୟତୀତ କଟକ ଗ୍ରାମାଂଚଳ (୪ଟି), ଜଗତସିଂହପୁର (୩ଟି), ଯାଜପୁର (୧୭୭ଟି), କେନ୍ଦ୍ରାପଡ଼ା (୪ଟି), ନୂଆପଡ଼ା (୨ଟି), ବଲାଙ୍ଗିର (୧୨୯ଟି), ବାଲେଶ୍ୱର (୧୯୭ଟି) ଏବଂ ଢେଙ୍କାନାଳ (୪୨ଟି) ଜିଲା ପୋଲିସ ପକ୍ଷରୁ ବେନାମୀ ଆକାଉଣ୍ଟ ଗୁଡ଼ିକର ଯାଂଚ କରାଯାଇଛି । ସେହିପରି ନୟାଗଡ଼ ଜିଲା ପୋଲିସ ୩୬ଟି ଆକାଉଣ୍ଟ ଯାଂଚ କରି ୨୦ ଜଣଙ୍କୁ ଏବଂ ମୟୂରଭଞ୍ଜ ଜିଲା ପୋଲିସ ୩୯ଟି ଆକାଉଣ୍ଟ ଯାଂଚ କରି ୩୫ ଜଣଙ୍କୁ ଆଇନଗତ ନୋଟିସ୍ ଜାରି କରିଛି । ରାଜ୍ୟବାସୀଙ୍କ ଡିଜିଟାଲ କାରବାରର ସୁରକ୍ଷା ପାଇଁ ଓଡ଼ିଶା ପୋଲିସ ସର୍ବଦା ପ୍ରତିଶ୍ରୁତିବଦ୍ଧ । ସାଇବର ଅପରାଧ ମୁକ୍ତ ଓଡ଼ିଶା ଗଠନ ପାଇଁ ଏହି ଅଭିଯାନ ଆଗାମୀ ଦିନରେ ଆହୁରି କଡ଼ାକଡ଼ି ହେବ ବୋଲି ଡିଜିପି ଶ୍ରୀ ଖୁରାନିଆ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *