ଦୁଇ ଆନ୍ତରାଜ୍ୟ ଡ଼କାୟତ ସଚିନ ଗେଜେଗେ ଓ ପ୍ରକାଶ ମାଦନେ ଏନ୍କାଉଣ୍ଟର ରେ ଆହତ, ଅନ୍ୟ ୨ଅଭିଯୁକ୍ତ ଗିରଫ ,ଦୁଇଟି ବନ୍ଧୁକ, ଗୁଳି ଓ ଅପରାଧରେ ବ୍ୟବହୃତ ଗାଡ଼ି ଜବତ
ନିଜକୁ ପୋଲିସ ସ୍ପେଶାଲ ଫୋର୍ସର ସଦସ୍ୟ ବୋଲି ପରିଚୟ ଦେଇ ତାଳଚେରର ଏକ ସୁନା ରିଫାଇନେରୀ ଦୋକାନରେ ପ୍ରବେଶ କରିଥିଲେ
ସୁନା ଲୁଟି ନେବା ସହ ଜଣେ ବ୍ୟକ୍ତିଙ୍କୁ ଅପହରଣ କରି ନେଇଥିଲେ
ତାଳଚେର,୧୮/୦୬/୨୦୨୬ (ଓଡ଼ିଶା ସମାଚାର)- ତାଳଚେରରେ ଏକ ସୁନା ରିଫାଇନେରୀ ଦୋକାନରେ ଫିଲ୍ମ ଷ୍ଟାଇଲରେ ଲୁଟ୍ ଘଟଣା ପରେ ଅନୁଗୋଳ ପୋଲିସ ତୁରନ୍ତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରି ଦୁଇ ଲୁଟ୍ ଅପରାଧୀଙ୍କୁ ଏନ୍କାଉଣ୍ଟର କରିଥିବା ଜଣାପଡ଼ିଛି । ତାଳଚେରର ହାଟାଟୋଟାସ୍ଥିତ ବାଲାଜୀ ସୁନା ରିଫାଇନାରୀରେ ଅଭିଯୁକ୍ତମାନେ ବନ୍ଧୁକ ଦେଖାଇ ଜଣେ କର୍ମଚାରୀଙ୍କୁ ଅପହରଣ କରିଥିଲେ ଓ ୬୦ ଗ୍ରାମ ସୁନା ଅଳଙ୍କାର ଏବଂ ୭୦୦ ଗ୍ରାମ ରୂପା ଅଳଙ୍କାର ଲୁଟି ନେଇଥିଲେ। ଗୁଳିମାଡ଼ ପରେ ଦୁଇ ଅଭିଯୁକ୍ତଙ୍କୁ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁଯାୟୀ, ବୁଧବାର ସନ୍ଧ୍ୟାରେ କିଛି ଦୁର୍ବୃତ୍ତ ନିଜକୁ ପୋଲିସ ସ୍ପେଶାଲ ଫୋର୍ସର ସଦସ୍ୟ ବୋଲି ପରିଚୟ ଦେଇ ତାଳଚେରର ହାଟାଟୋଟାସ୍ଥିତ ବାଲାଜୀ ସୁନା ରିଫାଇନାରୀରେ ଦୋକାନରେ ପ୍ରବେଶ କରିଥିଲେ । ପରେ ସେମାନେ ସେଠାରୁ ସୁନା ଲୁଟି ନେବା ସହ ଜଣେ ବ୍ୟକ୍ତିଙ୍କୁ ଅପହରଣ କରି ନେଇଥିଲେ। ତେବେ କିଛି ଦୂର ଯିବା ପରେ ତାଙ୍କୁ ରାସ୍ତାରେ ଛାଡ଼ି ଦେଇ ଫେରାର ହୋଇଯାଇଥିଲେ। ଘଟଣା ସମ୍ପର୍କରେ ଖବର ପାଇବା ପରେ ଅନୁଗୋଳ ଓ ତାଳଚେର ପୋଲିସ ପକ୍ଷରୁ ଜିଲାର ବିଭିନ୍ନ ସ୍ଥାନରେ ନାକାବନ୍ଦୀ କରାଯାଇଥିଲା। ସିସିଟିଭି ଫୁଟେଜ୍ ଯାଞ୍ଚ କରିବା ପରେ ଅଭିଯୁକ୍ତମାନେ ସମ୍ବଲପୁର ଅଭିମୁଖେ ପଳାଇଥିବା ସନ୍ଦେହ ହୋଇଥିଲା। ଏହାପରେ ସମସ୍ତ ଥାନା ଓ ଚେକିଂ ପଏଣ୍ଟକୁ ସତର୍କ କରାଯାଇଥିଲା। ଅନୁଗୁଳ ପୁଲିସ ଅଧିକ୍ଷକଙ୍କ ତତ୍ତ୍ୱାବଧାନରେ ପାଞ୍ଚଟି ସ୍ୱତନ୍ତ୍ର ଦଳ ଗଠନ କରାଯାଇଥିଲା। ତଦନ୍ତ ସମୟରେ, ବିଭିନ୍ନ ସ୍ଥାନରୁ ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଇଥିଲା । ମିଳିଥିବା ସୁରାକ ଉପରେ ଆଧାର କରି ସନ୍ଦିଗ୍ଧ ଗାଡ଼ିଟିକୁ ପୁଲିସ ଦଳ ଦ୍ୱାରା ଚିହ୍ନଟ କରାଯାଇଥିଲା। ପରେ ପିଛା କରାଯାଇଥିଲା।ପରେ ଘଐ-୫୫ ରେ ସମ୍ବଲପୁର ଅଭିମୁଖେ ଯାଉଥିବା ଗାଡ଼ିଟି ଲକ୍ଷ୍ୟ କରାଯାଇଥିଲା। ସେହି ସମୟରେ ଜିଲ୍ଲାର ସମସ୍ତ ଥାନାକୁ ସତର୍କ କରାଯାଇଥିଲା ଏବଂ ବିଭିନ୍ନ ସ୍ଥାନରେ ନାକା କରାଯାଇ ଯାଞ୍ଚ ହୋଇଥିଲା।
ବିଳମ୍ବିତ ରାତି ପ୍ରାୟ ୩ଟା ବେଳକୁ ହଣ୍ଡପା ଥାନା ଅଞ୍ଚଳରେ ଏନ୍ଏଚ୍-୫୫ରେ ଚେକିଂ ଚାଲିଥିବାବେଳେ ଅଭିଯୁକ୍ତମାନେ ପୋଲିସକୁ ଦେଖି ଜଙ୍ଗଲ ରାସ୍ତା ଦେଇ ଖସି ପଳାଇବାକୁ ଉଦ୍ୟମ କରିଥିଲେ । ସେମାନଙ୍କୁ ପୋଲିସ ପିଛା କରିବାରୁ ସେମାନେ ପୋଲିସ ଉପରକୁ ଗୁଳି ଚଳାଇ ଖସିଯିବାକୁ ଉଦ୍ୟମ କରିଥିଲେ। ପୋଲିସ ଆତ୍ମରକ୍ଷା ପାଇଁ ଗୁଳି ଚଳାଇଥିଲା। ଏଥିରେ ସଚିନ ଗେଜେଗେ ଓ ପ୍ରକାଶ ମାଦନେ ନାମକ ଦୁଇ ଅଭିଯୁକ୍ତଙ୍କ ଗୋଡ଼ରେ ଗୁଳି ବାଜିଥିଲା। ଘଟଣାସ୍ଥଳରୁ ପୋଲିସ ଦୁଇଟି ବନ୍ଧୁକ, ଗୁଳି ଓ ଅପରାଧରେ ବ୍ୟବହୃତ ଗାଡ଼ି ଜବତ କରିଛି । ପ୍ରାୟ ସମ୍ପୂର୍ଣ୍ଣ ଲୁଟ ହୋଇଥିବା ସୁନା ଏବଂ ରୂପା ଅଳଙ୍କାର ଉଦ୍ଧାର ଏବଂ ଜବତ କରାଯାଇଥିଲା। ପ୍ରାଥମିକ ତଦନ୍ତରୁ ସମସ୍ତ ଅଭିଯୁକ୍ତ ମହାରାଷ୍ଟ୍ରର ବୋଲି ଜଣାପଡ଼ିଥିବା ବେଳେ ଗାଡ଼ିରେ ଲାଗିଥିବା ନମ୍ବର ପ୍ଲେଟ୍ ମଧ୍ୟ ନକଲି ବୋଲି ପୋଲିସ ସୂଚନା ଦେଇଛି। ଘଟଣାରେ ସମ୍ପୃକ୍ତ ଅନ୍ୟ ଆଉ ୨ଅଭିଯୁକ୍ତଙ୍କୁ ଗିରଫ କରିଛି ।
