କଟକ,୧୭/୧୦/୨୦୨୬(ଓଡ଼ିଶା ସମାଚାର)- ଓଡ଼ିଶା ଭିଜିଲାନ୍ସ ଦ୍ବାରା ବିଳମ୍ବିତ ରାତିର ଅପରେସନରେ ପୂର୍ତ୍ତ ବିଭାଗର ଅଧିକ୍ଷଣ ଯନ୍ତ୍ରୀଙ୍କ ଠାରୁ ୨୧ଲକ୍ଷ ୮୮ହଜାର ୬୨୦ ଟଙ୍କା ନଗଦ ଜବତ।

ବିଭିନ୍ନ ଠିକାଦାରଙ୍କ ଠାରୁ ଲାଞ୍ଚ ଆଦାୟ କରୁଥିବା ନେଇ ଏକ ଗୁପ୍ତ ସୂଚନା ଆଧାରରେ, ମହାନଦୀ ଉତ୍ତର ଡିଭିଜନ (ଜଗତପୁର, କଟକ)ର ସୁପରିଣ୍ଟେଣ୍ଡିଂ ଇଞ୍ଜିନିୟର ଶ୍ରୀ ପ୍ରସନ୍ନଜିତ ଦାସଙ୍କୁ ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱରର ଏଜି ଛକ ନିକଟରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଅଟକା ଯାଇଥିଲା। ସେ ନିଜର ସରକାରୀ ଭାବେ ଭଡ଼ାରେ ନେଇଥିବା ବୋଲେରୋ ଗାଡ଼ିରେ ଯାତ୍ରା କରୁଥିବା ବେଳେ ତାଙ୍କ ପାଖରୁ ୭ଲକ୍ଷ ୨୮ହଜାର ୬୨୦ ଟଙ୍କାର ହିସାବ ବର୍ହିଭୂତ ତଥା ସନ୍ଦେହଜନକ ଅସାଧୁ ଉପାୟରେ ଅର୍ଜିତ ନଗଦ ଟଙ୍କା ମିଳିଥିଲା।
ତାଙ୍କୁ ଅଟକ ରଖାଯିବା ପରେ, ଆଜି ସକାଳୁ ଭୁବନେଶ୍ୱରର ଘାଟିକିଆସ୍ଥିତ ଟ୍ରାଇଡେଣ୍ଟ ଗାଲାକ୍ସିର ଫ୍ଲାଟ ନମ୍ବର D-401 ରେ ଥିବା ତାଙ୍କ ଭଡ଼ା ଘର ଏବଂ ବରଗଡ଼ରେ ଥିବା ପୈତୃକ ଘରେ ଏକ ସମୟରେ ଚଢ଼ାଉ କରାଯାଇଥିଲା। ତାଙ୍କ ଭଡ଼ା ଫ୍ଲାଟ୍ ଯାଞ୍ଚ ବେଳେ ସେଠାରୁ ଅଧିକ ୧୪ଲକ୍ଷ ୬୦ହଜାର ଟଙ୍କା ନଗଦ ଜଵତ କରାଯାଇଛି।ସୁପରିଣ୍ଟେଣ୍ଡିଂ ଇଞ୍ଜିନିୟର ଶ୍ରୀ ଦାସ ଏହିପରି ବିପୁଳ ପରିମାଣର ୨୧ଲକ୍ଷ ୮୮ହଜାର ୬୨୦ ଟଙ୍କାର ସନ୍ତୋଷଜନକ ହିସାବ ଦେଇ ନପାରିବାରୁ ଏହାକୁ ଜବତ କରାଯାଇଛି। ଅଧିକ ତଦନ୍ତ ପାଇଁ ତାଙ୍କୁ ଅଟକ ରଖାଯାଇଛି ଏବଂ ନଗଦ ଟଙ୍କାର ଉତ୍ସ ଜାଣିବା ପାଇଁ ତାଙ୍କୁ ଅଧିକ ପଚରାଉଚରା କରାଯାଉଥିବା ଜଣାପଡିଛି।
