ପୁରୀ,୨୪/୦୬/୨୦୨୬ (ଓଡ଼ିଶା ସମାଚାର)- ମଙ୍ଗଳବାର ବିଳମ୍ବିତ ରାତିରେ ପୁରୀରେ ଏକ ହତ୍ୟାକାଣ୍ଡ ଘଟିଛି। ବଳିଆପଣ୍ଡା ଥାନା ଅଞ୍ଚଳରେ ଜଣେ ହୋଟେଲ ମାଲିକଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଛି। ବଳିଆପଣ୍ଡା ଅଞ୍ଚଳର ‘ମନୋରମା’ ହୋଟେଲର ମାଲିକ ପବିତ୍ର ନାୟକ ଙ୍କୁ ହତ୍ୟା କରାଯାଇଛି। ବଳିଆପଣ୍ଡା ଥାନା ପୋଲିସ ମୃତଦେହକୁ ଜବତ କରି ତଦନ୍ତ ଜାରି ରଖିଛି। ତେବେ ଏହି ହତ୍ୟା କାଣ୍ଡର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଚନ୍ଦନ କୁମାର ପଲାରଙ୍କୁ ପୋଲିସ ଏନକାଉଣ୍ଟର କରିଛି। ପୋଲିସ ଏବଂ ଅଭିଯୁକ୍ତ ଚନ୍ଦନ ମୁହାଁମୁହିଁ ହୋଇଥିଲେ। ଏନକାଉଣ୍ଟରରେ ଆହତ ଅଭିଯୁକ୍ତ ଚନ୍ଦନ ଙ୍କୁ ପୁରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
ଅଭିଯୁକ୍ତ ଚନ୍ଦନ ର ଘର ପୁରୀ ଚକ୍ରତୀର୍ଥ ରୋଡ୍ ଅଞ୍ଚଳରେ । ଗତକାଲି ବିଳମ୍ବିତ ରାତିରେ ହତ୍ୟାକାଣ୍ଡ ଘଟାଇବା ପରେ ସେ ଫେରାର ହେବାକୁ ଚେଷ୍ଟା କରୁଥିଲା । ତେବେ ବଳିଆପଣ୍ଡା ପୁଲିସ ତାକୁ ଗୋଡ଼ାଇଥିବା ବେଳେ ମତାମଠ ନିକଟସ୍ଥ ଜଙ୍ଗଲରେ ଅଭିଯୁକ୍ତ ଏବଂ ପୁଲିସ ମଧ୍ୟରେ ସାମ୍ନାସାମ୍ନି ହୋଇଥିଲା । ସେଠାରୁ ଚନ୍ଦନ ଖସିଯିବାକୁ ଚେଷ୍ଟା କରୁଥିବା ବେଳେ ପୁଲିସ ତାକୁ ଲକ୍ଷ୍ୟ କରି ଗୁଳି ଚଳାଇଥିଲା । ଚନ୍ଦନର ବାମ ଗୋଡ଼ରେ ଗୁଳି ବାଜିବା ଫଳରେ ସେ ସେ ତଳେ ପଡ଼ିଯାଇଥିଲା । ପରେ ପୁଲିସ ତାକୁ କାବୁ କରି ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରିଥିଲା ।
