ଜିଲ୍ଲାରେ ଅର୍ଦ୍ଧେକରୁ ଅଧିକ ମତଦାତାଙ୍କୁ ଏସଆଇଆର୍ ଫର୍ମ ବଣ୍ଟନ ଶେଷ

ଜଗତସିଂହପୁର,୦୮/୦୬/୨୦୨୬ (ଓଡ଼ିଶା ସମାଚାର)-ଜଗତସିଂହପୁର ଜିଲ୍ଲାରେ ଚଳିତ ବର୍ଷ ମଇ ୩୦ ତାରିଖରୁ ଆରମ୍ଭ ହୋଇଛି ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା। ଜିଲ୍ଲାରେ ନିୟୋଜିତ ଥିବା ବ୍ଲକ ସ୍ତରୀୟ ଅଧିକାରୀ (ବିଏଲଓ) ମାନେ ଏବଂ ରାଜନୈତିକ ଦଳ ପକ୍ଷରୁ ନିୟୋଜିତ ବୁଥ ସ୍ତରୀୟ ଏଜେଣ୍ଟ, ସ୍ୱେଛାସେବୀମାନେ ଘରକୁ ଘର ପରିଦର୍ଶନ କରି ମତଦାତାଙ୍କୁ ପରିଗଣନା ଫର୍ମ ବଣ୍ଟନ କରୁଛନ୍ତି। ଜନସାଧାରଣଙ୍କୁ ଫର୍ମ ପୂରଣରେ ବିଏଲଓ ମାନେ ସହଯୋଗ କରୁଛନ୍ତି। ଜିଲ୍ଲାରେ ମୋଟ ୯,୬୪,୩୦୧ ଜଣ ଭୋଟର ଅଛନ୍ତି।

ଏହି ପରିପ୍ରେକ୍ଷୀରେ ୮ ଜୁନ୍ ୨୦୨୬ ସୁଦ୍ଧା  ଜିଲ୍ଲାରେ ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ମୋଟ ୬,୪୯,୬୫୮ ପରିଗଣନା ଫର୍ମ ବଣ୍ଟନ କରାଯାଇଛି। ଏବେ ସୁଦ୍ଧା ୬୭.୩୭ ପ୍ରତିଶତ ମତଦାତାଙ୍କ ଫର୍ମ ବଣ୍ଟନ ହୋଇ ଏସଆଇଆର୍ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି। ୧୦୧ ପାରାଦ୍ଵୀପ ରେ ୧୫୧୪୫୮(୬୯.୦୯%) , ୧୦୨ ତିର୍ତ୍ତୋଲ ରେ ୧୭୫୯୪୫(୬୯.୪୩%) , ୧୦୩ ବାଲିକୁଦା ଏରସମା ରେ ୧୬୧୨୭୪(୫୯.୪୫%) , ୧୦୪ ଜଗତସିଂହପୁର ରେ ୧୬୦୯୮୧(୭୩.୦୫%), ଟି ଫର୍ମ ବିଏଲଓମାନଙ୍କ ଦ୍ଵାରା ବଣ୍ଟନ କରାଯାଇଛି ବୋଲି ନିର୍ବାଚନ ବିଭାଗ ଡେପୁଟି କଲେକ୍ଟର ପ୍ରଶାନ୍ତ କୁମାର ସେଠୀ ସୂଚନା ଦେଇଛନ୍ତି।

ଯେଉଁ ଯୋଗ୍ୟ ନାଗରିକମାନେ ଏପର୍ଯ୍ୟନ୍ତ ନିଜର ପରିଗଣନା ଫର୍ମ ବୁଥ୍ ସ୍ତରୀୟ ଅଧିକାରୀଙ୍କ ପାଖରେ ଦାଖଲ କରିନାହାନ୍ତି, ସେମାନେ ତୁରନ୍ତ ଏହାକୁ ଜମା କରିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଜେ ସୋନାଲ ଏବଂ ନିର୍ବାଚନ ପଞ୍ଜୀକରଣ ଅଧିକାରୀମାନଙ୍କ ତତ୍ତ୍ୱାବଧାନରେ ଜୁନ୍ ୨୮ ଯାଏଁ ଏହି ଫର୍ମ ପୂରଣ ପ୍ରକ୍ରିୟା ଚାଲିବ। ଏହା ପରେ ୫ ଜୁଲାଇ ୨୦୨୬ ତାରିଖରେ ଚିଠା ଭୋଟର ତାଲିକା ପ୍ରକାଶ ହେବ। ଭୋଟର ତାଲିକାକୁ ନିର୍ଭୁଲ ଏବଂ ପାରଦର୍ଶୀ କରିବା ଉଦ୍ଦେଶ୍ୟରେ ଏହି ଏସଆଇଆର୍ ପ୍ରକ୍ରିୟା ଆରମ୍ଭ ହୋଇଛି।  ଏହାବ୍ୟତୀତ ଭୋଟରମାନେ ଚାହିଁଲେ ନିର୍ବାଚନ କମିଶନଙ୍କ ସରକାରୀ ୱେବସାଇଟ୍ (voters.eci.gov.in) ରୁ ଏହି ଫର୍ମ ଡାଉନଲୋଡ୍ କରି, ତଥ୍ୟ ପୂରଣ କରି ନିଜେ ମଧ୍ୟ ଅପଲୋଡ୍ କରିପାରିବେ।

 

 

Leave a Reply

Your email address will not be published. Required fields are marked *