ଶତାବ୍ଦୀ ଶତକଣ୍ଠ ଗାୟନ କାର୍ଯ୍ୟକ୍ରମ: “ସ୍ଵର ସଙ୍ଗମ”

କଟକ,୨୮/୧୦/୨୦୨୬(ଓଡ଼ିଶା ସମାଚାର/ ଦେବାଶିଷ ରଥ)- ସଂଘ ଶତାବ୍ଦୀ ବର୍ଷ ଅବସରରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ, କଟକ ବିଭାଗ ତରଫରୁ ଶତାବ୍ଦୀ ଶତକଣ୍ଠ ଗାୟନ କାର୍ଯ୍ୟକ୍ରମ: “ସ୍ଵର ସଙ୍ଗମ” କଟକସ୍ଥିତ ସାରଳା ଭବନଠାରେ ଆୟୋଜନ କରାଯାଇଥିଲା । ଏଥିରେ କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାର ଶହେ ଜଣ ସ୍ଵୟଂସେବକ ୧୦୦ରୁ ଅଧିକ ଦେଶଭକ୍ତି ଗୀତ ବ୍ୟକ୍ତିଗତ ଭାବେ ବିଭିନ୍ନ ତାଳରେ ବାଦ୍ୟଯନ୍ତ୍ର ସହ ଗାଇବା ସହ ଅନେକ ସାମୁହିକ ଗୀତ ମଧ୍ୟ ଗାଇଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗୀତିକାର ଦିଲ୍ଲିପ କୁମାର ଜେନା, ଅଧ୍ୟକ୍ଷ ରୂପେ ବିଭାଗ ସଂଘଚାଳକ ଡ. ଗୌତମ ମହାରଣା ଓ  ମୁଖ୍ୟବକ୍ତା ଭାବେ  ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ, ଓଡ଼ିଶା ପୂର୍ବ ପ୍ରାନ୍ତର ପ୍ରାନ୍ତ କାର୍ଯ୍ୟବାହ ଡ. ଅନିଲ କୁମାର ମିଶ୍ର ଯୋଗ ଦେଇଥିଲେ ।

ସହ ପ୍ରାନ୍ତ ପ୍ରଚାରକ ଅସିତ୍ କୁମାର ସାହୁ ଓ ସହ ପ୍ରାନ୍ତ ବୌଦ୍ଧିକ ପ୍ରଶିକ୍ଷଣ ପ୍ରମୁଖ ବିଶ୍ଵମ୍ଭର ପାଣି ମଧ୍ୟ ଯୋଗଦେଇଥିଲେ ।  ମୁଖ୍ୟଅତିଥି ଶ୍ରୀଯୁକ୍ତ ଜେନା- “ସଙ୍ଗୀତ ଏକ ନୈସର୍ଗିକ ବିଭବ, ବେଦର ଅଂଶ ବିଶେଷ, ପ୍ରକୃତିଠାରୁ ଆରମ୍ଭ କରି ଜୀବଜଗତର ସମସ୍ତ ପ୍ରାଣୀମାନଙ୍କ ଜୀବନଙ୍କୁ  ସରସ ସୁନ୍ଦର ଓ ମଧୁମୟ କରି ଗଢି ତୋଳିବାର ଇଶ୍ଵରଙ୍କର ଏକ ଅନବଦ୍ୟ ସୃଷ୍ଟି “ ବୋଲି ନିଜ ବକ୍ତବ୍ୟରେ କହିଥିଲେ । ସେହିଭଳି ଭାବେ ମୁଖ୍ୟବକ୍ତା ଡ. ମିଶ୍ର -“ସଙ୍ଗୀତ କେବଳ ମନୋରଞ୍ଜନ କରେ ନାହିଁ  । ଏହା ସଂସ୍କାର, ଧ୍ୟାନ, ଶାରୀରିକ ଓ ମାନସିକ ଶକ୍ତି ପ୍ରଦାନରେ ସହଯୋଗ କରିଥାଏ ।

ସଙ୍ଗୀତର ଭାଷାକୁ ଦୁନିଆର ସମସ୍ତ ବ୍ୟକ୍ତି ବୁଝି ପାରନ୍ତି । ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘରେ ଗୀତ ଗାଇବା କେବଳ ଏକ ପରମ୍ପରା ନୁହେଁ , ଏକ ପ୍ରଭାବଶାଳୀ ମନୋବିଜ୍ଞାନ ଏବଂ ସାଂସ୍କୃତିକ ପ୍ରକ୍ରିୟା । ସ୍ଵୟଂସେବକର ମନ – ମସ୍ତିଷ୍କକୁ ଅନୁଶାସନ , ରାଷ୍ଟ୍ରପ୍ରେମ, ତ୍ୟାଗ ଓ ଆତ୍ମ ସଂପୋଷଣ ଦିଗରେ ପ୍ରବୃତ କରିଥାଏ । ଶାଖାରେ ବୋଲାଯାଉଥିବା ଗୀତ ସଙ୍ଗଠନକୁ ଶକ୍ତି ପ୍ରଦାନ କରିଥାଏ ଓ ସମାଜରେ ଏକତା ଭାବନାକୁ ଜାଗ୍ରତ କରିଥାଏ । ଗୀତ ମାଧ୍ୟମରେ ସ୍ଵୟଂସେବକର ମାତୃଭୂମି ପ୍ରତି ପ୍ରେମ ଏବଂ ସମର୍ପଣର ଭାବନା ବୃଦ୍ଧି ହୋଇଥାଏ । ଗୀତର ସ୍ଵର, ଲୟବଦ୍ଧତା ସ୍ଵୟଂସେବକର ଅବଚେତନ ମନକୁ ଗଭୀର ଭାବରେ ପ୍ରଭାବିତ କରି ମାନସିକ ଅନୁଶାସନକୁ ଅଧିକ ମଜଭୁତ କରିଥାଏ” ବୋଲି ନିଜର ବୌଦ୍ଧିକରେ କହିଥିଲେ ।

ବିଭାଗ କାର୍ଯ୍ୟବାହ ଶ୍ରୀମାନ ଶରତ ଚନ୍ଦ୍ର ସେନ୍ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଉପସ୍ଥାପନ କରିଥିଲେ । ବିଭାଗ ବୌଦ୍ଧିକ ପ୍ରଶିକ୍ଷଣ ପ୍ରମୁଖ ବିଜୟ କୁମାର ନାୟକ ମଞ୍ଚ ପରିଚାଳନା କରିଥିଲେ । ଇତ୍ୟବସରରେ ଜାତୀୟବାଦୀ କବି ତଥା ଲେଖକ ବିପିନ ବିହାରୀ ରାଉତଙ୍କୁ ତାଙ୍କର ପ୍ରତିଭା ପାଇଁ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ କଟକ ବିଭାଗର ସମସ୍ତ କାର୍ଯ୍ୟକର୍ତ୍ତାମାନେ ପ୍ରୟାସ କରିଥିଲେ ।

Leave a Reply

Your email address will not be published. Required fields are marked *