ରାଜ୍ୟ ହସ୍ତଶିଳ୍ପ ପୁରସ୍କାର ଦୌଡ଼ରେ ସୁଶାନ୍ତଙ୍କ ଶ୍ରୀମନ୍ଦିର

* ବର୍ଜ୍ୟବସ୍ତୁ ନଡ଼ା ଓ ପଟି ରେ ଅନନ୍ୟ କଳାକୃତି

* ନିଜ ହାତର ଯାଦୁରେ ତିଆରି କରିଛନ୍ତି ଶତାଧିକ ମନ୍ଦିର , ଅଟ୍ଟାଳିକା ଓ ସୌଖିନ ସାମଗ୍ରୀ

ମାହାଙ୍ଗା,୨୯/୧୦/୨୦୨୬(ଓଡ଼ିଶା ସମାଚାର /ଅଜୟ ମହାନ୍ତି )- ଅଦରକାରୀ ସାମଗ୍ରୀ କାଗଜ ପଟି ଓ ଧାନ ଗଛର ଶୁଖିଲା କୁଟା ବା ନଡ଼ା ଯାହାକୁ କି ଆମେ ବର୍ଜ୍ୟ ବସ୍ତୁ ଭାବରେ ଫିଙ୍ଗି ଦେଇଥାଉ , ସେଗୁଡିକୁ ଯତ୍ନର ସହ ଏକାଠି କରି ଅଠା ଦ୍ଵାରା ନିଜ ହାତର ଯାଦୁରେ ସୁଶାନ୍ତ ସୃଷ୍ଟି କରନ୍ତି ଗୋଟିଏ ପରେ ଗୋଟିଏ ଅନନ୍ୟ ହସ୍ତ କଳାକୃତି।

ଯେଉଁ କଳାକୃତିକୁ ଦେଖିଲେ ବାଟରେ ଯାଉଥିବା ଲୋକ ମଧ୍ୟ ନିଜ କାମ ଧନ୍ଦା ଭୁଲିଯାଇ ବେଶ କିଛି କ୍ଷଣ ପାଇଁ ସେଠାରେ ଅଟକି ଯାଇ ସେହି କଳାକୃତିର ସୋନ୍ଦର୍ଯ୍ୟରେ ବିଭୋର ହୋଇ ଯାଉଛନ୍ତି। ଆଉ ତାଙ୍କର ଅନ୍ତରାତ୍ମାରୁ ସ୍ୱତସ୍ପୂର୍ତ୍ତ ଭାବରେ ବାହାରିପଡେ ବାଃ !

   ଏହିଭଳି ଭାବରେ ବାଃ ବାଃ ସାଉଁଟି ଶତମୁଖରେ ପ୍ରଶଂସିତ ସୁଶାନ୍ତଙ୍କର ଅନେକ କଳାକୃତି ମଧ୍ୟ ରୁ ଏକ ସ୍ବତନ୍ତ୍ର କଳାକୃତି  “ଶ୍ରୀମନ୍ଦିର” ବର୍ତ୍ତମାନ ରାଜ୍ୟ ହସ୍ତଶିଳ୍ପ ପୁରସ୍କାର ଦୌଡ଼ରେ ସାମିଲ ହୋଇଥିବାରୁ ସେ ବେଶ୍ ଖୁସି ବ୍ୟକ୍ତ କରିଛନ୍ତି।

   ପଟ୍ଟଚିତ୍ର, ତାଳପତ୍ର ଖୋଦେଇ, କାଠ ଖୋଦେଇ, ପଥର ଖୋଦେଇ, ଟେରାକୋଟା, ମାଟି କଣ୍ଢେଇ, ଲାଖ କାରିଗରୀ, ନଡିଆକତା ଶିଳ୍ପ, କଂସା ଓ ପିତ୍ତଳ ଆଦି ଶିଳ୍ପ ଆଦି କ୍ଷେତ୍ରରେ ହସ୍ତକଳା ଶିଳ୍ପୀ ମାନଙ୍କୁ ଉଲ୍ଲେଖନୀୟ ଡିଜାଇନ୍ ଏବଂ ନୂତନତ୍ବ ପାଇଁ ପୁରସ୍କାର ଓ ମାନପତ୍ର ଆଦି ପ୍ରଦାନ କରାଯାଇ ସମ୍ମାନିତ କରାଯାଉଥିବା ବେଳେଚଳିତ ବର୍ଷ ସୁଶାନ୍ତଙ୍କ ନିଜ ହାତର ଯାଦୁରେ ସୃଷ୍ଟି “ଶ୍ରୀମନ୍ଦିର” ଏହି ରାଜ୍ୟ ସ୍ତରୀୟ ପୁରସ୍କାର ଦୌଡ଼ରେ ସାମିଲ ହୋଇଛି ବୋଲି ସେ ପ୍ରକାଶ କରିଛନ୍ତି।

ନଡ଼ା, ପଟି ଓ ଅଠାରେ ପର୍ଯ୍ୟାୟ କ୍ରମେ ନିର୍ମିତ ଏହି “ଶ୍ରୀମନ୍ଦିର” ତିଆରି କରିବାକୁ ତାଙ୍କୁ  ୧ ମାସ ୨୮ ଦିନ ଲାଗିଛି ବୋଲି ସେ ପ୍ରକାଶ କରିଛନ୍ତି। ଏହି ୧ ମାସ ୨୮ ଦିନ  ମଧ୍ୟରେ ଓଡ଼ିଶା ସରକାରଙ୍କ ହସ୍ତତନ୍ତ,ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଅଧିକାରୀ ଓ କର୍ମଚାରୀ ମାନେ ୫ ଥର ଆସି ପର୍ଯ୍ୟାୟ କ୍ରମେ ନିର୍ମିତ ଏହି କଳାକୃତିକୁ ପର୍ଯ୍ୟବେକ୍ଷଣ କରିଥିଲେ ବୋଲି ସୁଶାନ୍ତ କହିଛନ୍ତି। ‘ ସେମାନେ ଯୋଉ ପର୍ଯ୍ୟନ୍ତ ଗଢ଼ିବାକୁ କହିକି ଯାଆନ୍ତି , ମୁଁ ସେଇ ପର୍ଯ୍ୟନ୍ତ ଗଢେ ଓ ସେମାନେ ପୁଣି ଦେଖିସାରି ଯେଉ ପର୍ଯ୍ୟନ୍ତ କୁହନ୍ତି ସେମିତି ଗଢି ଗଢି ଯାଏ’। ଏହି ଭଳି ଭାବେ ସେମାନେ ମୋ ଘରକୁ ୫ ଥର ଆସିକି ଦେଖିଲା ପରେ କଳାକୃତି ଟିକୁ ସାଙ୍ଗରେ ନେଇ ଯାଇଛନ୍ତି।

  ସାଙ୍ଗରେ ନେଇଯାଇଥିବା କଳାକୃତି ଟିକୁ ସେମାନେ ଜିଲ୍ଲା ସ୍ତରରେ ଦାଖଲ କରିଥିଲେ ଓ ସେଠାରୁ (ଜିଲ୍ଲାସ୍ତରରେ) ମନୋନୀତ ହେବା ପରେ ଜିଲ୍ଲାପାଳଙ୍କ ଅନୁମୋଦନ ପରେ ରାଜ୍ୟ ହସ୍ତଶିଳ୍ପ ପୁରସ୍କାର ପାଇଁ ସଂପୃକ୍ତ ଚୟନ କମିଟିକୁ ପଠାଇ ଦିଆଯାଇଛି ବୋଲି ସୁଶାନ୍ତଙ୍କ ଠାରୁ ଜଣା ପଡ଼ିଛି। କଟକ ଜିଲ୍ଲା ହସ୍ତଶିଳ୍ପ ବିଭାଗର ଯେଉଁ ଅଧିକାରୀ ଏହି ହସ୍ତକଳାଟିକୁ  ସୁଶାନ୍ତଙ୍କ ଘରୁ ନେଇଥିଲେ ସେ ଏହି କଥା ସୁଶାନ୍ତଙ୍କୁ ଜଣାଇଛନ୍ତି।

ଯଦି ଏହି “ଶ୍ରୀମନ୍ଦିର” ର କଳାକୃତି ସେଠାରେ ନିଜର ଉତ୍କୃଷ୍ଟତା ପ୍ରତିପାଦନ କରେ, ତେବେ ସୁଶାନ୍ତ ରାଜ୍ୟ ସ୍ତରୀୟ ହସ୍ତକଳା ଶିଳ୍ପୀ ଭାବରେ ପୁରସ୍କତ ହୋଇ ଆମ ଅଞ୍ଚଳକୁ ଗୌରବାନିତ୍ୟ କରିବେ ବୋଲି ମାହାଙ୍ଗାବାସି ଦୃଢ଼ ଆଶା ପୋଷଣ କରିଛନ୍ତି।

   ନଡ଼ା, ପଟି ଓ ଅଠାର କାରିଗର ସୁଶାନ୍ତ କୁମାର ବେହେରାଙ୍କ ଘର କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଅନ୍ତର୍ଗତ କୁମୁଡା ଜୟପୁର ଗ୍ରାମରେ। ବାପା ଭାଗିରଥି ବେହେରା ଓ ମା କାମିନୀ ପ୍ରଭା ବେହେରାଙ୍କ ଔରସରୁ ଜନ୍ମିତ ସୁଶାନ୍ତଙ୍କୁ ଏବେ ୫୦ ବର୍ଷ ହୋଇଥିବା ବେଳେ ସେ ୧୨ ବର୍ଷ ବୟସରୁ ଏହିଭଳି ବିଭିନ୍ନ ବର୍ଜ୍ୟ ବସ୍ତୁକୁ ଏକାଠି କରି ଭିନ୍ନ ଭିନ୍ନ କଳାକୃତି ଗଢି ଥାଆନ୍ତି ବୋଲି ତାଙ୍କର ବଡ଼ ଭାଇ ପ୍ରଶାନ୍ତ ବେହେରା ପ୍ରକାଶ କରିଛନ୍ତି। ଧର୍ମପତ୍ନୀ ମିତାଲି ବେହେରା ଓ ସାନ ଭାଈ ଜୟନ୍ତ ବେହେରା ଏହି ସବୁ କାରୁକାର୍ଯ୍ୟରେ ତାଙ୍କୁ ସଦାସର୍ବଦା ପୂର୍ଣ୍ଣ ସହଯୋଗ ଯୋଗାଇ ଦେଇ ଥାଆନ୍ତି ବୋଲି ସୁଶାନ୍ତଙ୍କ ମୁହଁରୁ ଶୁଣିବାକୁ ମିଳେ।

ଶୁଖିଲା ଧାନ ଗଛର ନଡ଼ା ବା ଛଣ ଏହି କଳାକୃତିରେ ମୁଖ୍ୟ ବସ୍ତୁ ଭାବରେ ବ୍ୟବହୃତ ହେଉଥିବା ବେଳେ ଏଥିରେ କାଗଜ ପଟି (ଔଷଧ ଖୋଳ, ବିଭିନ୍ନ ଇଲେକ୍ଟ୍ରୋନିକ୍ସ ଓ ଇଲେକ୍ଟ୍ରିକାଲ  ଜିନିଷ ଆଦିର ଖୋଳ) ଓ ଫେବିକଲ ଅଠା ବ୍ୟବହାର କରିଥାନ୍ତି ବୋଲି ସେ ପ୍ରକାଶ କରିଛନ୍ତି। ବେଳେ ବେଳେ ବର୍ଜ୍ୟ ବସ୍ତୁରେ ନିର୍ମିତ ଏହି କଳାକୃତିକୁ ଅଧିକ ଆକର୍ଷଣୀୟ କରିବା ପାଇଁ ସେ ସାମାନ୍ୟ ରଙ୍ଗ, ରଙ୍ଗୀନ କାଗଜ ଆଦି ବ୍ୟବହାର କରିଥାନ୍ତି।

 ଏହି ଶ୍ରୀମନ୍ଦିର କଳାକୃତି କୁ ବାଦ ଦେଲେ ତାଙ୍କର ଶତାଧିକ କଳାକୃତି ମଧ୍ୟରେ କୋଣାର୍କ ମନ୍ଦିର, ଅଯୋଧ୍ୟା ରାମ ମନ୍ଦିର, ତିରୁପତି ମନ୍ଦିର, ଜଗନ୍ନାଥଙ୍କ ମୂର୍ତ୍ତୀ, ଅନ୍ୟାନ୍ୟ ଦେବାଦେବୀଙ୍କ ମନ୍ଦିର ଓ ମୂର୍ତ୍ତୀ, ନୂଆ ସଂସଦ ଭବନ, ଓଡ଼ିଶା ବିଧାନ ସଭା, ଇଣ୍ଡିଆ ଗେଟ, ସୋଫା ସେଟ୍, ଘରୋଇ ଉପକରଣ ସମେତ ଅନେକ ସୁଦୃଶ୍ୟ ଓ ସୁଉଚ୍ଚ ଅଟ୍ଟାଳିକା ଆଦି ଅନ୍ୟତମ କଳାକୃତି ଯାହାକି ତାଙ୍କର ହାତର ଯାଦୁରେ ସୃଷ୍ଟି ହୋଇପାରିଛି।

 ନିକଟ ଭବିଷ୍ୟତରେ ସେ ତାଙ୍କର କେତେକ ବିଶେଷ କଳାକୃତିକୁ ନେଇ ତାମିଲନାଡୁରେ ହେବାକୁ ଥିବା ହସ୍ତଶିଳ୍ପ ପ୍ରଦର୍ଶନୀରେ ଭାଗନେବେ ବୋଲି ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *