କେନ୍ଦ୍ରାପଡ଼ା,୦୮/୦୬/୨୦୨୬ (ଓଡ଼ିଶା ସମାଚାର)- ଆଳି ତହସିଲ ପକ୍ଷରୁ ଆର.ଆଇଙ୍କ ଦ୍ୱାରା ଜମିର ସୀମା ନିର୍ଦ୍ଧାରଣ ପରେ ସଠିକ ରିପୋର୍ଟ ପ୍ରଦାନ କରାନଯିବାରୁ ଶ୍ରୀଚୈତନ୍ୟ ମହାପ୍ରଭୁଙ୍କ ମନ୍ଦିର ନିର୍ମାଣ ହୋଇପାରୁନଥିବା ଜିଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ଆଳି ତହସିଲ ଅଧିନ ଦଶିପୁର ଗ୍ରାମର ସ୍ୱର୍ଗତ ହରେକୃଷ୍ଣ ଦାଶଙ୍କ ପୁଅ ବିବେକାନନ୍ଦ ଦାଶ ଜିଲାପାଳଙ୍କ ଜନ ଅଭିଯୋଗ ଶୁଣାଣି ଶିବିରରେ କରିଥିବା ଅଭିଯୋଗ ଅନୁଯାୟି ରାଜକନିକା ଥାନାର ଫଇସଲା କ୍ରମେ ଦଶିପୁର ଶ୍ରୀଚୈତନ୍ୟ ମହାପ୍ରଭୁ ମାର୍ଫତ ବିବେକାନନ୍ଦ ଦାଶ ଓଗେରଙ୍କ ନାମରେ ଦଶିପୁର ମୌଜାର ଥିବା ଖାତା ନମ୍ବର- ୫୦୭, ପ୍ଲଟ ନମ୍ବର-୧୨୧୨, ଏରିଆ ଏ୦.୦୭ ଡିସିମିଲ ଜମିର ସୀମା ନିର୍ଦ୍ଧାରଣ ନିମନ୍ତେ ଅଭିଯୋଗକାରୀ ଶ୍ରୀ ଦାଶ ଆଳି ତହସିଲରେ ଆବେଦନ କରିଥିଲେ । ସେହି ଅନୁଯାୟୀ ଆଳି ତହସିଲ ପକ୍ଷରୁ ଗତ ତା୧୮.୦୫.୨୦୨୬ ରିଖରେ ଜମି ମାପ କରାଯିବାକୁ ଡିସି ନମ୍ବର- ୧୫୭/୨୬ରେ ତାଙ୍କୁ ନୋଟିସ କରାଯାଇଥିଲା । ଏହାସହିତ ଉକ୍ତଦିନ ସମସ୍ତ ପକ୍ଷଙ୍କ ଉପସ୍ଥିତିରେ ଆଳି ତହସିଲର ଅମୀନଙ୍କ ଦ୍ୱାରା ଉକ୍ତ ଜମିର ସୀମା ସଠିକ ଭାବରେ ନିର୍ଦ୍ଧାରଣ କରାଯାଇଥିଲା । କିନ୍ତୁ ଅମୀନ ତାଙ୍କ ଜମି ମାପ କରାଯାଇଥିବା ରିପୋର୍ଟ ସଠିକ ଭାବରେ ପ୍ରଦାନ ନକରି ଭୁଲ ରିପୋର୍ଟ ପ୍ରଦାନ କରିଥିବାରୁ ଶ୍ରୀ ଦାଶ ତାହାର ନକଲ ପାଇପାରୁନାହାନ୍ତି । ଫଳରେ ଶ୍ରୀଚୈତନ୍ୟ ମହାପ୍ରଭୁଙ୍କ ମନ୍ଦିର ନିର୍ମାଣ କାର୍ଯ୍ୟ ହୋଇପାରୁନାହିଁ । ଏସମ୍ପର୍କରେ ସେ ଆଳି ତହସିଲଦାରଙ୍କୁ ଲିଖିତ ଭାବେ ଜଣାଇବାରେ ତହସିଲଦାର ତାଙ୍କୁ କହିଲେ କମିଶନରଙ୍କ ପାଖକୁ ଯାଆନ୍ତୁ । ତେଣୁ ଶ୍ରୀ ଦାଶ ୬୮ବର୍ଷ ବୟସର ଜଣେ ବରିଷ୍ଠ ନାଗରିକ ହୋଇଥିବା ବେଳେ ତାଙ୍କୁ ଜାଣିଶୁଣି ହଇରାଣ ହରକତ କରାଯାଉଥିବା ସେ ଜିଲାାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଏହି ଘଟଣାର ଯଥାଶୀଘ୍ର ପ୍ରତିକାର ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବାକୁ ସେ ଜିଲାପାଳଙ୍କୁ ନିବେଦନ କରିଥିଲେ । ଜିଲାପାଳ ଏସମ୍ପର୍କରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଆଳି ତହସିଲଦାରଙ୍କୁ ନିର୍ଦେଶ ଦେଇଥିବା ଜଣାପଡିଛି ।
ସୀମା ନିର୍ଦ୍ଧାରଣ ପରେ ସଠିକ ରିପୋର୍ଟ ପ୍ରଦାନ କରାନଯିବା ପ୍ରତିବାଦରେ ଜିଲାପାଳଙ୍କୁ ଅଭିଯୋଗ
