କେନ୍ଦ୍ରାପଡ଼ା,୩୦/୦୫/୨୦୨୬ (ଓଡ଼ିଶା ସମାଚାର)-ଦାଦା ବଟିକୁ ନେଇ କେନ୍ଦ୍ରାପଡ଼ା ଟାଉନ ଥାନା ଅନ୍ତର୍ଗତ ରଣପଡ଼ା ଓ ଟାଉନ ହାଇସ୍କୁଲ ପଡିଆରେ ଆଜି ସନ୍ଧ୍ୟାରେ ୧୦ ରାଉଣ୍ଡ ଗୁଳି ଫୁଟିଛିି । ଏକ ନିର୍ଦ୍ଧିଷ୍ଟ ଅପରାଧୀ ଗୋଷ୍ଠୀର ସଦସ୍ୟମାନେ ଏହି ଗୁଳି ଚଳାଇଥିବା ଜଣାପଡିଛି । ଖବର ନେବାରୁ ଜଣାପଡିଛି ଯେ ରଣପଡ଼ାରେ ଏକ ମସଜିଦର ଉନ୍ନତିକରଣ କାର୍ଯ୍ୟ ଚାଲିଛି । ଏହାର ନିର୍ମାଣ ଦାୟିତ୍ୱ ଜଣେ କାଉନସିଲର ନେଇଛନ୍ତି । କାଉନସିଲରଙ୍କ ଶଳା କାମ ବୁଝାବୁଝି କରୁଛନ୍ତି । ଅପରାଧୀ ଗୋଷ୍ଠୀର ସଦସ୍ୟମାନେ କାଉନସିଲରଙ୍କ ଶଳାକୁ ଦାଦା ବଟି ମାଗିଥିଲେ ।
ହେଲେ ସେ କହିଥିଲେ କାଉନସିଲର ତଥା ତାଙ୍କ ଭିଣୋଇକୁ ବଟି ମାଗିବା ପାଇଁ । ଏଥିରେ ଉତ୍ୟକ୍ତ ହୋଇ ଅପରାଧୀ ଗୋଷ୍ଠୀର ସଦସ୍ୟ ଜଣକ ପ୍ରଥମେ ରଣପଡ଼ା ମସଜିଦ ନିକଟରେ ଭୂମିକୁ ଲକ୍ଷ କରି ୫ ରାଉଣ୍ଡ ଗୁଳି ଚଇାଥିଲେ । ଏହାପରେ ସେ ନିକଟସ୍ଥ ଟାଉନ ହାଇସ୍କୁଲ ପଡ଼ିଆକୁ ଯାଇ ସେଠାରେ କାଉନସିଲର ଛିଡା ହୋଇଥିବା ସନ୍ଦେହ କରି ଯୁବକ ଜଣକ ସେଠାରେ ମଧ୍ୟ ଭୂମିକୁ ଲକ୍ଷ କରି ଆଉ ୫ ରାଉଣ୍ଡ ଗୁଳି ଚଳାଇଥିଲେ । କାଉନସିଲର ଓ ତାଙ୍କ ଶଳାଙ୍କୁ ଭୟଭୀତ କରିବା ପାଇଁ ଅପରାଧୀ ଗୋଷ୍ଠୀର ଯୁବକ ଜଣକ ଏହି ଗୁଳି ଚାଳନା କରିଥିବା ପୋଲିସ କହିଛି ।
ଘଟଣା ଘଟିବା ପରେ କେନ୍ଦ୍ରାପଡ଼ା ଟାଉନ୍ ଥାନା ପୋଲିସ ଓ ବରିଷ୍ଠ ପୋଲିସ ଅଧିକାରୀମାନେ ଘଟଣା ସ୍ଥଳରେ ପହଂଚି ଖୋଖା ଜବତ କରିଛନ୍ତି । ଗୁଳି ଚଳାଇଥିବା ସନ୍ଦେହରେ ପୋଲିସ ଜଣେ ଯୁବକଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି । ଏଠାରେ ସୂଚନା ଯୋଗ୍ୟ ଯେ ସଂଖ୍ୟାଲଘୁ ସଂପ୍ରଦାୟର ଏକ ପର୍ବ ଚାଲିଥିବାରୁ ସାରା ସହରର ବିଭିନ୍ନ ଛକରେ ପୋଲିସ ବଳ ମୃତୟନ ହୋଇଛନ୍ତିି । ଏହାସତ୍ୱେ ଅପରାଧୀମାନେ ଗୁଳି ଚଳାଇବା ପୋଲିସ ପାଇଁ ଚାଲେଞ୍ଜ ସୃଷ୍ଟି କରିଛି । ଏହି ଘଟଣାକୁ ନେଇ ସହରରେ ଉତେଜନା ଲାଗି ରହିଛି ।
