ବାଲୁଗାଁ,୦୯/୦୫/୨୦୨୫ (ଓଡ଼ିଶା ସମାଚାର)- ବାଲୁଗାଁରେ ସୁନା ବ୍ୟବସାୟୀଙ୍କୁ ଗୁଳିମାଡ ହୋଇଛି । ବ୍ୟବସାୟୀଙ୍କ ଛାତି ଓ ହାତରେ ଗୁଳି ବାଜିଥିବା ସୂଚନା । ସୂଚନା ଅନୁସାରେ ଦୁଇଟି ପଲସରରେ ୫ଜଣ ଦୁର୍ବୃତ ଆସି ବ୍ୟବସାୟୀଙ୍କୁ ଗୁଳିମାଡ କରି ସମସ୍ତ ଅଳଙ୍କାର ଲୁଟ କରିଥିବା ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ବ୍ୟବସାୟୀଙ୍କୁ ଉମାକାନ୍ତପୁରର ମେଡିକାଲରେ ଭର୍ତ୍ତି କରାଯାଇଛି ।ବାଲୁଗାଁ ପୁଲିସ ସମସ୍ତ ରାସ୍ତାକୁ ସିଲ କରି ତଦନ୍ତ ଆରମ୍ଭ କରିଛି ।
ଘଟଣାରୁ ପ୍ରକାଶ ବାଲୁଗାଁ ଏନଏସି ଉମାକାନ୍ତପୁର ଗାଁର କେଳୁଚରଣ ନାୟକଙ୍କ ପୁଅ ପ୍ରହଲ୍ଲାଦ ନାୟକ (୪୦) ଙ୍କର ବାଲୁଗାଁ ବଜାରରେ ଓଁକାର ନାମକ ସୁନା ଦୋକାନ ରହିଛି । ଅଧିକାଂଶ ସମୟରେ ନିକଟସ୍ଥ ଗ୍ରାମମାନଙ୍କୁ ଯାଇ ସୁନା ଓ ରୁପା ବ୍ୟବସାୟ କରିଥାନ୍ତି । ଶୁକ୍ରବାର ସକାଳ ୯ଟା ସମୟରେ ନିଜ ଘରୁ ସୁନା ଓ ରୁପା ଅଳଙ୍କାର ନେଇ ନିଜ ବାଇକ ରେ ବ୍ୟବସାୟ ପାଇଁ ଯିବା ସମୟରେ ନିମିକ୍ଷେତା ଗ୍ରାମ ପଛ ରାସ୍ତାରେ ପଛରୁ ୨ଟି ବାଇକରେ ୫ଜଣ ଦୁର୍ବୃତ୍ତ ଆସି ପ୍ରହଲ୍ଲାଦଙ୍କୁ ଅଟକାଇବା ସହିତ ଅଳଙ୍କାର ବ୍ୟାଗକୁ ଛଡ଼ାଇ ବାକୁ ଚେଷ୍ଟା କରିଥିଲେ ।
ପ୍ରହଲ୍ଲାଦ ଓ ଦୁର୍ବୃତ୍ତଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଜଣେ ଦୁର୍ବୃତ୍ତ ବନ୍ଧୁକ ବାହାର କରି ପ୍ରହଲ୍ଲାଦଙ୍କ ଉପରକୁ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲେ ।ପ୍ରହଲ୍ଲାଦଙ୍କ ଛାତି ଓ ଡାହାଣ ହାତ କାନ୍ଧରେ ଗୁଳି ବାଜିଥିଲା । ସେ ଘଟଣା ସ୍ଥଳରେ ପଡ଼ିଯାଇଥିଲେ ।ଏହାର ସୁଯୋଗ ନେଇ ଦୁର୍ବୃତ୍ତମାନେ ଅଳଙ୍କାର ବ୍ୟାଗକୁ ଛଡ଼ାଇ ନେଇ ୧୬ନମ୍ବର ଜାତୀୟ ରାଜପଥ ଅଭିମୁଖେ ଦ୍ରୁତ ଗତିରେ ଚାଲି ଯାଇଥିଲେ । ଘଟଣା ସ୍ଥଳରେ ପ୍ରହଲ୍ଲାଦ ପଡି ଛଟପଟ ହେଉଥିଲା ବେଳେ ସ୍ଥାନୀୟ ଲୋକମାନେ ଉଦ୍ଧାର କରି ତାଙ୍କୁ ଚିକିତ୍ସା ପାଇଁ ବାଲୁଗାଁ ମେଡିକାଲକୁ ଆଣିଥିଲେ ।
ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ଏମ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ବାଲୁଗାଁ ଏସଡ଼ିପିଓ ସଞ୍ଜୟ କୁମାର ପଟ୍ଟନାୟକ ଓ ବାଲୁଗାଁ ଥାନା ଆଇଆଇସି ଜୟ ପ୍ରକାଶ ପରିଡ଼ା ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି । ପୁଲିସ ଏକ ମାମଲା ରୁଜୁ କରି ସମସ୍ତ ରାସ୍ତାକୁ ସିଲ କରି ଜୋରଦାର ଛାନଭିନ୍ ଚଳାଇଛି ।