ଟେରାକୋଟା ହସ୍ତଶିଳ୍ପ କାରିଗରଙ୍କୁ ଆଧୁନିକ ଯନ୍ତ୍ରପାତି ବଂଟନ

କଟକ,୨୮/୦୫/୨୦୨୬ (ଓଡ଼ିଶା ସମାଚାର)- ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ, ଓଡିଶା ସରକାରଙ୍କ ଅଧୀନସ୍ଥ ଜିଲା ହସ୍ତଶିଳ୍ପ କାର୍ଯ୍ୟାଳୟ, କଟକ ତରଫରୁ କମ୍ପେହେନସିଭ ହାଣ୍ଡିକ୍ରାଫ୍ଟସ କ୍ଲଷ୍ଟର ଡେଭଲପମେଂଟ ସ୍କିମ (ସିଏଚସିଡିଏସ ) ଯୋଜନା ଅନ୍ତର୍ଗତ କଟକ ଜିଲାର ବିଭିନ୍ନ ବ୍ଲକର ଟେରାକୋଟା ହସ୍ତଶିଳ୍ପ କାରିଗରମାନଙ୍କ ଉନ୍ନତି ଓ ଆର୍ଥିକ ସଶକ୍ତିକରଣ ଉଦ୍ଧେଶ୍ୟରେ ନିଶ୍ଚିନ୍ତକୋଇଲି ବ୍ଲକର ଗଡ଼ମା ଠାରେ ଏକ ଆଧୁନିକ ଯନ୍ତ୍ରପାତି ବଂଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି  । ଏହି ପରିପ୍ରେକ୍ଷୀରେ ଟେରାକୋଟା କାରିଗରମାନଙ୍କ ଉତ୍ପାଦନ କ୍ଷମତା ବୃଦ୍ଧି, ଉତ୍ପାଦିତ ସାମଗ୍ରୀର ଗୁଣାତ୍ମକ ମାନ ସୁଦୃଢ଼ କରିବା ସହ ଆଧୁନିକ ପ୍ରଯୁକ୍ତି ସହ ସମନ୍ୱୟ ସୃଷ୍ଟି କରିବା ଲକ୍ଷ୍ୟରେ ବିଭିନ୍ନ ଆଧୁନିକ ଯନ୍ତ୍ରପାତି ପ୍ରଦାନ କରାଯାଇଥିଲା  ।

ଏହା ଦ୍ୱାରା କାରିଗରମାନେ ନିଜ ଉତ୍ପାଦନକୁ ଅଧିକ ସୁନିୟୋଜିତ ଓ ବଜାର ଉପଯୋଗୀ କରିପାରିବେ ବୋଲି ଆଶା ପ୍ରକାଶ ପାଇଛି  । ଏହି କାର୍ଯ୍ୟକ୍ରମ ଜିଲା ହସ୍ତଶିଳ୍ପ କାର୍ଯ୍ୟାଳୟ, କଟକର ସହକାରୀ ନିର୍ଦେଶକ (ହସ୍ତଶିଳ୍ପ) ସୁଶାନ୍ତ କୁମାର ସାମଲଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ  ସମ୍ପନ୍ନ ହୋଇଥିଲା  । ଏହି ଅବସରରେ ଜିଲା ହସ୍ତଶିଳ୍ପ କାର୍ଯ୍ୟାଳୟ, କଟକର ହସ୍ତଶିଳ୍ପ ବିକାଶ ଅଧିକାରୀ ମାନସ ରଞ୍ଜନ ସେଠୀ, ଦୀପ୍ତିମୟୀ ପ୍ରଧାନ ଓ ସ୍ୱାଗତିକା ନାୟକଙ୍କ ସମେତ ଡିସି, ହ୍ୟାଣ୍ଡିକ୍ରାଫ୍ଟସ୍, ଭୁବନେଶ୍ୱରର ହସ୍ତଶିଳ୍ପ ବିକାଶ ଅଧିକାରୀମାନେ ଯୋଗଦେଇ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ  । ଉପସ୍ଥିତ କାରିଗରମାନେ ସରକାରଙ୍କ ଏହି ଲୋକାଭିମୁଖୀ ପଦକ୍ଷେପକୁ ସ୍ୱାଗତ କରିବା ସହ ଏହା ତାଙ୍କର କାର୍ଯ୍ୟଦକ୍ଷତା, ଉତ୍ପାଦନ ମାନ ଓ ଆୟ ବୃଦ୍ଧିରେ ଦୂରଗାମୀ ପ୍ରଭାବ ପକାଇବ ବୋଲି ମତ ପ୍ରକାଶ କରିଥିଲେ  ।

Leave a Reply

Your email address will not be published. Required fields are marked *