ତୁଳସୀକ୍ଷେତ୍ରର ଆରାଧ୍ୟା ଶ୍ରୀବଳଦେବଜୀୟୁଙ୍କୁ ଦର୍ଶନ କରି ଆଶୀର୍ବାଦ ନେଲେ
କେନ୍ଦ୍ରାପଡ଼ା, ୦୫/୬/୨୦୨୪ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଲୋକସଭା କ୍ଷେତ୍ର ବିଜୁ ପଟ୍ଟନାୟକଙ୍କ ଗଡ ଭାବେ ଖ୍ୟାତ ରହିଛି । ସେହି ଗଡକୁ ବିଜେପି ନେତା ବୈଜୟନ୍ତ ପଣ୍ଡା ଦଖଲ କରି ଏକ ନୂଆ ଇତିହାସ ସୃଷ୍ଟି କରିଛନ୍ତି । ପ୍ରଥମ ଥର ପାଇଁ କେନ୍ଦ୍ରାପଡା ଲୋକସଭା ଆସନରୁ ଶ୍ରୀ ପଣ୍ଡା ବିଜେପି ପ୍ରାର୍ଥୀ ଭାବେ ବିଜୟ ଲାଭ କରି ଏକ ରେକର୍ଡ କରିଛନ୍ତି । ସେହିପରି ମହାକାଳପଡା ବିଧାନସଭା କ୍ଷେତ୍ରରୁ ବିଧାୟକ ଭାବେ ବିଜେପି ଦଳରୁ ଦୂର୍ଗା ପ୍ରସନ୍ନ ନାୟକ ବିପୁଳ ଭୋଟ ବ୍ୟବଧାନରେ ବିଜୟ ଲାଭ କରିଛନ୍ତି । ଏହାକୁ ନେଇ ସାରା ଜିଲାରେ ଚର୍ଚ୍ଚା ଓ ଆଲୋଚନା ଜୋର ଧରିଥିବା ବେଳେ ବିଜେପି କର୍ମୀ ମହଲରେ ଆନନ୍ଦର ଲହରୀ ଖେଳିଯାଇଛି । ଏହି ଅବସରରେ ଆଜି ସନ୍ଧ୍ୟାରେ ନବ ନିର୍ବଚିତ କେନ୍ଦ୍ରାପଡା ସାଂସଦ ଶ୍ରୀ ପଣ୍ଡା ଓ ମହାକାଳପଡା ବିଧାୟକ ଶ୍ରୀ ନାୟକ ଅପରାହ୍ନ ପ୍ରାୟ ୪ଟାରେ ଦୁହୁରିଆସ୍ଥିତ ଜିଲା ବିଜେପି କାର୍ଯ୍ୟାଳୟରେ ପହଂଚିବା ପରେ ସେଠାରେ ଉପସ୍ଥିତ ଥିବା କାର୍ଯ୍ୟକର୍ତାମାନେ ପୁଷ୍ପମାଲ୍ୟ, ଉତରୀୟ ପ୍ରଦାନ କରି ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଏହାପରେ ସେଠାରୁ ବାଜା ବଜାଇ ଓ ବାଣ ଫୁଟାଇ ଏକ ବିରାଟ ଶୋଭାଯାତ୍ରା ବାହାରିଥିଲା । ଏହି ଶୋଭାଯାତ୍ରା ଦୁହୁରିଆଠାରୁ ବାହାରି ତିନିମୁହାଣୀ, ନୂଆ ବସ୍ ଷ୍ଟାଣ୍ଡ, ବଡହାଟ, ପୁରୁଣା ବସ୍ ଷ୍ଟାଣ୍ଡ, ସାନ୍ତସାହି, କେଶପୁର ବଜାର ଦେଇ ଇଚ୍ଛାପୁରସ୍ଥିତ ଶ୍ରୀ ବଳଦେବଜୀୟୁଙ୍କ ରଥଦାଣ୍ଡରେ ପହଂଚି ଶ୍ରୀ ବଳଦେବଜୀୟୁଙ୍କ ଆଶୀର୍ବାଦ ନେଇଥିଲେ ସାଂସଦ ଶ୍ରୀ ପଣ୍ଡା ଓ ଅନ୍ୟମାନେ । ସେଠାରେ ଶ୍ରୀ ପଣ୍ଡା କେନ୍ଦ୍ରାପଡାବାସୀଙ୍କୁ ଶୁଭେଚ୍ଛା ଜଣାଇଥିଲେ । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପାରୁ ଓଡିଶାରେ ପରିବର୍ତନ ହେବା ସହିତ କେନ୍ଦ୍ରାପଡାରେ ଶ୍ରୀ ବଳଦେବଜୀୟୁଙ୍କ ଆଶୀର୍ବାଦରୁ ପରିବର୍ତନ ହୋଇଛି ବୋଲି ଶ୍ରୀ ପଣ୍ଡା କହିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବିକଶିତ ଭାରତ ଗଠନ କରାଯାଉଛି । ତତ୍ ସହିତ ଓଡିଶା ତଥା କେନ୍ଦ୍ରାପଡାକୁ ବିକଶିତ କରିବା ପାଇଁ ସମସ୍ତେ ସାମିଲ ହେବାକୁ ସେ ନିବେଦନ କରିଥିଲେ । ରାସ୍ତାରେ ବିଭିନ୍ନ ସ୍ଥାନରେ ସମର୍ଥକ ଓ ଶୁଭେଚ୍ଛୁମାନେ ଫୁଲ ଓ ଚନ୍ଦନ ଦେଇ ବନ୍ଦାପନା କରିଥିଲେ ଶ୍ରୀ ପଣ୍ଡାଙ୍କୁ । ଏହି ଶୋଭାଯାତ୍ରାରେ ଜିଲା ସଭାପତି କିଶୋର ପଣ୍ଡା, ପୂର୍ବତନ ସାଂସଦ ଅର୍ଚ୍ଚନା ନାୟକ, ବିଧାୟକ ପ୍ରାର୍ଥୀ ଗୀତାଞ୍ଜଳୀ ସେଠୀ, ବିଧାୟକ ପ୍ରାର୍ଥୀ କୃଷ୍ଣଚନ୍ଦ୍ର ପଣ୍ଡା, ବିଜେପି ରାଷ୍ଠ୍ରୀୟ ସଦସ୍ୟ ବୈଦ୍ୟନାଥ ଚାଟାର୍ଜୀ, ବିଜେପି ଲୋକସଭା ସଂଯୋଜକ ସଞ୍ଜୟ ରଥ, ଜିଲା ମିଡିଆ ସେଲ୍ ପ୍ରମୁଖ ନେହେରୁ କୁମାର ସାହୁ, ରାଜ୍ୟ ପ୍ରବକ୍ତା ଧିରେନ ସେନାପତି, ସୁନାକର ବେହେରା, ଗଗନବିହାରୀ ସାହୁ, ଜିଲା ଉପସଭାପତି ଉପିନ କୁମାର ରାଉତଙ୍କ ସମେତ ବହୁ କାର୍ଯ୍ୟକର୍ତା ଓ ହଜାର ହଜାର ବିଜେପି କର୍ମୀ ସାମିଲ ହୋଇଥିଲେ ।