ଭାପୁର,୨୮/୦୫/୨୦୨୬ (ଓଡ଼ିଶା ସମାଚାର)- ନୟାଗଡ଼ ଜିଲା ଫତେଗଡ଼ ଥାନା ଅଂଚଳ ଅସାମାଜିକ ବ୍ୟକ୍ତିଙ୍କ ପାଇଁ ଚରାଭୂଇଁ ପାଲଟି ଥିବାବେଳେ ସେମାନେ ବିଭିନ୍ନ ସ୍ଥାନରେ ହତ୍ୟାଜନିତ ଘଟଣା ଘଟେଇ ପ୍ରମାଣ ନଷ୍ଟ କରିବା ପାଇଁ ଫତେଗଡ଼ ଥାନା ଅଞ୍ଚଳକୁ ନିରାପଦ ମଣୁଛନ୍ତି । ହତ୍ୟାକାରୀ ହତ୍ୟାକାଣ୍ଡ ଜନିତ ଘଟଣା ପ୍ରମାଣ ନଷ୍ଟ କରିବା ଯୋଜନାରେ ସଫଳ ହେଲାପରେ ବୁଧବାର ଦିନ ଭାପୁର ଅଂଚଳରୁ ମନୁଷ୍ୟ ହାଡ଼, କଙ୍କାଳ ଓ ଖପୁରି ଉଦ୍ଧାର ହେବା ଘଟଣା ଚାଂଚଲ୍ୟ ଖେଳାଇ ଥିବାବେଳେ ସ୍ଥାନୀୟ ଅଂଚଚଳରେ ଉତେଜନା ଦେଖାଦେଇଥିଲା । ନୟାଗଡ଼ ଜିଲାରେ ଏକ ମାସ ମଧ୍ୟରେ ତିନି ତିନୋଟି ହତ୍ୟାକାଣ୍ଡ ଘଟିଥିବାରୁ ଏହି ନରକଙ୍କାଳ ଉଦ୍ଧାର ଜିଲା ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।
ଭାପୁର ବ୍ଲକ ଗୋଳାପୋଖରୀ ଗ୍ରାମ ନିକଟରେ ଅବସ୍ଥିତ ରାଇବଣି କାଜୁ ଜଙ୍ଗଲ ମଧ୍ୟରେ ସେହି ଗ୍ରାମର କିଛି ଯୁବକ ବୁଧବାର ମନୁଷ୍ୟ ନରକଙ୍କାଳ, ଖପୁରି, ହାଡ଼, ମୁଣ୍ଡ, ଗାମୁଛା ଓ ଛିଟଲୁଗା ପଡିଥିବାର ଦେଖି ଥାନାକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଫତେଗଡ଼ ଥାନା ଅଧିକାରୀ ଅଜୟ କୁମାର ସାହୁ ଏବଂ ଭାପୁର ଆଉଟ ପୋଷ୍ଟ ଅଧିକାରୀ ସୁଶାନ୍ତ କୁମାର ସାହୁ ସଦଳବଳେ ପହଂଚି ନରକଙ୍କାଳକୁ ଜବତ କରିବା ସହିତ ଜିଲା ସାଇଂଟିଫିକ ଟିମ୍ କୁ ଖବର ଦେଇଥିଲେ । ଲକ୍ଷ୍ମୀଧର କୁମାର ଏବଂ ତାଙ୍କ ଟିମ୍ ଘଟଣାସ୍ଥଳରେ ପହଂଚି ତଦନ୍ତ କରିବା ସହିତ ଏହା ଏକ ମହିଳାଙ୍କ କଙ୍କାଳ ଏବଂ ତିନିମାସ ମଧ୍ୟରେ ହତ୍ୟାକାଣ୍ଡ ଘଟିଥିବା ଟିମ୍ ସ୍ପଷ୍ଟ କରିଥିଲେ । ଏହି ହତ୍ୟାକାଣ୍ଡ ବାହାରୁ କରାଯାଇ ଏଠାରେ ପ୍ରମାଣ ନଷ୍ଟ କରିବା ପାଇଁ ଫୋପଡ଼ା ଯାଇଛି କି ଘଟଣାସ୍ଥଳରେ ହତ୍ୟା କରାଯାଇଛି, ହତ୍ୟାକାଣ୍ଡ ପ୍ରେମଜନିତ କି ଷଡଯନ୍ତ୍ରଜନିତ ତାହା ଟିମ୍ ସ୍ପଷ୍ଟ କରି ନ ଥିବାବେଳେ ଏହି ଘଟଣା ସ୍ଥାନୀୟ ଅଂଚଳରେ ଚାଂଚଲ୍ୟ ଖେଳିଯାଇଛି । ଜବତ ନରକଙ୍କାଳକୁ ଟିମ୍ ଖଣ୍ଡପଡା ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇ ଥିବାବେଳେ ସେଠାରୁ ପରୀକ୍ଷା ପାଇଁ କଟକସ୍ଥିତ ଏସ.ସି.ବି. ମେଡିକାଲ କଲେଜ ଯିବ ବୋଲି ଫତେଗଡ଼ ଥାନା ସୂତ୍ରରୁ ପ୍ରକାଶ ।
