ଅସହାୟ ଦିବ୍ୟାଙ୍ଗ ଯୁବକ ଙ୍କୁ ଚିକିତ୍ସା ଓ ସହାୟତା ଯୋଗାଇଲେ ନଗରପାଳ

ଭୁବନ ୨୬/୦୫/୨୦୨୬ (ଓଡ଼ିଶା ସମାଚାର)-ଢେ଼ଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ୨ ନମ୍ବର ୱାର୍ଡ ବସଷ୍ଟାଣ୍ଡ ନିକଟସ୍ଥ ଦଳିତ ବସ୍ତିରେ ଜନୈକ ଅସହାୟ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ସମ୍ପତିବାଡ଼ି ହଡ଼ପ କରିବା ଉଦ୍ଦେଶ୍ୟରେ ପଡ଼ୋଶୀ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଦୁଇ ଦିନ ପୂର୍ବେ ଏହି ଘଟଣାର ଭିଡିଓ ସୋସିଆଲ ମିଡ଼ିଆରେ ପ୍ରଘଟ ହେବା ପରେ ଲୋକ ଲୋଚନକୁ ଆସିଥିଲା । ମଧ୍ୟାହ୍ନ ସମୟରେ ଦିବ୍ୟାଙ୍ଗ ଯୁବକକୁ ଜଣେ ବ୍ୟକ୍ତି ମାଡ଼ି ବସିଥିଲା ବେଳେ ଅନ୍ୟ ଜଣେ ବ୍ୟକ୍ତି କାଠ ଫାଳିଆ/, ବଲ୍ହା ରେ ଗୋଡ, ହାତ ଓ ମୁଣ୍ଡକୁ ମାଡ ମାରୁଥିବା ଭିଡିଓରେ ଦେଖିବାକୁ ମିଳିଥିଲା। ମରଣାନ୍ତକ ଆକ୍ରମଣରେ ଦିବ୍ୟାଙ୍ଗ ଯୁବକ ଅଜୟ ମଲିକ ଙ୍କ ଗୋଡ ଭାଙ୍ଗି ଯାଇଥିବା ବେଳେ ମୁଣ୍ଡ ଫ।ଟିଥିଲା ।

ଦରମରା ଅବସ୍ଥାରେ ଅଜୟ ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପଡିରହିଥିବା ଖବର ପାଇ ଅସହାୟ ମଣିଷଙ୍କ ଦରଦୀ ବନ୍ଧୁ ଭାବେ ପରିଚିତ ନଗରପାଳ ଶୁଭେନ୍ଦୁ କୁମାର ସାହୁ ଡାକ୍ତର ଖାନାରେ ପହଞ୍ଚି ଡାକ୍ତରଙ୍କ ସହ ଦିବ୍ୟାଙ୍ଗ ଅଜୟଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ଉନ୍ନତ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇବାର ବ୍ୟବସ୍ଥା କରିଥିଲେ । ପରେ ତାଙ୍କୁ କଟକ ବଡ ମେଡିକାଲ କୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି । ସମ୍ପୃକ୍ତ ଦିବ୍ୟାଙ୍ଗ ଯୁବକଙ୍କ ତରଫରୁ କେହି ଅଭିଯୋଗ ନକରିବାରୁ ପୋଲିସ ନିଜ ଆଡୁ କେଶ୍ ନଂ ୧୬୯/୨୦୨୬ ରେ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇଛି।

ମାଡ ମାରିଥିବା ବ୍ୟକ୍ତି ଏବେ ସୁଦ୍ଧା ଗିରଫ ହୋଇ ନଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ ଯେ , ଦଳିତ ବସ୍ତିର ଦିବ୍ୟାଙ୍ଗ ଭୀମ ମଲିକ ଙ୍କ ସମ୍ପତି ନେବାକୁ ତାଙ୍କ ପଡ଼ୋଶୀ ଗତ ୬ ମାସ ପୂର୍ବେ ତାଙ୍କ ଘରେ ନିଆଁ ଲଗାଇ ଦେଇଥିଲେ । ଅସହାୟ ଭୀମ ପୁରୁଣା ଥାନା ପରିସରରେ ଏକ ପରିତ୍ୟକ୍ତ ଘରେ ପଡି ରହି ମୃତ୍ୟୁ ବରଣ କରିଥିବା ବେଳେ ତାଙ୍କ ସାନ ପୁଅ ଦୁଇ ମାସ ପୂର୍ବେ ଏକ ପୋଖରୀ କୂଳରେ ମରି ପଡିଥିଲେ । ବଡ ପୁଅ ଅଜୟ କୁ ରାସ୍ତାରୁ ହଟାଇ ଦେଇ ସବୁ ସମ୍ପତି ହାତେଇ ନେବାକୁ ପଡ଼ୋଶୀ ଏଭଳି ମରଣାନ୍ତକ ଆକ୍ରମଣ କରିଥିଲେ ବୋଲି ସାରା ସହରରେ ଚର୍ଚ୍ଚା ହେଉଛି ।

Leave a Reply

Your email address will not be published. Required fields are marked *