“ଜ୍ଞାନୋଦୟ – ଶିକ୍ଷାରୁ ସମୃଦ୍ଧି” ଯୋଜନା — ଶିକ୍ଷାବର୍ଷ ୨୦୨୬-୨୭ରୁ କାର୍ଯ୍ୟକାରୀ ହେବ

ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟ, ସରକାରୀ ମହାବିଦ୍ୟାଳୟ ଓ ଅନୁଦାନପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟର ନିୟମିତ ସ୍ନାତକ (UG) ଓ ସ୍ନାତକୋତ୍ତର (PG) ପାଠ୍ୟକ୍ରମ ପାଇଁ ଲାଗୁହେବ ଜ୍ଞାନୋଦୟ ଯୋଜନା

ଜ୍ଞାନୋଦୟ ଯୋଜନାରେ ସାମିଲ ହେଉଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଶ୍ରେଣୀଗୃହରେ ସର୍ବନିମ୍ନ ୭୫% ଉପସ୍ଥାନ ରହିବା ଆବଶ୍ୟକ

ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକ ଜ୍ଞାନୋଦୟ ଯୋଜନା ଅଧୀନରେ ଛାତ୍ରଛାତ୍ରୀମାନଙ୍କ ଠାରୁ ଶୁଳ୍କ ଆଦାୟ କରିବେ ନାହିଁ

ସରକାରଙ୍କ ତରଫରୁ ଉଚ୍ଚ ଶିକ୍ଷାନୁଷ୍ଠାନମାନଙ୍କୁ କିସ୍ତିରେ ପ୍ରଦାନ କରାଯିବ ଅନୁମୋଦିତ ଅର୍ଥରାଶି

ଗଠନ ହେବ ରାଜ୍ୟ ସ୍ତରୀୟ ଶୁଳ୍କ ନିୟନ୍ତ୍ରଣ କମିଟି

“ସମସ୍ତଙ୍କ ପାଇଁ ଶିକ୍ଷା ଓ ସମସ୍ତଙ୍କ ପାଇଁ ଉଚ୍ଚଶିକ୍ଷା” ଲକ୍ଷ୍ୟକୁ ସାଧନ କରିବାରେ ଜ୍ଞାନୋଦୟ ଯୋଜନା ନିର୍ଣ୍ଣାୟକ ଭୂମିକା ନିର୍ବାହ କରିବ : ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ

ଭୁବନେଶ୍ୱର,୧୪/୦୭/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଆଜି ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇ “ଜ୍ଞାନୋଦୟ – ଶିକ୍ଷାରୁ ସମୃଦ୍ଧି” (କେ.ଜି.ରୁ ପି.ଜି. ନିଃଶୁଳ୍କ ଶିକ୍ଷାଦାନ) ଯୋଜନା ସମ୍ବନ୍ଧରେ ସବିସ୍ତୃତ ବିବରଣୀ ପ୍ରଦାନ କରାଯାଇଛି।

ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଥିଲେ ଯେ, “ଜ୍ଞାନୋଦୟ – ଶିକ୍ଷାରୁ ସମୃଦ୍ଧି” ଯୋଜନା ଅଧୀନରେ ରାଜ୍ୟର ସରକାରୀ ଏବଂ ଅନୁଦାନପ୍ରାପ୍ତ ବେସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କ ପାଇଁ କେ.ଜି. ରୁ ପି.ଜି. ପର୍ଯ୍ୟନ୍ତ ଶିକ୍ଷାକୁ ନିଃଶୁଳ୍କ କରିବା ପାଇଁ ରାଜ୍ୟ କ୍ୟାବିନେଟ୍‌ରେ ଗତ ଜୁଲାଇ ୧ ତାରିଖରେ ନିଷ୍ପତ୍ତି ନିଆଯାଇଛି।

୨୦୨୬–୨୭ ଶିକ୍ଷାବର୍ଷରୁ ଏହି ଯୋଜନାକୁ ଲାଗୁ କରାଯାଇଛି। ଏହି ଯୋଜନା ଅନୁଯାୟୀ, ୨୦୨୬–୨୭ ଶିକ୍ଷାବର୍ଷରୁ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ରହିଥିବା ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟ, ସରକାରୀ ମହାବିଦ୍ୟାଳୟ ଓ ଅନୁଦାନପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟର (୪୮୮ ବର୍ଗ ଏବଂ ୬୬୨ ବର୍ଗ ଅନୁଦାନପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟ) ନିୟମିତ ସ୍ନାତକ (UG) ଓ ସ୍ନାତକୋତ୍ତର (PG) ପାଠ୍ୟକ୍ରମକୁ ଯୋଗ୍ୟ ଛାତ୍ରଛାତ୍ରୀମାନଙ୍କ ପାଇଁ ନିଃଶୁଳ୍କ କରାଯାଇଛି।

ଉଚ୍ଚ ଶିକ୍ଷାନୁଷ୍ଠାନ ମାନଙ୍କରେ ପ୍ରଦାନ କରାଯାଉଥିବା ସେଲ୍ଫ ଫାଇନାନ୍ସିଂ କୋର୍ସ, ଦୂରଶିକ୍ଷା (Distance Education), ପତ୍ରବିନିମୟ ଶିକ୍ଷା (Correspondence course), ମୁକ୍ତ ଶିକ୍ଷା (Open Education), ପବ୍ଲିକ୍-ପ୍ରାଇଭେଟ୍ ପାଟର୍ନସିପ୍ ବ୍ୟବସ୍ଥାରେ ପରିଚାଳିତ ପାଠ୍ୟକ୍ରମ (PPP Mode Programme), ବିଭିନ୍ନ ବୃତ୍ତିଗତ, ବୈଷୟିକ ଏବଂ ଶିକ୍ଷକ ଶିକ୍ଷା ପାଠ୍ୟକ୍ରମ, ବି.ଏଡ଼.,ଏମ୍.ଏଡ଼, ବି.ଏଚ.ଏଡ଼, ଆଇଟିଇପି, ଏଲଏଲ.ବି, ଏଲଏଲ.ଏମ୍, ବିବିଏ, ବିସିଏ, ଏମ୍‌ବିଏ, ଏମ୍‌ସିଏ ଆଦି ପାଠ୍ୟକ୍ରମ ଏବଂ ଘରୋଇ ଉଚ୍ଚ ଶିକ୍ଷାନୁଷ୍ଠାନ ଉପରେ ଜ୍ଞାନୋଦୟ ନିଃଶୁଳ୍କ ଶିକ୍ଷାଦାନ ଯୋଜନା ଲାଗୁ ହେବ ନାହିଁ।

ଜ୍ଞାନୋଦୟ-ଶିକ୍ଷାରୁ ସମୃଦ୍ଧି ନିଃଶୁଳ୍କ ଶିକ୍ଷାଦାନ ଯୋଜନାରେ ସାମିଲ ହେଉଥିବା ଛାତ୍ରଛାତ୍ରୀମାନଙ୍କର ଶ୍ରେଣୀଗୃହରେ ସର୍ବନିମ୍ନ ୭୫% ଉପସ୍ଥାନ ରହିବା ଆବଶ୍ୟକ। ତେବେ, ଅସାଧାରଣ ପରିସ୍ଥିତିରେ ଏହାକୁ ୬୫% ପର୍ଯ୍ୟନ୍ତ କୋହଳ କରାଯାଇପାରେ। ଛାତ୍ରଛାତ୍ରୀଙ୍କ ଉପସ୍ଥାନ ସରକାରଙ୍କ ଦ୍ୱାରା ନିର୍ଦ୍ଦିଷ୍ଟ ବାୟୋମେଟ୍ରିକ୍ କିମ୍ବା ଅନ୍ୟ କୌଣସି ଡିଜିଟାଲ ଉପସ୍ଥାନ ପ୍ରଣାଳୀ ମାଧ୍ୟମରେ ଯାଞ୍ଚ କରାଯିବ। ଜ୍ଞାନୋଦୟ ଯୋଜନାରେ ସାମିଲ ହେବା ପାଇଁ ଛାତ୍ରଛାତ୍ରୀମାନେ ସାମ୍ସ (ଷ୍ଟୁଡେଣ୍ଟସ୍‌ ଏକାଡେମିକ୍ ମ୍ୟାନେଜମେଣ୍ଟ ସିଷ୍ଟମ୍) ମାଧ୍ୟମରେ ଏକ ଯୋଗ୍ୟ ଉଚ୍ଚଶିକ୍ଷାନୁଷ୍ଠାନରେ ନିୟମିତ ସ୍ନାତକ ବା ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମ ଲେଖାଇବା ଆବଶ୍ୟକ।

ଜ୍ଞାନୋଦୟ ନିଃଶୁଳ୍କ ଶିକ୍ଷାଦାନ ଯୋଜନାରେ ନାମଲେଖା ଓ ପୁନଃ ନାମଲେଖା ଶୁଳ୍କ (Admission & Re Admission Fee) ଏବଂ ନାମଲେଖା ସମୟରେ ଜଣେ ବିଦ୍ୟାର୍ଥୀଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ସମସ୍ତ ଶୁଳ୍କ ସରକାର ବହନ କରିବେ। ଛାତ୍ରଛାତ୍ରୀମାନଙ୍କ ପାଇଁ ନାମଲେଖା ଶୁଳ୍କ, ପୁନଃ ନାମଲେଖା ଶୁଳ୍କ, ଉନ୍ନୟନ ଶୁଳ୍କ (Development Fee), ନାମଲେଖା ସମୟରେ ଶିକ୍ଷାନୁଷ୍ଠାନ ଦ୍ୱାରା ଆଦାୟ କରାଯାଉଥିବା ଅନ୍ୟ ଯେକୌଣସି ପ୍ରକାର ଶୁଳ୍କକୁ ଛାତ୍ରଛାତ୍ରୀମାନଙ୍କ ପାଇଁ ସମ୍ପୂର୍ଣ୍ଣ ଭାବେ ଛାଡ଼ କରାଯାଇଛି। ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକ ଜ୍ଞାନୋଦୟ ଯୋଜନା ଅଧୀନରେ ଛାତ୍ରଛାତ୍ରୀମାନଙ୍କ ଠାରୁ ଶୁଳ୍କ ଆଦାୟ କରିବେ ନାହିଁ। ଛାତ୍ରଛାତ୍ରୀମାନେ କେବଳ ପରୀକ୍ଷା ଶୁଳ୍କ (Examination Fees)  ଦାଖଲ କରିବେ।

ସରକାରଙ୍କ ତରଫରୁ ଉଚ୍ଚ ଶିକ୍ଷାନୁଷ୍ଠାନମାନଙ୍କୁ କିସ୍ତିରେ ଅନୁମୋଦିତ ଅର୍ଥରାଶି ପ୍ରଦାନ କରାଯିବ। ବର୍ତ୍ତମାନ କୌଣସି ଉଚ୍ଚଶିକ୍ଷାନୁଷ୍ଠାନ (ରାଜ୍ୟ ସରକାରୀ ବିଶ୍ୱ ବିଦ୍ୟାଳୟ, ସରକାରୀ ମହାବିଦ୍ୟାଳୟ, ଅନୁଦାନ ପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟ) ଜ୍ଞାନୋଦୟ ଯୋଜନା ଅନ୍ତର୍ଭୁକ୍ତ ପାଠ୍ୟକ୍ରମ ଗୁଡ଼ିକର ଶୁକ୍ଳ (Fees) ପରିବର୍ତ୍ତନ ବା ସଂଶୋଧନ କରିପାରିବେ ନାହିଁ। ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ସାମ୍ସ ପୋର୍ଟାଲରେ ଅପଲୋଡ଼ କରାଯାଇଥିବା ଶୁଳ୍କକୁ ହିଁ ବିଚାରକୁ ନିଆଯିବ। ଏକ ରାଜ୍ୟ ସ୍ତରୀୟ ଶୁଳ୍କ ନିୟନ୍ତ୍ରଣ କମିଟି ଗଠନ କରାଯିବ। ଆବଶ୍ୟକ ସ୍ଥଳେ, ଜରୁରୀ ପରିସ୍ଥିତିରେ ଉଚ୍ଚଶିକ୍ଷାନୁଷ୍ଠାନ ଶୁଳ୍କରେ ଯେକୌଣସି ସଂଶୋଧନ ପାଇଁ ନିଜର ପ୍ରସ୍ତାବକୁ ଶୁଳ୍କ ନିୟନ୍ତ୍ରଣ କମିଟି ପାଖରେ ଦାଖଲ କରିପାରିବେ। ଶିକ୍ଷାନୁଷ୍ଠାନର ସିଣ୍ଡିକେଟ୍ (Syndicate)/ପରିଚାଳନା କମିଟି (Governing Body) ଶୁଳ୍କ ଢାଞ୍ଚାରେ କୌଣସି ପ୍ରକାର ସଂଶୋଧନ ପାଇଁ ନିଜର କ୍ଷମତା ପ୍ରୟୋଗ କରିପାରିବେ ନାହିଁ।

ଉଚ୍ଚଶିକ୍ଷା ବିଭାଗର ସାମ୍ସ /ହିମ୍ସ (SAMS/HIMS) ପୋର୍ଟାଲ ମାଧ୍ୟମରେ ଉଚ୍ଚଶିକ୍ଷାନୁଷ୍ଠାନ ମାନଙ୍କରେ “ଜ୍ଞାନୋଦୟ- ଶିକ୍ଷାରୁ ସମୃଦ୍ଧି ଯୋଜନା”ର ପ୍ରଣୟନକୁ ମନିଟରିଙ୍ଗ କରାଯିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ସୂଚନା ଦେଇଛନ୍ତି।

ବିକଶିତ ଓଡ଼ିଶା-୨୦୩୬ ଲକ୍ଷ୍ୟ ପୂରଣ କରିବାରେ ଜାତୀୟ ଶିକ୍ଷା ନୀତି ଏବଂ ଜ୍ଞାନୋଦୟ ଯୋଜନାର ପ୍ରଣୟନ ଏକ ନିର୍ଣ୍ଣାୟକ ଭୂମିକା ନିର୍ବାହ କରିବ। ଜ୍ଞାନୋଦୟ ଯୋଜନାର ପ୍ରଣୟନ ମାଧ୍ୟମରେ ଶିକ୍ଷା କ୍ଷେତ୍ରରେ ଡ୍ରପ୍ ଆଉଟ ରେଟ୍ ହ୍ରାସ ପାଇବ ବୋଲି ଲକ୍ଷ୍ୟ ରଖାଯାଇଛି। ଉପକୂଳରୁ ଉପାନ୍ତ ପର୍ଯ୍ୟନ୍ତ, ସମସ୍ତଙ୍କ ପାଇଁ ଶିକ୍ଷା ଓ ସମସ୍ତଙ୍କ ପାଇଁ ଉଚ୍ଚଶିକ୍ଷାର ଲକ୍ଷ୍ୟକୁ ଜ୍ଞାନୋଦୟ ଯୋଜନା ମାଧ୍ୟମରେ ହାସଲ କରାଯାଇପାରିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ମତପ୍ରକାଶ କରିଛନ୍ତି।

ଆଜିର ସାମ୍ବାଦିକ ସମ୍ମିଳନୀରେ ଉଚ୍ଚଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଅରବିନ୍ଦ ଅଗ୍ରୱାଲ, ନିର୍ଦ୍ଦେଶକ ଶ୍ରୀ କାଳୀ ପ୍ରସନ୍ନ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

-0-

ଅମ୍ଳାନ ଦାସ ,ଲୋକସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *