ଧୂଆଁରେ ଲୋକେ କଲବଲ – ଚୁପ ବସିଛି ପ୍ରଶାସନ ଓ ପରିବେଶ ବିଭାଗ!
ଅବାଧ ଗଛ କଟା ଉପରେ ଲଗାମ ନାହିଁ!
ପଟ୍ଟାମୁଣ୍ଡାଇ ୨୩/୦୫/୨୦୨୬ (ଓଡ଼ିଶା ସମାଚାର)- ପରିବେଶ ପ୍ରଦୂଷଣ ରୋକିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ୱାରୋପ କରି ପ୍ରଚାର ପ୍ରସାର ଓ ପରିବେଶ ସୁରକ୍ଷା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ମାତ୍ର ପରିବେଶ ସୁରକ୍ଷା ଓ ପରିବେଶ ପ୍ରଦୂଷଣ ରୋକିବା କେବଳ କାଗଜ କଲମ ଓ ଭାଷଣବାଜିରେ ଚାଲିଛି । ପରିବେଶ ସୁରକ୍ଷା ପାଇଁ ରାଜ୍ୟ ସରକାର ଚାରା ରୋପଣ ଓ ପ୍ରଚାର ପ୍ରସାର ବାବଦରେ କୋଟି କୋଟି ଟଙ୍କା ଖର୍ଚ୍ଚ କରିଆସୁଛନ୍ତି । ମାତ୍ର ଏହାର କୌଣସି ପ୍ରଭାବ ତଳ ସ୍ତରରେ ପଡ଼ୁନାହିଁ । ବିଭିନ୍ନ ସ୍ଥାନରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ଲଗା ଯାଇଥିବା ଚାରା ଗୁଡିକ କିଛି ଦିନ ପରେ ଉଭାନ ହୋଇଯାଉଛି । ବନ ବିଭାଗ ବନ ମହୋତ୍ସବ କରି ନିଜର ଦାୟିତ୍ୱ ସାରି ଦେଉଛି ।
ପ୍ରକୃତିବନ୍ଧୁ ଓ ପ୍ରକୃତିମିତ୍ର ପୁରସ୍କାର ଚୟନ ଠିକଣା ଭାବେ ହେଉନଥିବାରୁ ପରିବେଶବିତ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଜଙ୍ଗଲ ବିଭାଗ କଟକଣା ସତ୍ୱେ ପ୍ରତ୍ୟହ ଅବାଧରେ ଶହ ଶହ ଗଛ କଟା ଚାଲିଛି । ଗଛ କଟା ବନ୍ଦ ଦିଗରେ ବନ ବିଭାଗ କୌଣସି ପଦକ୍ଷେପ ନନେଇ ଚୁପ ବସିଛି କେତେବେଳେ ବୃକ୍ଷ ଶୁନ୍ୟ ହୋଇ ମରୁଭୂମି ପରିସ୍ଥିତି ସୃଷ୍ଟି ହେବ କହି ହେବ ନାହିଁ । ଏଥି ପ୍ରତି ସରକାର ଓ ପ୍ରଶାସନର ନିଘା ନାହିଁ । ପରିବେଶ ସୁରକ୍ଷା ଦିଗରେ କଠୋର ପଦକ୍ଷେପ ନିଆଯାଉନଥିବାରୁ ପରିବେଶ ପ୍ରଦୂଷଣ ଦିନକୁ ଦିନ ବୃଦ୍ଧି ପାଉଛି । ଯାହାଫଳରେ ମୁକ୍ତ ନିର୍ମଳ ପାଣି ପବନ ପାଇବା କଷ୍ଟକର ହେଉଛି । ପରିବେଶ ପ୍ରଦୂଷଣ ଯୋଗୁଁ ବିଭିନ୍ନ ପ୍ରକାର ରୋଗ ଦେଖାଦେଉଛି । କଳା ଧୂଆଁ ବାହାରୁଥିବା ଗାଡି ଗୁଡିକ ରାସ୍ତାରେ ଚଳାଚଳ କରି ପରିବେଶ ପ୍ରଦୂଷଣ ବୃଦ୍ଧିରେ ସହାୟକ ହେଇଛନ୍ତି ।
ଏହି ଗାଡି ଗୁଡିକ ବନ୍ଦ ପାଇଁ ସରକାର ଓ ପ୍ରଶାସନ ପଦକ୍ଷେପ ନେଉନାହାନ୍ତି । ଜଙ୍ଗଲ ଓ ପରିବେଶ ବିଭାଗ ବିଫଳତା ଯୋଗୁଁ ପରିବେଶ ସୁରକ୍ଷା ପ୍ରଭାବିତ ହୋଇ ପ୍ରଚଣ୍ଡ ରୌଦ୍ର ତାପ ପରିସ୍ଥିତି ସୃଷ୍ଟି ହୋଇଛି । ଯାହାଫଳରେ ଅଂଶୁଘାତର ଶିକାର ହୋଇ ଲୋକମାନେ ମୃତ୍ୟୁ ମୁଖରେ ପଡୁଛନ୍ତି । ପରିବେଶ ସୁରକ୍ଷା ଦୂରରେ ଥାଉ ପରିବେଶ ପ୍ରଦୂଷଣ ଅନେକାଂଶରେ ବୃଦ୍ଧି ପାଇଛି । ପରିବେଶର ପ୍ରତିକୂଳ ପ୍ରଭାବ ଯୋଗୁଁ ପ୍ରଚଣ୍ଡ ରୌଦ୍ର ତାପ ପରିସ୍ଥିତି ସୃଷ୍ଟି ହୋଇଛି । ପ୍ରଚଣ୍ଡ ରୌଦ୍ର ତାପରେ ଲୋକମାନେ କଲବଲ ହେଉଥିବାବେଳେ ପଟ୍ଟାମୁଣ୍ଡାଇର ବିଭିନ୍ନ ଅଂଚଳ ରେ ବେଆଇନ ଇଟା ଭାଟି ତିଆରି ଚାଲିଛି ।
ସରକାରୀ ନିୟମ ଓ ପରିବେଶ ଅନୁମତି ପ୍ରତି ଧ୍ୟାନ ଦିଆ ଯାଇନାହିଁ । ପ୍ରଚଣ୍ଡ ରୌଦ୍ର ତାପ ସ୍ଥିତିକୁ ବେଆଇନ ଇଟା ଭାଟି ନିଆଁ ଓ ଧୂଆଁ ଅଧିକ ସଂଗୀନ ଓ ଗମ୍ଭୀର କରି ଦେଇଛି ।ଏଭଳି ସଂଗୀନ ପରିସ୍ଥିତି ଦେଖି ସରକାର ଓ ଜିଲ୍ଲା ତଥା ସ୍ଥାନୀୟ ପ୍ରଶାସନ ଚୁପ ରହିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅନ୍ତତଃ ପକ୍ଷେ ପ୍ରଚଣ୍ଡ ରୌଦ୍ର ତାପ ପରିସ୍ଥିତି ସୁଧୁରିଲେ ଇଟା ଭାଟି ତିଆରି ପାଇଁ ଅନୁମତି ଦେବା ଦରକାର ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ପରିବେଶ ସୁରକ୍ଷା ଓ ପ୍ରଦୂଷଣ ଠିକଣା ଭାବେ ରୋକା ଯାଉନଥିବାରୁ ପ୍ରଚଣ୍ଡ ରୌଦ୍ର ତାପ ଅସହ୍ୟ ଗୁଳଗୁଳି ପରିସ୍ଥିତି ସୃଷ୍ଟି ହୋଇଥିବାବେଳେ ବେଆଇନ ଇଟା ଭାଟି ନିଆଁ ଓ ଧୂଆଁ ପରିସ୍ଥିତିକୁ ଅଧିକ ସଂଗୀନ ଓ ଗମ୍ଭୀର କରିଛି । ରାଜ୍ୟ ସରକାର ଜଙ୍ଗଲ ପରିବେଶ ବିଭାଗ ଜିଲ୍ଲା ଓ ସ୍ଥାନୀୟ ପ୍ରଶାସନ ଦୃଷ୍ଟି ଦେଇ ବିହିତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି ।
