ଯାଜପୁର,୨୩/୦୫/୨୬(ଓଡ଼ିଶା ସମାଚାର)- ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବସେବା ବିଭାଗ ପକ୍ଷରୁ ବିଭିନ୍ନ କ୍ରୀଡ଼ା ବର୍ଗରେ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର- ୨୦୨୫ ପାଇଁ ମନୋନୟନ ପତ୍ର ଆହ୍ୱାନ କରାଯାଇଛି। କ୍ରୀଡ଼ା କ୍ଷେତ୍ରରେ କୌଣସି ବ୍ୟକ୍ତି କିମ୍ବା ଅନୁଷ୍ଠାନଙ୍କ ଅବଦାନକୁ ସ୍ୱୀକୃତି ସହ ସମ୍ବର୍ଦ୍ଧନା ଦେବା ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଏ। ଆବେଦନ କିମ୍ବା ମନୋନୟନର ଶେଷ ତାରିଖ ୧୦ ଜୁନ୍ ୨୦୨୬ ଅପରାହ୍ନ ୫ ଘଟିକା ଯାଏଁ ଧାର୍ଯ୍ୟ କରାଯାଇଛି। ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାରରେ ୧୯ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଛି।
୨୯ ଅଗଷ୍ଟରେ ଜାତୀୟ କ୍ରୀଡ଼ା ଦିବସ ଅବସରରେ ଏହି ପୁରସ୍କାର ପ୍ରଦାନ କରାଯିବ। କ୍ରୀଡ଼ା କ୍ଷେତ୍ରରେ ଆଜୀବନ ଉପଲବ୍ଧି, କ୍ରୀଡ଼ାରେ ଉଲ୍ଲେଖନୀୟ କୃତିତ୍ୱ ଲାଭ କରିଥିବା ବର୍ଷର ଶ୍ରେଷ୍ଠ କ୍ରୀଡାବିତ, କ୍ରୀଡ଼ା ପ୍ରଶିକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ, କ୍ରୀଡ଼ା ପ୍ରୋତ୍ସାହନ ପାଇଁ ସର୍ବୋତ୍କୃଷ୍ଟ ଅବଦାନ, କ୍ରୀଡ଼ା ସାମ୍ବାଦିକତା କ୍ଷେତ୍ରରେ ଉତ୍କର୍ଷ, ବର୍ଷର ଶ୍ରେଷ୍ଠ ଦିବ୍ୟାଙ୍ଗ କ୍ରୀଡାବିତ, ବର୍ଷର ଶ୍ରେଷ୍ଠ କନିଷ୍ଠ ଉଦୀୟମାନ କ୍ରୀଡାବିତ ଏବଂ ବର୍ଷର ଶ୍ରେଷ୍ଠ କ୍ରୀଡା ବୈଷୟିକ ଅଧିକାରୀ/ ସହକାରୀ କର୍ମକର୍ତ୍ତା ଭଳି ୮ ଟି ବର୍ଗରେ ମନୋନୟନ ପାତ୍ର ଆହ୍ୱାନ କରାଯାଇଛି। ବିଭିନ୍ନ ବର୍ଗରେ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପାଇଁ ସବିଶେଷ ମାର୍ଗଦର୍ଶିକା, ପୁରସ୍କାର ରାଶି, ଆବେଦନ ପାଇଁ ଫର୍ମ ଇତ୍ୟାଦି କ୍ରୀଡ଼ା ଓ ଯୁବସେବା ବିଭାଗ ୱେବସାଇଟରେ ଉପଲବ୍ଧ ଅଛି।
କ୍ରୀଡ଼ା ବିଭାଗର ନିର୍ଦ୍ଦେଶକଙ୍କ ପକ୍ଷରୁ ଜାରି ନୋଟିଫିକେସନ୍ ଅନୁଯାୟୀ, ଆବେଦନକାରୀ ଅଫଲାଇନ ପଦ୍ଧତିରେ ମନୋନୟନ ପତ୍ର ଦାଖଲ କରୁଥିଲେ ମନୋନୟନ ପତ୍ର ଓ ସମସ୍ତ ସମ୍ପର୍କିତ କାଗଜପତ୍ର ସହିତ “ନିର୍ଦ୍ଦେଶକ, କ୍ରୀଡ଼ା, କ୍ରୀଡ଼ା ଓ ଯୁବସେବା ବିଭାଗ, କଳିଙ୍ଗ ଷ୍ଟାଡିୟମ, ନୂଆପଲ୍ଲୀ, ଭୁବନେଶ୍ୱର- ୭୫୧୦୧୨” ଠିକଣାରେ ଡାକ କିମ୍ବା କୋରିଅର ସେବା ଯୋଗେ ପ୍ରେରଣ କରିପାରିବେ। ଯାଜପୁର ଜିଲ୍ଲାର ଇଚ୍ଛୁକ ଆବେଦନକାରୀ କ୍ରୀଡାବିତଙ୍କ ଅବଗତି ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ସମ୍ବନ୍ଧୀୟ ସୂଚନା ଦିଆଯାଇଛି।
