କେନ୍ଦ୍ରାପଡ଼ା, ୦୫/୦୪/୨୦୨୫(ଓଡ଼ିଶା ସମାଚାର)- ପବିତ୍ର ଉତ୍କଳ ଦିବସରୁ ଆରମ୍ଭ ହୋଇ ଓଡିଆ ନୂଆବର୍ଷର ପ୍ରଥମ ଦିବସ ଅର୍ଥାତ ପଣାସଂକ୍ରାନ୍ତୀ ପର୍ଯ୍ୟନ୍ତ ପାଳିତ ହେଉଥିବା ପକ୍ଷର ପଂଚମ ଦିବସ ଶନିବାର ସକାଳେ ଏକ ବିରାଟ ଗଣଦୌଡ ଜିଲା ପ୍ରଶାସନ ପକ୍ଷରୁ ଆୟୋଜିତ ହୋଇଥିଲା । ଅତିରିକ୍ତ ଜିଲାପାଳ ନିଲୁ ମହାପାତ୍ର ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ । ଗଣଦୌଡ ସକାଳ ୬ଟାରୁ ଆରମ୍ଭ ହୋଇ ସାଢେ ୭ଟାରେ ସମାହିତ ହୋଇଥିଲା ।
ଏହା ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ବାହାରି ପୁରୁଣା ବସଷ୍ଟାଣ୍ଡ, ବଡହାଟ, କାକଟ, ଗଣାମାହାଲ, ନୂଆ ବସଷ୍ଟାଣ୍ଡ, ବାଇପାସ ରାସ୍ତା, କଚେରି ରୋଡ ଦେଇ ପୁନର୍ବାର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପହଂଚିଥିଲା । ଏହାପରେ ଅନୁଷ୍ଠିତ ସଭାରେ ଅତିରିକ୍ତ ଜିଲାପାଳ ଶ୍ରୀ ମହାପାତ୍ର ଗଣଦୌଡର ଉଦେଶ୍ୟ ବର୍ଣ୍ଣନା କରି ଆମର ଐତିହ୍ୟ, ସଂସ୍କୃତି ଓ ପରମ୍ପରାକୁ ରକ୍ଷା କରିବା ନିମନ୍ତେ ପରାମର୍ଶ ଦେଇଥିଲେ ।
ସାହିତ୍ୟ ସଂସଦ ସଭାପତି କରୁଣାକର ଦାସ ଏହାର ତାତ୍ପର୍ଯ୍ୟ ବର୍ଣ୍ଣନା କରିଥିଲେ । ଏହି ଗଣଦୌଡରେ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ଅବସରପ୍ରାପ୍ତ କର୍ମଚାରୀ, ବିଭିନ୍ନ କ୍ରୀଡା ଅନୁଷ୍ଠାନର ଛାତ୍ରଛାତ୍ରୀ, ବିଭିନ୍ନ ଶିକ୍ଷାନୁଷ୍ଠାନର ଶିକ୍ଷକ, ଶିକ୍ଷୟିତ୍ରୀମାନେ ଯୋଗଦେଇଥିଲେ । କାର୍ଯ୍ୟକ୍ରମର ସଫଳତା ପାଇଁ ଜିଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
