ସମ୍ବଲପୁର୧୯/୦୫/୨୦୨୬ (ଓଡ଼ିଶା ସମାଚାର)- ସମ୍ବଲପୁରରେ ଆଜି ମଙ୍ଗଳବାର କୁଖ୍ୟାତ ଅପରାଧୀ ବଂଟି ସୁନା ପୋଲିସ ର ଏନକାଉଂଟରରେ ଆହତ ହୋଇଛି । ତାର ବାମ ଗୋଡ଼ରେ ଗୁଳି ବାଜିଛି । ଆହତ ଅବସ୍ଥାରେ ତାକୁ ବୁର୍ଲା ମେଡିକାଲରେ ଭର୍ତି କରାଯାଇଛି । ଅଭିଯୁକ୍ତ ବଂଟି ଠାରୁ ବେଆଇନ ଅସ୍ତ୍ରଶସ୍ତ୍ର ଓ ଗେଞ୍ଜଇ ଜବତ କରିଛି ସମ୍ବଲପୁର ପୋଲିସ । କୁଖ୍ୟାତ ଅପରାଧୀ ବଂଟି ନାଁରେ ସମ୍ବଲପୁର ଓ ବଲାଙ୍ଗିର ଜିଲାରେ ରହିଛି ୧୬ରୁ ଉର୍ଦ୍ଧ୍ୱ ଅପରାଧିକ ମାମଲା । ସମ୍ବଲପୁର ଏସପି ମୁକେଶ କୁମାର ଭାମୁ ଏନେଇ ସୂଚନା ପ୍ରଦାନ କରିଛନ୍ତି ।
ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ସମ୍ବଲପୁର ଅଇଁଠାପାଲି ଥାନା ଅଂଚଳରେ ନିକଟ ଅତୀତରେ ବେଆଇନ ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ଜବତ ହେବା ଘଟଣାର ତଦନ୍ତରୁ ଜଣାପଡ଼ିଛି ଯେ, ବହୁ ଅସ୍ତ୍ରଶସ୍ତ୍ର ଅପରାଧ, ରାହାଜାନି ଏବଂ ଡକାୟତି ମାମଲାରେ ସଂପୃକ୍ତ ଥିବା ଜଣେ ଅଭ୍ୟାସଗତ ଅପରାଧୀ ବଂଟି ସୁନା ।
ବୌଦ୍ଧ-ସୋନପୁର ରୁଟ୍ ଆନ୍ତଃରାଜ୍ୟ ଗେଞ୍ଜଇ ଚୋରା ଚାଲାଣ ନେଟୱର୍କରେ ସକ୍ରିୟ ସେ ରହିଛି । ଏଥିସହ ତା’ ନାଁରେ ଗେଞ୍ଜଇ ଚୋରାଚାଲାଣ ସହ ବେଆଇନ ଅସ୍ତ୍ରଶସ୍ତ୍ର କରବାରର ଏକାଧିକ ଅଭିଯୋଗ ରହିଛି । ସୋନପୁରରୁ ସମ୍ବଲପୁରକୁ ଗଂଜେଇ ଚୋରା ଚାଲାଣ ବେଳେ ପୁଲିସ ଉପରକୁ ଗୁଳି ଚଳାଇଥିଲା । ପୋଲିସ ର ପାଲଟା ଜବାବରେ ସେ ଆହତ ହୋଇଛି ।
ସନ୍ଧ୍ୟା ପ୍ରାୟ ୫.୪୦ ସମୟରେ ପୁଲିସ ସନ୍ଦିଗ୍ଧ ଟାଟା ଟିଆଗୋ ଗାଡ଼ିକୁ ଅଟକାଇବାକୁ ଇଙ୍ଗିତ କରିଥିଲା। କିନ୍ତୁ ସେ ଦ୍ରୁତ ଗତିରେ ପଳାଇବାକୁ ଚେଷ୍ଟା କରୁଥିବା ପୁଲିସ ଅଭିଯୋଗ କରିଛି। ଏହି ସମୟରେ ଗାଡ଼ିଟି ନିୟନ୍ତ୍ରଣ ହରାଇ ଓଲଟି ପଡ଼ିଥିଲା। ପରେ ବଣ୍ଟି ଗାଡ଼ିରୁ ବାହାରି ଆସି ପିସ୍ତଲରୁ ପୁଲିସ ଦଳ ଉପରେ ଗୁଳି ଚଳାଇଥିବା ଅଭିଯୋଗ ହୋଇଛି। ଆତ୍ମସମର୍ପଣ କରିବାକୁ ପୁଲିସ ବାରମ୍ବାର ଚେତାବନୀ ଦେବା ସତ୍ତ୍ୱେ, ସେ ପୁଲିସ କର୍ମଚାରୀଙ୍କ ଉପରକୁ ଗୁଳି ଚଳାଇ ଚାଲିଥିଲେ। ନିଜକୁ ରକ୍ଷା କରିବା ଓ ତାକୁ ଧରିବା ପାଇଁ ପୁଲିସ ଗୁଳି ଚାଳନା କରିଥିଲା। ଯେଉଁଥିରେ ସେ ଆହତ ହୋଇଛି।
ଆହତ ପରେ ବଣ୍ଟିକୁ ତୁରନ୍ତ ଚାରମାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା ଏବଂ ପରେ ଭିମସାରକୁ ରେଫର କରାଯାଇଥିଲା। ଗାଡ଼ିର ତଲାସି ସମୟରେ, ପୁଲିସ ଏଟିଏମ କାର୍ଡ, ନଗଦ ଟଙ୍କା ଏବଂ ଡିଏଲ ଥିବା ଏକ ପର୍ସ ସହ ଗଞ୍ଜେଇ ଜବତ କରିଛି।
