ଗରଦପୁର କୃଷି କାର୍ଯ୍ୟାଳୟର ଆସିଷ୍ଟାଂଟ ଟେକନୋଲୋଜି ମ୍ୟାନେଜର ଦୁଇ ହଜାର ଟଙ୍କା ଲାଂଚ ନେବାବେଳେ ଭିଜିଲାନ୍ସ ଦ୍ୱାରା ଧରାପଡ଼ି ଗିରଫ ହେଲେ 

ପାଟକୁରା, ୨୩/୧୨/୨୦୨୩ (ଓଡ଼ିଶା ସମାଚାର/ ଦୀପ୍ତିରଂଜନ କାନୁନଗୋ)-ଗରଦପୁର କୃଷି ବିଭାଗ କର୍ଯ୍ୟାଳୟରେ ଆସିଷ୍ଟାଂଟ ଟେକନୋଲୋଜି ମ୍ୟାନେଜର ଭାବେ କାର୍ଯ୍ୟ କରୁଥିବା ରାଜେଶ କୁମାର ସେନାପତି ଆଜି ଭିଜିଲାନ୍ସ ଦ୍ୱାରା ଟ୍ରାପ୍ ହୋଇଛନ୍ତି । ବିଲ ପାସ୍ କରାଇଦେବା ପାଇଁ ଜଣେ ଧାନ ଉଡ଼ା ମେସିନ୍ ସପ୍ଲାୟର ଙ୍କ ଠାରୁ ଦୁଇ ହଜାର ଟଙ୍କା ଲାଂଚ ଗ୍ରହଣ କରୁଥିବାବେଳେ ଭିଜିଲାନ୍ସ ଟିମ୍ ଦ୍ୱାରା ଧରାପଡ଼ିଥିଲେ । ଏହି ଅଭିଯୋଗରେ ଶ୍ରୀ ସେନାପତିଙ୍କୁ ଭିଜିଲାନ୍ସ ଟିମ୍ ଗିରଫ କରିଥିଲା । ସୂଚନା ଅନୁଯାୟୀ ଜଣେ ଏମବିଏ ସ୍ନାତକ ଯୁବକ ତଥା ଉଦିୟମାନ ଯୁବ ଉଦ୍ୟୋଗି ସରକାରୀ ନୀତି ନିୟମ ଅନୁଯାୟୀ ଅନଲାଇନ୍ ରେ ଅର୍ଡ଼ର ପ୍ରାପ୍ତ ଉପଭୋକ୍ତାଙ୍କୁ ଧାନ କଟା ମେସିନ୍ ଯୋଗାଣ କରୁଥିଲେ । କିନ୍ତୁ ତାଙ୍କ ପେମେଂଟ ପାଇଁ ସେ ବାରମ୍ବାର ଗରଦପୁର କୃଷି କାର୍ଯ୍ୟାଳୟକୁ ଦୌଡ଼ି ନିରାଶ ହୋଇଥିଲେ । ଆସିଷ୍ଟାଂଟ ଟେକନୋଲୋଜି ମ୍ୟାନେଜର ଶ୍ରୀ ସେନାପତି ତାଙ୍କୁ ହଇରାଣ ହରକତ କରୁଥିବାବେଳେ ବିଲ ପାସ କରାଇ ଦେବା ପାଇଁ ଲାଂଚ ଦାବି କରିଥିଲେ । ଶ୍ରୀ ସେନାପତି ଅନ୍ୟ ଯୋଗାଣକାରୀଙ୍କୁ ମଧ୍ୟ ହଇରାଣ କରୁଥିବା ଏବଂ ବିଲ ରିଲିଜ ପାଇଁ ଲାଂଚ ସଂଗ୍ରହ କରୁଥିବା ଅଭିଯୋଗ ହୋଇଥିଲା । ଅନ୍ୟ କୌଣସି ଉପାୟ ନପାଇ ଯୋଗାଣକାରୀ ଯୁବ ଉଦ୍ୟୋଗି ଟୋଲ ଫ୍ରି ନମ୍ବର ୧୦୬୪ ରେ ଓଡ଼ିଶା ଭିଜିଲାନ୍ସ ସହିତ ଯୋଗାଯୋଗ କରିଥିଲେ । ଏହି ବେଆଇନ୍ କାରବାର ଅଭିଯୋଗକୁ ଭିତିକରି ଭିଜିଲାନ୍ସ ଟିମ ଜାଲ ବିଛାଇଥିଲେ । ସେହି ଅନୁଯାୟୀ ଆସିଷ୍ଟାଂଟ ଟେକନୋଲୋଜି ମ୍ୟାନେଜର ଶ୍ରୀ ସେନାପତି ଅଭିଯୋଗକାରୀଙ୍କ ଠାରୁ ଦୁଇ ହଜାର ଟଙ୍କା ଲାଂଚ ଗ୍ରହଣ କରୁଥିବାବେଳେ କୃଷି କାର୍ଯ୍ୟାଳୟ ପରିସରରେ ଓଡ଼ିଶା ଭିଜିଲାନ୍ସ ଟିମ ଦ୍ୱାରା ଧରାପଡ଼ିଥିଲେ । ଶ୍ରୀ ସେନାପତିଙ୍କ ଠାରୁ ଲାଂଚ ଟଙ୍କା ଜବତ କରାଯାଇ ସକ୍ଷୀଙ୍କ ଉପସ୍ଥିତିରେ ରାସାୟନିକ ପରୀକ୍ଷା କରାଯାଇଥିଲା । ଏହା ପରେ ଶ୍ରୀ ସେନାପତିଙ୍କୁ ଭିଜିଲାନ୍ସ ଟିମ ତାଙ୍କୁ ଗିରଫ କରିବା ସହିତ ଏକକାଳୀନ ତାଙ୍କ ପାଖଡ଼ସ୍ଥିତ ପୈତୃକ ଘର ଏବଂ କୃଷି କାର୍ଯ୍ୟାଳୟ ପ୍ରକୋଷ୍ଠରେ ଏକ କାଳୀନ ଯାଂଚ ଚାଲିଛି । ଏ ସମ୍ପର୍କରେ କଟକ ଭିଜିଲାନ୍ସ କେଶ ନଂ ୩୯ ପଂଜିକୃତ ହୋଇ ତଦନ୍ତ ଜାରି ରହିଛି ।

Leave a Reply

Your email address will not be published. Required fields are marked *