ଭର୍ଚୁଆଲ୍ ମୋଡ୍ ରେ ଚାଲିବ ହାଇକୋର୍ଟ

୧୯ ଓ ୨୧ରେ ସମସ୍ତ ବେଂଚ ଆଭାସୀ ମାଧ୍ୟମରେ କରିବେ କାର୍ଯ୍ୟ
କଟକ,୧୯/୦୫/୨୦୨୬(ଓଡ଼ିଶା ସମାଚାର)-ଭାରତ ସରକାରଙ୍କ କାର୍ମିକ ଓ ପ୍ରଶିକ୍ଷଣ ବିଭାଗ ଏବଂସର୍ବୋଚ୍ଚ ନ୍ୟାୟାଳୟଙ୍କ ପକ୍ଷରୁ ଜାରି ହୋଇଥିବା ନିର୍ଦେଶାବଳୀକୁ ଅନୁସରଣ କରି ଓଡ଼ିଶା ଉଚ୍ଚ ନ୍ୟାୟାଳୟ ପକ୍ଷରୁ ନ୍ୟାୟାଳୟର କାର୍ଯ୍ୟପ୍ରଣାଳୀ ଓ କର୍ମଚାରୀଙ୍କ ରୋଷ୍ଟର ବ୍ୟବସ୍ଥା ସମ୍ବନ୍ଧରେ ନୂତନ ବ୍ୟବସ୍ଥା ଜାରି କରାଯାଇଛି । ଉଚ୍ଚ ନ୍ୟାୟାଳୟର ନୋଟିସ୍ ଅନୁଯାୟୀ, ଆସନ୍ତା ୧୯ ଓ ୨୧ ତାରିଖରେ ସମସ୍ତ ବେଂଚ ଆଭାସୀ ମାଧ୍ୟମରେ କାର୍ଯ୍ୟ କରିବେ । ଏଥିସହ ଗ୍ରୀଷ୍ମ ଅବକାଶ ସମୟରେ କାର୍ଯ୍ୟରତ ସମସ୍ତ ଛୁଟିକାଳୀନ ବେଂଚ ଆଭାସୀ ମାଧ୍ୟମରେ କାର୍ଯ୍ୟ କରିବେ ।

ନ୍ୟାୟାଳୟ ଓ ରେଜିଷ୍ଟ୍ରିର କାର୍ଯ୍ୟ ନିରବଚ୍ଛିନ୍ନ ଭାବେ ଚାଲୁ ରଖିବା ପାଇଁ ସମସ୍ତ ସୁପରିଟେଣ୍ଡେଂଟ ମାନଙ୍କୁ ତାଙ୍କ ଅଧୀନରେ କାର୍ଯ୍ୟରତ କର୍ମଚାରୀଙ୍କ ନିମନ୍ତେ ରୋଷ୍ଟର ତାଲିକା ପ୍ରସ୍ତୁତ କରିବାକୁ କୁହାଯାଇଛି । ଏହି ବ୍ୟବସ୍ଥାରେ ସର୍ବନିମ୍ନ ୫୦ ପ୍ରତିଶତ କର୍ମଚାରୀଙ୍କ ପ୍ରତ୍ୟକ୍ଷ ଉପସ୍ଥିତି ନ୍ୟାୟାଳୟରେ ନିଶ୍ଚିତ କରିବାକୁ ନିର୍ଦେଶ ଦିଆଯାଇଛି । ଯେଉଁ କର୍ମଚାରୀମାନେ କାର୍ଯ୍ୟ ତାଲିକା ଅନୁଯାୟୀ ନ୍ୟାୟାଳୟରେ ଉପସ୍ଥିତ ରହିବେ ନାହିଁ, ସେମାନେ କାର୍ଯ୍ୟାଳୟ ସମୟ ମଧ୍ୟରେ ଟେଲିଫୋନ, ମୋବାଇଲ ଓ ଇଲେକ୍ଟ୍ରୋନିକ୍ ମାଧ୍ୟମରେ ସର୍ବଦା ଉପଲବ୍ଧ ରହିବେ । ଆବଶ୍ୟକ ପଡ଼ିଲେ ସେମାନଙ୍କୁ ତୁରନ୍ତ କାର୍ଯ୍ୟାଳୟରେ ଉପସ୍ଥିତ ହେବାକୁ ପଡ଼ିବ ବୋଲି ନିର୍ଦେଶ ଦିଆଯାଇଛି । କୌଣସି ବିଭାଗରେ କାର୍ଯ୍ୟଶୈଳୀ ପ୍ରଭାବିତ ହେଉଥିଲେ ସମ୍ପୃକ୍ତ ସୁପେରିଟେଣ୍ଡେଂଟ ସଂଶୋଧିତ କାର୍ଯ୍ୟ ତାଲିକା ରେଜିଷ୍ଟାରଙ୍କ ନିକଟରେ ଦାଖଲ କରିପାରିବେ ।

ସମସ୍ତ ସମ୍ପୃକ୍ତ ଅଧିକାରୀମାନେ ବିଳମ୍ବ ନକରି ସମୟସୀମା ମଧ୍ୟରେ ସମ୍ପୃକ୍ତ ବିଭାଗ/ଶାଖାକୁନ୍ୟସ୍ତ କରାଯାଇଥିବା ସରକାରୀ କାର୍ଯ୍ୟ ଶେଷ କରିବା ନିଶ୍ଚିତ କରିବେ । ଏହା ସହିତ, ସମ୍ଭବ ଥିଲେ ସମସ୍ତ ବୈଠକ ଆଭାସୀ ମାଧ୍ୟମରେ ଆୟୋଜନ କରିବାକୁ କୁହାଯାଇଛି । କେବଳ ଜରୁରୀକାଳୀନ ପରିସ୍ଥିତିରେ ପ୍ରତ୍ୟକ୍ଷ ବୈଠକ ଆୟୋଜିତ ହେବ ।

Leave a Reply

Your email address will not be published. Required fields are marked *