ଭୁବନେଶ୍ୱର,୧୯/୦୫/୨୦୨୬(ଓଡ଼ିଶା ସମାଚାର)- ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ମଙ୍ଗଳବାର ଭୁବନେଶ୍ୱରରେ ପୂର୍ବାଂଚଳ କୃଷି ସମ୍ମିଳନୀ ଆୟୋଜିତ ହେବ । ଏହି ଗୁରୁତ୍ୱପୂର୍ଣ୍ଣ ସମ୍ମିଳନୀକୁ ଅଧ୍ୟକ୍ଷତା କରିବେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂହ ଚୌହାନ । ଏହି ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ବିଭିନ୍ନ ରାଜ୍ୟର କୃଷି ମନ୍ତ୍ରୀ, ବରିଷ୍ଠ ଅଧିକାରୀ, ବୈଜ୍ଞାନିକ, କୃଷକ ପ୍ରତିନିଧି, କୃଷି ବିଶେଷଜ୍ଞ,କୃଷକ ଉତ୍ପାଦକ ସଂଗଠନ (ଏଫପିଓ), ଷ୍ଟାର୍ଟଅପ୍, ବ୍ୟାଙ୍କ ଏବଂ ଅନ୍ୟାନ୍ୟ ଅଂଶୀଦାରମାନେ ଯୋଗଦେବେ ।
ସମ୍ମିଳନୀର ଉଦ୍ଧେଶ୍ୟ ହେଉଛି କୃଷି କ୍ଷେତ୍ରର ସାମଗ୍ରିକ ବିକାଶକୁ ପ୍ରୋତ୍ସାହିତ କରିବା, କୃଷକଙ୍କ ଆୟ ବୃଦ୍ଧି କରିବା ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ୱୟକୁ ଆହୁରି ସୁଦୃଢ଼ କରିବା । ସମ୍ମିଳନୀ ସମୟରେ, କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟର ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମର ଅଗ୍ରଗତି ସମୀକ୍ଷା କରାଯିବ । ଏଥିସହିତ କୃଷି କ୍ଷେତ୍ର ସହିତ ଜଡିତ ବିଭିନ୍ନ ବିଷୟ ଉପରେ ବିସ୍ତୃତ ଆଲୋଚନା କରାଯିବ । ସମ୍ମିଳନୀ ସମୟରେ କୃଷକ ରେଜିଷ୍ଟ୍ରିରେ ହୋଇଥିବା ପ୍ରଗତି, ଉଦ୍ୟାନ କୃଷି କ୍ଷେତ୍ରର ସମ୍ଭାବନା, ଡାଲି କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ମିଶନ୍, ଜାତୀୟ ଖାଇବା ତେଲ-ତୈଳବୀଜ ମିଶନ (ଏନଏମଇ ଓ ଓଏସ୍), ପିଏମ୍-ଆଶା, ଜାତୀୟ ପ୍ରାକୃତିକ କୃଷି ମିଶନ, କୃଷି ଋଣ ଏବଂ କିଷାନ କ୍ରେଡିଟ୍ କାର୍ଡ ସମ୍ପର୍କିତ ପ୍ରସଙ୍ଗ ଉପରେ ବିଶେଷ ଆଲୋଚନା କରାଯିବ ।
ବିଭିନ୍ନ ରାଜ୍ୟ ଦ୍ୱାରା ଗ୍ରହଣ କରାଯାଇଥିବା କୃଷି କ୍ଷେତ୍ରରେ ସଫଳ ପଦକ୍ଷେପ ଓ ନବସୃଜନକୁ ମଧ୍ୟ ପ୍ରଦର୍ଶିତ କରାଯିବ । ଓଡ଼ିଶା ଏହାର କୃଷି ସମ୍ପ୍ରସାରଣ କାର୍ଯ୍ୟ, ପଶ୍ଚିମବଙ୍ଗ ଏହାର ବିହନ ଉତ୍ପାଦନର ସର୍ବୋତମ ଅଭ୍ୟାସ, ଝାଡ଼ଖଣ୍ଡ ଏହାରଏଫପିଓ-ଆଧାରିତ ମୂଲ୍ୟ ଶୃଙ୍ଖଳ ଓ କୃଷି ଷ୍ଟାର୍ଟଅପ୍ ଇକୋସିଷ୍ଟମ ଏବଂ ବିହାର ମକା ଉତ୍ପାଦନ ଓ ବିପଣନ କ୍ଷେତ୍ରରେ ଏହାର ସଫଳ ଅଭିଜ୍ଞତା ବାଂଟିବ । କୃଷି କ୍ଷେତ୍ରରେ ବିଭିନ୍ନ ଆହ୍ୱାନର ମୁକାବିଲା, ନବସୃଜନ ବାଂଟିବା ଏବଂ କୃଷକମାନଙ୍କ ହିତକୁ ଦୃଷ୍ଟିରେ ରଖି ସ୍ଥାୟୀ ବିକାଶ ପାଇଁ ଭବିଷ୍ୟତ ରଣନୀତି ବିକଶିତ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମଂଚ ଭାବରେ ଏହା କାର୍ଯ୍ୟ କରିବ । ସମ୍ମିଳନୀ ପରେ କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ଗଣମାଧ୍ୟମକୁ ସମ୍ବୋଧିତ କରିବେ ।
