କଟକ,୧୮/୦୫/୨୦୨୬ (ଓଡ଼ିଶା ସମାଚାର)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଇନ୍ଧନ ସଂଚୟ କରିବା ଅପିଲ୍ ର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପଡିଛି ଓଡ଼ିଶା ଉପରେ । ଓଡ଼ିଶା ହାଇକୋର୍ଟର ୩ ବିଚାରପତି ସାଇକେଲରେ କୋର୍ଟକୁ ଯାଇଛନ୍ତି । ବିଚାରପତି ସାବିତ୍ରୀ ରଥ, ବିଚାରପତି ଭି ନରସିଂହ ଓ ବିଚାରପତି ଏସ୍. ଏସ୍ ମିଶ୍ର ସାଇକେଲରେ କୋର୍ଟକୁ ଯାଇଥିବା ଦେଖିବାକୁ ମିଳିଛି । ପେଟ୍ରୋଲ ଏବଂ ଡିଜେଲ ସଂଚୟ କରିବାର ବାର୍ତା ନେଇ ସଚେତନତା ସୃଷ୍ଟି କରିବା ପାଇଁ ଏହି ବିଚାରପତି ମାନେ ସାଇକେଲରେ କୋର୍ଟକୁ ଯାଇଛନ୍ତି ।
କିଛି ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପେଟ୍ରୋଲ ଓ ଡିଜେଲ ବ୍ୟବହାର କମାଇବା ସହ ପରିବେଶ ସନ୍ତୁଳନ ରକ୍ଷା ପାଇଁ ଆହ୍ୱାନ ଦେଇଥିଲେ । ସେଇ ଆଧାରରେ ଓଡ଼ିଶା ହାଇକୋର୍ଟର ଏହି ତିନି ଜଣ ବିଚାରପତି ସାଇକେଲରେ ଯାତ୍ରା କରିଛନ୍ତି । ଏମାନେ ଜୁଡିସିଆଲ ଏକାଡେମୀ ନିକଟରୁ ବାହାରି ହାଇକୋର୍ଟକୁ ସାଇକେଲ ଯୋଗେ ଯାଇଥିଲେ । ଯଦିଓ ସେମାନଙ୍କ ସାଙ୍ଗରେ ପିଏସଓ ଥିଲେ ହେଲେ ସେଭଳି କୌଣସି ଏସ୍କର୍ଟ କି ଅଧିକ ପୋଲିସ ନଥିବା ଦେଖିବାକୁ ମିଳିଥିଲା ।
ଉଲ୍ଲେଖଯୋଗ୍ୟ ଯେ, ପଶ୍ଚିମ ଏସିଆରେ ତୈଳ ସଙ୍କଟକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନସାଧାରଣ ମାନଙ୍କୁ ଇନ୍ଧନ ସଂଚୟ କରିବାକୁ ଅପିଲ୍ କରିଥିଲେ । ଜନସାଧାରଣଙ୍କୁ ପେଟ୍ରୋଲ ଏବଂ ଡିଜେଲ ବ୍ୟବହାର ହ୍ରାସ କରିବାକୁ, ଘରୁ କାମ କରିବାକୁ ଏବଂ ଆବଶ୍ୟକ ନଥିଲେ ବିଦେଶ ଯାତ୍ରା ନକରିବାକୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଥିଲେ । ଏମିତିକି ଗୋଟିଏ ବର୍ଷ ପାଇଁ ସୁନା ନକିବାକୁ ମଧ୍ୟ ଅନୁରୋଧ କରିଥିଲେ । ପ୍ରଧାନମନ୍ତ୍ରୀ ନିଜେ ତାଙ୍କ ଅପିଲ୍କୁ ପାଳନ କରିବାକୁ ଯାଇ ନିଜ କନଭୟକୁ ୫୦% ହ୍ରାସ କରିଛନ୍ତି । ତାଙ୍କ ସରକାରୀ କନ୍ଭୟରେ ଯାନବାହାନ ସଂଖ୍ୟା ଯଥେଷ୍ଟ ସୀମିତ ହୋଇଥିବା ଜଣାପଡିଛି ।
