ରାଜଧାନୀରେ ଉଦଯାପିତ ହେଲା ରାଜ୍ୟ ସ୍ତରୀୟ ଗଣକବି ଜୟନ୍ତୀ

ଭୁବନେଶ୍ୱର,୦୧/୧୨/୨୦୨୪ (ଓଡିଶା ସମାଚାର /ଅଭୟ ଜେନା)- ଓଡିଆ ଗୀତିନାଟ୍ୟ ଜଗତର ମୁକୁଟ ବିହୀନ ସମ୍ରାଟ, ପ୍ରଥିତଯଶା ସାରସ୍ୱତ ସାଧକ, ଗଣକବି ବୈଷ୍ଣବ ପାଣିଙ୍କ ୧୪୨ ତମ ଜନ୍ମ ଜୟନ୍ତୀ ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପ  ଠାରେ ଉଦଯାପିତ ହୋଇଯାଇଛି ।  ” ମାହାଙ୍ଗା ବିକାଶ ପରିଷଦ” ଆନୁକୂଲ୍ୟରେ ଆୟୋଜିତ ଏହି ସାରସ୍ୱତ ଉତ୍ସବରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥିଭାବେ ଯୋଗଦେଇ କହିଲେ ଯେ, ଗଣକବିଙ୍କ ସାହିତ୍ୟରେ ନିର୍ଯ୍ୟାତିତ ନିଷ୍ପେସିତ ଏବଂ ମେହେନତି ମଣିଷର ସ୍ୱର  ବେଶ ଶାଣିତ । ନାଟକ ମାଧ୍ୟମରେ ସେ ସମାଜରେ କ୍ରାନ୍ତି ଆଣିପାରିଥିଲେ । ମାହାଙ୍ଗା ବିକାଶ ପରିଷଦର ଅଧ୍ୟକ୍ଷ ତଥା ବିଧାୟକ ଶାରଦା ପ୍ରସାଦ ପ୍ରଧାନ ଉତ୍ସବରେ ଅଧ୍ୟକ୍ଷତା କରି କହିଲେ ଓଡିଆ ଜାତିର ଅସ୍ମିତାକୁ ନାଟକ, ଗଳ୍ପ, ଉପନ୍ୟାସ ଏବଂ କାବ୍ୟ କବିତା ଜରୀଆରେ ଗଣକବି ବୈଷ୍ଣବ ପାଣି ସମୃଦ୍ଧ ଓ ଶକ୍ତିଶାଳୀ କରିପାରିଥିବାରୁ, ସେ ଆଜି ଚିର ବନ୍ଦନୀୟ ହୋଇପାରିଛନ୍ତି । ଏହି ସାରସ୍ୱତ ସଭାରେ ଓଡିଆ ଭାଷା ଆନ୍ଦୋଳନର ଅଗ୍ରଣୀ ଜନ ନାୟକ ତଥା ବିଦ୍ୱାନ ପୁରୁଷ ଦେବୀ ପ୍ରସନ୍ନ ପଟ୍ଟନାୟକ ମୁଖ୍ୟ ବକ୍ତାଭାବେ ଯୋଗଦେଇ ବୈଷ୍ଣବ ପାଣିଙ୍କ କାଳଜୟୀ ସାହିତ୍ୟର ମୂଲ୍ୟାୟନ କରିଥିଲେ । ଏହି ଅବସରରେ ଡକ୍ଟର ଯେହରା ଜାବିନ ଏବଂ ଡକ୍ଟର ମନୋରଞ୍ଜନ ବେହୁରାଙ୍କ ଦ୍ୱାରା “ଗଣକବିଙ୍କ ଆତ୍ମ ଜୀବନୀ”ର ଇଂରାଜୀ ଅନୁବାଦିତ ପୁସ୍ତକ ଉନ୍ମୋଚିତ ହୋଇଥିଲା ।

 ସେହିପରି ସାହିତ୍ୟିକ ବିଜୟ ରାଉତ ଓ ସାହିତ୍ୟିକ ଅଶୋକ ରାଉତଙ୍କ ସମ୍ପାଦନାରେ “ପାଣିକବି ଙ୍କ ଆତ୍ମଜୀବନୀ”ର ପରିମାର୍ଜିତ ସଂସ୍କରଣ ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ଶିକ୍ଷାବିତ ଅକ୍ଷୟ କୁମାର ଷଢଙ୍ଗୀ ସ୍ୱାଗତ ଭାଷଣ ଦେଇଥିବା ବେଳେ, ଅଧ୍ୟାପକ ଅଶୋକ ରାଉତ ଅତିଥି ପରିଚୟ ପ୍ରଦାନ କରିଥିଲେ । ସାହିତ୍ୟିକ ଅଖିଳେଶ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

ଗଣକବି ଜୟନ୍ତୀ ସମାରୋହରେ ୨୫ ଟି ସାଂସ୍କୃତିକ ଅନୁଷ୍ଠାନ ଅଂଶଗ୍ରହଣ କରିଥିଲେ । ଶ୍ରେଷ୍ଠ ଗୀତିନାଟ୍ୟ ପ୍ରଦର୍ଶନ କରିଥିବା ଅନୁଷ୍ଠାନ ଗୁଡିକୁ ପୁରସ୍କୃତ କରାଯାଇଥିଲା । ଏହି ସାରସ୍ୱତ କାର୍ଯ୍ୟକ୍ରମକୁ କୃଷ୍ଣ ଚନ୍ଦ୍ର ମଲ୍ଲିକ ,ପନଙ୍ଗ ଭୂଷଣ ଦାସ, ଉପେନ୍ଦ୍ର ନାଥ ରଣା, ଶରତ କୁମାର ସାମଲ, ଶୁଭେନ୍ଦୁ ମହାନ୍ତି, ତାରାକାନ୍ତ ମହାପାତ୍ର,ଶ୍ୟାମ ସୁନ୍ଦର ପଲେଇ ପ୍ରମୁଖ ପରିଚାଳନା କରିଥିଲେ । କ୍ଷେତ୍ରପାଳିନୀ ପାଠାଗାର ମାଳିହତା ପକ୍ଷରୁ ଗୀତିନାଟ୍ୟ “ଲକ୍ଷ୍ମୀ ପୂଜା” ମଞ୍ଚସ୍ଥ ହୋଇଥିଲା ।

Leave a Reply

Your email address will not be published. Required fields are marked *