ଶ୍ରୀବଳଦେବଜୀଉ ମନ୍ଦିରରେ ଅଣହିନ୍ଦୁ ପ୍ରବେଶ

ପୋତାଗଲା ଅମଣିଆ ଭୋଗ ,ତିନିଘଂଟା ନୀତି ବିଳମ୍ବ
କେନ୍ଦ୍ରାପଡ଼ା,୧୭/୦୫/୨୦୨୬(ଓଡ଼ିଶା ସମାଚାର)-ଶ୍ରୀବଳଦେବଜହୀଉଙ୍କ ମନ୍ଦିରରେ ରବିବାର ଜଣେ ଅଣହିନ୍ଦୁ ମହିଳାଙ୍କ ପ୍ରବେଶକୁ ନେଇ ଅମଣିଆ ଭୋଗ ପୋତା ଯାଇଛି । ଏହାସହ ଶ୍ରୀଜୀଉଙ୍କ ନୀତି ତିନି ଘଂଟା ବିଳମ୍ବ ହୋଇଛି । ଏହି ଅଣହିନ୍ଦୁ ମହିଳା ଜଣଙ୍କ କେନ୍ଦ୍ରାପଡା ଜିଲାର ପଟ୍ଟାମୁଣ୍ଡାଇ ଅଂଚଳର ହୋଇଥିବା ବେଳେ ଗୋଆର ଜଣେ ଅଣହିନ୍ଦୁ ଯୁବକଙ୍କୁ ବିବାହ କରିଛନ୍ତି ବୋଲି ଜଣାପଡିଛି ।

ମହିଳା ଜଣଙ୍କ ବେକରେ ମଙ୍ଗଳସୁତ୍ର ସହ ଏକ କ୍ରସ ଚିହ୍ନଥିବା ଲକେଟ ପକାଇଥିଲେ । ପ୍ରାୟ ୧୨ଟା ୧୫ରେ ସଂପୃକ୍ତ ମହିଳା ଜଣଙ୍କ ନିଜ ଭଉଣୀ ସହ ଝୁଲଣ ମନ୍ଦିରରେ ବସିଥିବା ବେଳେ କ୍ରସ ଲକେଟକୁ ଦେଖି ସେବାୟତମାନଙ୍କର ସନ୍ଦେହ ସୃଷ୍ଟି ହୋଇଥିଲା । ସେବାୟତମାନେ ମହିଳାଙ୍କୁ ଅଟକାଇ ତାଙ୍କ ନାମ ପଚାରିଥିଲେ । ସେ ବେହେରା ସାଙ୍ଗିଆ ବୋଲି କହିଥିଲେ ।

ପରେ ସେବାୟତମାନେ ମହିଳାଙ୍କ ଆଧାର କାର୍ଡ ଯାଂଚ କରିବାରୁ ସେଥିରେ ତାଙ୍କ ସ୍ୱାମୀଙ୍କ ନାମ ଓ ସାଙ୍ଗିଆ ଅଣହିନ୍ଦୁ ବୋଲି ସ୍ପଷ୍ଟ ହୋଇଯାଇଥିଲା । ହେଲେ ମହିଳା ଜଣଙ୍କ ଗୋଆର ଜଣେ ଅଣହିନ୍ଦୁ ଯୁବକଙ୍କୁ ବିବାହ କରିଥିବାରୁ ତାଙ୍କ ପରମ୍ପରା ଅନୁଯାୟୀ କ୍ରସ ଚିହ୍ନ ପକାଇଥିବା ଶେଷରେ ସ୍ୱୀକାର କରିଥିଲେ । ସେବାୟତମାନେ ଉଭୟଙ୍କୁ ମନ୍ଦିର ପ୍ରଶାନକୁ ଜିମା ଦେଇଥିଲେ । ସେମାନେ ମନ୍ଦିର ପ୍ରଶାସନ ନିକଟରେ ନିଜର ଦୋଷ ସ୍ୱୀକାର କରି କ୍ଷମାପ୍ରାର୍ଥନା କରିବାରୁ ସେମାନଙ୍କୁ ଛାଡି ଦିଆଯାଇଥିଲା ବୋଲି ଶ୍ରୀବଳଦେବଜୀଉ ଦେବୋତର ନ୍ୟାସର ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *