ହେରୋଇନ୍ ଜବତ – ଗିରଫ ହେଲେ ନିଶାବେପାରୀ

ଜଗତସିଂହପୁର,୦୬/୦୫/୨୦୨୬ (ଓଡ଼ିଶା ସମାଚାର)- ଜଗତସିଂହପୁର ଥାନା ଅନ୍ତର୍ଗତ କଲେଜ ଛକ ଠାରେ ଚଢଉ କରି ଜଣେ ନିଶା ବେପାରୀଙ୍କୁ ଗିରଫ କରିଛି ଜଗତସିଂହପୁର ଅବକାରୀ ରେଞ୍ଜ।

ଯାଞ୍ଚ ପରେ ତାଙ୍କ ପାଖରୁ ୧୬ ଗ୍ରାମର ହେରୋଇନ୍ ଜବତ କରାଯାଇଛି। ସୂଚନାଯୋଗ୍ୟ ଯେ ମାଧପୁର ଗ୍ରାମର ପ୍ରଭାକର ଗୋଚ୍ଛାୟତଙ୍କ ପୁଅ ଚନ୍ଦନ ଗୋଚ୍ଛାୟତ ଦୀର୍ଘ ଦିନ ଧରି କଲେଜ ଛକ ଅଞ୍ଚଳରେ ବିଶେଷ କରି କଲେଜ କୁ ଆସୁଥିବା ଛାତ୍ରମାନଙ୍କୁ ଟାର୍ଗେଟ କରି ହେରୋଇନ ବିକ୍ରି କରୁଥିବା ସମ୍ପର୍କ ରେ ଜଗତସିଂହପୁର ଅବକାରୀ ରେଞ୍ଜ କୁ ଅଭିଯୋଗ ମିଳିଥିଲା। ଗ୍ରାହକଙ୍କୁ ଯୋଗାଣ ଉଦ୍ଦେଶ୍ୟରେ ସେ ଆଜି ହେରୋଇନ୍ ରଖିଥିବାର ସୂଚନା ପାଇବା ପରେ ଜଗତସିଂହପୁର ଅବକାରୀ ରେଞ୍ଜ ର ନିରିକ୍ଷକ ଶ୍ରୀକାନ୍ତ କୁମାର ପଟ୍ଟନାୟକ ଙ୍କ ନେତୃତ୍ବରର ଏକ ଟିମ୍ ଗଠନ ହୋଇଥିଲା । ଗ୍ରାହକ ବେଶରେ ଅଭିଯୁକ୍ତଙ୍କ ସହ ସମ୍ପର୍କ କରିଥିଲେ ଜଗତସିଂହପୁର ଅବକାରୀ ରେଞ୍ଜ ର କର୍ମଚାରୀ ଏବଂ ଡିଲ୍ ବେଳେ ଅଭିଯୁକ୍ତଙ୍କୁ କଲେଜ ଛକ ଠାରେ ମାଡିବସିଥିଲେ।

ଜବତ ହେରୋଇନ୍ ର ଆନୁମାନିକ କଳାବଜାରୀ ମୂଲ୍ୟ ପ୍ରାୟ ୧,୬୦,୦୦୦ ଟଙ୍କା ହେବ। ଅଭିଯୁକ୍ତଙ୍କୁ ଜିଲ୍ଲା ଦୌରାଜଜ ଜଗତସିଂହପୁରଙ୍କ ନିକଟରେ ହାଜର କରାଯାଇଥିବା ବେଳେ ଅଭିଯୁକ୍ତଙ୍କ ଜାମିନ ନାମଞ୍ଜୁର କରି ୧୪ଦିନିଆ ବିଚାର ବିଭାଗୀୟ ହାଜତ୍ କୁ ପଠାଇଛନ୍ତି। ନାର୍କୋଟିକ୍ସ ବ୍ୟବସାୟ ବିରୋଧରେ ଚଢାଉ କୁ ଅଧିକ ତୀବ୍ରତର କରାଯିବ ସହ ଶୂନ୍ୟସହନଶୀଳ ନୀତିରେ ଏହି ବ୍ୟବସାୟ ସହିତ ଜଡିତ ଥିବା ସମସ୍ତ ଅଭିଯୁକ୍ତଙ୍କୁ ଚିହ୍ନଟ କରି ସେମାନଙ୍କ ବିରୁଦ୍ଧରେ କଡା କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଆଗାମୀ ଦିନରେ ଅବକାରୀ ବିଭାଗ ତାର ପ୍ରୟାସ ଜାରି ରଖିବ ବୋଲି ଅବକାରୀ ଅଧିକ୍ଷିକା ଶ୍ରୀମତି ଅନିତା ପ୍ରଧାନ ପ୍ରକାଶ କରିଛନ୍ତି। ଅବକାରୀ ବିଭାଗ କୁ ଅଭିଯୁକ୍ତମାନଙ୍କ ର ଲୋକେସନ ଏବଂ କଲ ଟ୍ରାକିଙ୍ଗ ର ସୁବିଧା ପ୍ରଦାନ କରଗଲେ ଅବକାରୀ ବିଭାଗ ଅଧିକ କ୍ରିୟାଶୀଳ ହୋଇପାରିବ ବୋଲି ଜନସାଧାରଣରେ ମତ ପ୍ରକାଶ ପାଉଛି।

Leave a Reply

Your email address will not be published. Required fields are marked *