ବିଧାନସଭାର କମିଟି ସମ୍ପର୍କିତ ବୈଠକ ଜୟପୁର ଠାରେ ଅନୁଷ୍ଠିତ

ଆଗାମୀ ଦିନରେ କମିଟିଗୁଡିକୁ ଅଧିକ ପ୍ରଭାବଶାଳୀ କରାଯିବ: ବାଚସ୍ପତି ଶ୍ରୀମତୀ ସୁରମା ପାଢୀ

ଭୁବନେଶ୍ୱର,୦୬/୦୫/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ବିଧାନସଭାର କମିଟି ସମ୍ପର୍କିତ ଦ୍ଵିତୀୟ ସର୍ବଭାରତୀୟ ବାଚସ୍ପତି ସମ୍ମିଳନୀ ଜୟପୁରଠାରେ ଅନୁଷ୍ଠିତ ହୋଇଯାଇଅଛି । ମଧ୍ୟପ୍ରଦେଶର ବାଚସ୍ପତି ଶ୍ରୀ ନରେନ୍ଦ୍ର ସିଂ ତୋମାରଙ୍କ ଅଧ୍ୟକ୍ଷତାରେ ତଥା ରାଜସ୍ଥାନ ବିଧାନସଭା ଦ୍ଵାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ,  ହିମାଚଳପ୍ରଦେଶ, ସିକ୍କିମ ସମେତ ଓଡ଼ିଶାର ବାଚସ୍ପତି  ଶ୍ରୀମତୀ ସୁରମା ପାଢୀ ଏହି ସମ୍ମିଳନୀରେ ଯୋଗ ଦେଇଥିଲେ । ଲୋକସଭାର ବାଚସ୍ପତି ଶ୍ରୀ ଓମ୍ ବିର୍ଲାଙ୍କ ଦ୍ଵାରା ୭ଟି ବିଧାନସଭାର ବାଚସ୍ପତିଙ୍କୁ ନେଇ ଏହି କମିଟି ଗଠନ କରାଯାଇଛି । ଆଗାମୀ ଦିନରେ କମିଟି ବ୍ୟବସ୍ଥାକୁ କିପରି ଅଧିକ ଶୃଙ୍ଖଳିତ ଭାବରେ ସମ୍ପନ୍ନ କରାଯାଇପାରିବ ସେ ସମ୍ପର୍କରେ ଏହି କମିଟି ନୀତିଗତ ଭାବରେ ନିଷ୍ପତ୍ତି ଗ୍ରହଣ କରିବେ ।

ଏହି ସମ୍ମିଳନୀରେ ଯୋଗ ଦେଇ ବାଚସ୍ପତି ଶ୍ରୀମତୀ ପାଢୀ ନିଜର ମତ ଉପସ୍ଥାପନ କରି କହିଲେ ଯେ, ଭାରତର ସଂସଦୀୟ ପରମ୍ପରା ବ୍ୟବସ୍ଥାରେ ବିଧାନସଭା ହେଉଛି ଗଣତନ୍ତ୍ରର ମନ୍ଦିର । ଏଥି ପ୍ରତି ଜନସାଧାରଣଙ୍କର ଆଶା-ଆକାଂକ୍ଷା ଓ ବିଶ୍ଵାସକୁ ବଳବତ୍ତର ରଖିବା ଆମ ସମସ୍ତଙ୍କର କର୍ତ୍ତବ୍ୟ । ଏ କ୍ଷେତ୍ରରେ ଆମର ଉତ୍ତରଦାୟିତ୍ଵବୋଧ ରହିବା ଆବଶ୍ୟକ । ବିଧାନସଭା କମିଟି ବ୍ୟବସ୍ଥା, ସରକାରଙ୍କର ବିଭିନ୍ନ ଯୋଜନା ଏବଂ ଏହାର ସଫଳ ରୂପାୟନର ତଦାରଖ କରିବା ସହ ସୁଚିନ୍ତିତ ପରାମର୍ଶ ଦେଇଥାନ୍ତି ।

ଆମ ରାଜ୍ୟରେ ୪ ଟି ଫାଇନାନସିଆଲ୍ କମିଟି, ୧୦ ଟି ଡିପାର୍ଟମେଣ୍ଟ ସମ୍ପର୍କିତ ଷ୍ଟାଣ୍ଡିଂ କମିଟି, ୧୦ ଟି ହାଉସ୍ କମିଟି, ୫ ଟି ଷ୍ଟାଚ୍ୟୁଟାରୀ କମିଟି ଓ ୬ ଟି ଆଡ ହକ୍ କମିଟି ଏହିପରି ମୋଟ ୩୫ ଟି କମିଟି ରହିଛି । ଏହି କମିଟିଗୁଡିକର କାର୍ଯ୍ୟ ଓ ପରିସର ଖୁବ ବ୍ୟାପକ ଓ ଗୁରୁତ୍ଵପୂର୍ଣ୍ଣ । ଏହି କମିଟିଗୁଡିକ ଉଲ୍ଲେଖନୀୟ କାର୍ଯ୍ୟ କରୁଅଛନ୍ତି । ଆଗାମୀ ଦିନରେ ବିଧାନସଭାର ଏହି କମିଟିଗୁଡିକ କିପରି ଅଧିକ ପ୍ରଭାବଶାଳୀ ଢଙ୍ଗରେ କାର୍ଯ୍ୟ କରିବ ସେଥିପ୍ରତି ଆମକୁ ଦୃଷ୍ଟି ଦେବାକୁ ପଡ଼ିବ ।

ଏଠାରେ ସୂଚନାଯୋଗ୍ୟ ଯେ, ବିଧାନସଭା କମିଟିଗୁଡିକର ସମୀକ୍ଷା ସମ୍ପର୍କିତ ପ୍ରଥମ ବୈଠକ ଭୋପାଳଠାରେ  ୨୦୨୫ ମସିହା ଜୁଲାଇ ୧୪ ତାରିଖରେ ଅନୁଷ୍ଠିତ ହୋଇଥିବା ବେଳେ ପରବର୍ତ୍ତି ସମୟରେ ଏହାର ନିର୍ଣ୍ଣାୟକ ବୈଠକ ଆହୁତ ହୋଇ ସଭ୍ୟମାନଙ୍କର ସୁପାରିଶଗୁଡିକୁ ଭିତ୍ତି କରି ଏକ ଉତ୍ତମ ମାର୍ଗଦର୍ଶିକା ଚୂଡ଼ାନ୍ତ କରାଯିବ ।

ଏହି ସମ୍ମିଳନୀରେ ଅଧ୍ୟକ୍ଷତା କରି ମଧ୍ୟପ୍ରଦେଶର ବାଚସ୍ପତି ଶ୍ରୀ ତୋମାର ବାଚସ୍ପତିମାନଙ୍କୁ ପରାମର୍ଶ ଦେଇ କହିଲେ ଯେ, ସମସ୍ତ ରାଜ୍ୟଗୁଡିକ ବିଧାନସଭାର କମିଟି ଗଡିକର ଆଗାମୀ ଦିନର ରୂପରେଖ, କାର୍ଯ୍ୟ ପରିସର ଓ ଏହାର ବ୍ୟାପକତା ସମ୍ପର୍କରେ ନିଜର ସୁଚିନ୍ତିତ ପରାମର୍ଶ ଉପସ୍ଥାପନ କରିବା ଉଚିତ । ପରବର୍ତ୍ତି ସମୟରେ ନିର୍ଣ୍ଣାୟକ ବୈଠକ ବସି ଏ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରାଯିବ ।

ଏହି ସମ୍ମିଳନୀରେ ୬ ଟି ବିଧାନସଭାର ସଚିବଙ୍କ ସମେତ ଓଡ଼ିଶା ବିଧାନସଭାର ସଚିବ ଶ୍ରୀ ସତ୍ୟବ୍ରତ ରାଉତ ମଧ୍ୟ ଯୋଗ ଦେଇଛନ୍ତି ।

-0-

ବିଭୂତି ନାୟକ ,ଲୋକସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *