ପେସାଦାର ଚୋର ସମେତ ୨ ଗିରଫ:ଚୋରି ଲାପଟପ, ମୋବାଇଲ ଜବତ

କଟକ,୧୫/୦୫/୨୦୨୬ (ଓଡ଼ିଶା ସମାଚାର)- ବିଡାନାସୀ ଥାନା ପୋଲିସ ଜଣେ ପେସାଦାର ଚୋର ସହିତ ଚୋରି ଲାପଟପ କିଣିଥିବା ଜଣେ ବ୍ୟକ୍ତିକୁ ଗିରଫ କରିଛି । ଗିରଫ ଚୋର ଯାଜପୁର ଟାଉନ ଥାନା ଅନ୍ତର୍ଗତ ଦାଣ୍ଡସୁନ୍ଦରପୂରର ମୂଳ ବାସିନ୍ଦା ତଥା ବାଦାମବାଡ଼ି ଥାନା ଅନ୍ତର୍ଗତ ଖାନନଗର ବାରିକ ସାହିରେ ରହୁଥିବା ବାମଦେବ ସାହୁ (୫୩) । ଚୋରି ଲାପଟପ କିଣିଥିବା ଢେଙ୍କାନାଳ ରାଶୋଳ ଥାନା ଅନ୍ତର୍ଗତ ଗଣ୍ଡନାଳୀର ମୂଳ ବାସିନ୍ଦା ତଥା ଖାନନଗର ବାରିକ ସାହିରେ ରହୁଥିବା ଅଜୟ ପ୍ରଧାନ । ମିଳିଥିବା ସୂଚନା ଅନୁଯାୟୀ ଗତ ଏପ୍ରିଲ ୧୭ ତାରିଖ ଅପରାହ୍ନ ୪ଟା ବେଳେ ଧିରେନ କୁମାର ନାଏକ ଓ ତାଙ୍କ ସାଙ୍ଗ ଇସ୍କନ ମନ୍ଦିର ଉପର ମହଲାରେ ବିଶ୍ରାମ ନେବା ବେଳେ ତାଙ୍କ ଲାପଟପ୍ ଓ ମୋବାଇଲ ଫୋନ୍ ଚୋରି ହୋଇଯାଇଥିଲା ।

ସେ ଏ ନେଇ ବିଡାନାସୀ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ବିଭିନ୍ନ ସ୍ଥାନର ସିସିଟିଭି ଫୁଟେଜ୍ ସଂଗ୍ରହ କରି ଚୋରୀର ସୁରାକ ପାଇଥିଲା । ତଦନୁଯାୟୀ ବାମଦେବକୁ ଗିରଫ କରିଥିଲା ଓ ତା ନିକଟରୁ ୮ଟି ମୋବାଇଲ ଫୋନ, ଶାଢ଼ି, ଜିନ ପ୍ୟାନ୍ଟ, ଛୋଟ ପିଲାଙ୍କ ପୋଷାକ ଜବତ କରିଥିଲା । ସେ ଲାପଟପ୍ ବିକ୍ରି କରିଥିବା ଜାଣିବା ପରେ ଅଜୟ ନିକଟରୁ ଲାପଟପ୍ ଜବତ କରିବା ସହ ତାକୁ ମଧ୍ୟ ଗିରଫ କରିଛି । ଗିରଫ ବାମଦେବ ରାତିରେ ସିକ୍ୟୁରିଟି ଗାର୍ଡ କାମ କରୁଥିବା ବେଳେ ଦିନରେ ବୁଲି ବୁଲି ଚୋରି କରେ । ତା ବିରୁଦ୍ଧରେ କଟକ, ଭୁବନେଶ୍ୱର, ଭଦ୍ରକ, ଢେଙ୍କାନାଳର ବିଭିନ୍ନ ଥାନାରେ ୧୪ଟି ମାମଲା ଥିବା ଜଣାପଡିଛି । ଗିରଫ ଅଭିଯୁକ୍ତଙ୍କୁୁ ଆଜି କୋର୍ଟ ଚାଲାଣ କରାଯାଇଛି ।

 

Leave a Reply

Your email address will not be published. Required fields are marked *