ଭୁବନ, ୦୪/୦୫/୨୦୨୬ (ଓଡ଼ିଶା ସମାଚାର)- ଭୁବନ ବ୍ଲକ ଅନ୍ତର୍ଗତ ଭୁଷଳ ଗ୍ରାମର ଅବସରପ୍ରାପ୍ତ ଆଦର୍ଶ ପ୍ରଧାନ ଶିକ୍ଷକ ଗୋପାଳ ପାଣିଗ୍ରାହୀ ଙ୍କର ୭୭ ବର୍ଷ ବୟସରେ ରବିବାର ରାତି ପ୍ରାୟ ୨ ଘଟିକା ସମୟରେ ପରଲୋକ ହୋଇଯାଇଛି। ସେ ପକ୍ଷାଘାତ ରୋଗରେ କିଛି ବର୍ଷ ଧରି ସେ ଶଯ୍ୟାଶାୟୀ ଥିଲେ।
ଅବିଭକ୍ତ ଢେଙ୍କାନାଳ ଜିଲ୍ଲାର ପାଳଲହଡ଼ା ବ୍ଲକରୁ ଶିକ୍ଷକତା ଜୀବନ ଆରମ୍ଭ କରି ପରେ କଙ୍କଡ଼ାହାଡ଼ ବ୍ଳକ୍ ଉର୍ବେଙ୍ଗି ପ୍ରାଥମିକ ବିଦ୍ୟାଳୟ, ଭୁବନ ବ୍ଲକ ଦର୍ଜନୀ ପ୍ରାଥମିକ ବିଦ୍ୟାଳୟ, କୁନିନ୍ଦା ପାଟଣା ଉଚ ପ୍ରାଥମିକ ବିଦ୍ୟାଳୟ, ନୂଆ ଭୁବନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଭୁବନ ବାଳିକା ପ୍ରାଥମିକ ବିଦ୍ୟାଳୟରୁ ପ୍ରଧାନ ଶିକ୍ଷକ ଭାବରେ ୨୦୦୭ ମସିହାରେ ଅବସର ଗ୍ରହଣ କରିଥିଲେ। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ପୁଅ, ଝିଅ, ବୋହୂ, ପୁତୁରା, ପୁତୁରା ବୋହୂ,ନାତି, ନାତୁଣୀ, ଭଣଜା ପ୍ରମୁଖ ଉପସ୍ଥିତ ଥିଲେ।
ଆଦର୍ଶ ଶିକ୍ଷକ ଗୋପାଳ ବାବୁ ଙ୍କ ବିୟୋଗ ଖବର ପାଇ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ଘରେ ପହଞ୍ଚି ଅନ୍ତିମ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଶବ ଶୋଭାଯାତ୍ରାରେ ଶତାଧିକ ଗ୍ରାମବାସୀ ସାମିଲ ହୋଇଥିଲେ ଓ ଗ୍ରାମ ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଥିଲା। ସ୍ୱର୍ଗତ ଗୋପାଳ ସାର ଜଣେ ଆଦର୍ଶ ଶିକ୍ଷକ ସାଙ୍ଗକୁ ଛାତ୍ର ବତ୍ସଳ,ସ୍ନେହୀ, ଦୟାଳୁ,ପରୋପକାରୀ ଓ ଧର୍ମ ପରାୟଣ ବ୍ୟକ୍ତି ହୋଇଥିବାରୁ ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି।
