ରାଜ୍ୟସ୍ତରୀୟ ସମତା ସ୍ୱରାଜ ସଂକଳ୍ପ ଅଭିଯାନର ଘୋଷଣା ଓ ଲୋଗୋ ଉନ୍ମୋଚନ
ଜନ ଆନ୍ଦୋଳନ ନେତା ଲିଙ୍ଗରାଜ ଆଜାଦଙ୍କ ଅଧ୍ୟକ୍ଷତାରେ ଗଠନ ହେବ ସମ୍ବିଧାନ-୭୫ ଓଡିଶା ରାଜ୍ୟ ସମିତି
ଭୁବନେଶ୍ୱର, ୧୪/୦୧/୨୦୨୫ (ଓଡ଼ିଶା ସମାଚାର)-ସମ୍ବିଧାନର ୭୫ ବର୍ଷ ପୂର୍ତ୍ତି ଅବସରରେ ଭୁବନେଶ୍ୱର ଲୋହିଆ ଏକାଡେମୀ ଠାରେ ସାମ୍ବାଦିକ ସମ୍ମିଳନୀ ଜରିଆରେ ସମ୍ବିଧାନ-୭୫ ଲୋଗୋ ଉନ୍ମୋଚନ ଓ ବର୍ଷ ବ୍ୟାପୀ ସମତା ସ୍ୱରାଜ ସଂକଳ୍ପ ଅଭିଯାନର ଘୋଷଣା କରାଯାଇଥିଲା।
ରାଷ୍ଟ୍ରୀୟ ଯୁବା ସଙ୍ଗଠନର ମାନସ ପଟ୍ଟନାୟକଙ୍କ ଆବାହକତ୍ୱରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମାନବାଧିକାର କର୍ମୀ ବାଘାମ୍ବର ପଟ୍ଟନାୟକ, ଉତ୍କଳ ସର୍ବୋଦୟ ମଣ୍ଡଳର ସଭାପତି ମିହିର ପ୍ରତାପ ଦାସ, ବିକଳ୍ପ ଗଣମାଧ୍ୟମ ଛାଇ ର ସମ୍ପାଦକ ସତୀଶ ମିଶ୍ର, ସାମାଜିକ କର୍ମୀ ଉଷାରାଣୀ ବେହେରା, ପ୍ରସନ୍ନ ମହାପାତ୍ର, ସର୍ବୋଦୟ କର୍ମୀ ରାବେୟା ବେଗମ, ଯୁବ ଗାନ୍ଧୀବାଦୀ ହିନ୍ଦୀ କବି ମହେଶ ଅଜନବୀ ପ୍ରମୁଖ ଉପସ୍ଥିତ ରହି କହିଲେ ଯେ, ସମ୍ବିଧାନର ୭୫ ବର୍ଷ ପୂର୍ତ୍ତି ଅବସରରେ ଦେଶକୁ ଗାନ୍ଧୀଙ୍କ ସ୍ୱରାଜ ଓ ଆମ୍ବେଦକରଙ୍କ ସମତାର ଲକ୍ଷ୍ୟ ଆଡକୁ ଅଗ୍ରସର ହେବା ପାଇଁ ସାମ୍ପ୍ରତିକ ପରିସ୍ଥିତିରେ ସମତା ସ୍ୱରାଜ ସଂକଳ୍ପ ଅଭିଯାନର ଆବଶ୍ୟକତା ରହିଛି। ଗାନ୍ଧୀଙ୍କ ଦ୍ୱାରା ଶେଷ ଧାଡିରେ ଥିବା ମଣିଷକୁ ଧ୍ୟାନରେ ରଖି ଯୋଜନା କରିବା ଦ୍ୱାରା ହିଁ ସମାଜରେ ଆମ୍ବେଦକରଙ୍କ ବିଚାରର ସମତା ପ୍ରତିଷ୍ଠା ହେବ। ପୁଞ୍ଜିପତି ଶ୍ରେଣୀ ତଥା ସାମ୍ରାଜ୍ୟବାଦ ବ୍ୟବସ୍ଥା ବିରୁଦ୍ଧରେ ଆଦିବାସୀ, ଦଳିତ, କୃଷକ ଏବଂ ଶ୍ରମିକମାନଙ୍କୁ ସଂଗଠିତ କରି ଗାନ୍ଧୀଙ୍କ ସ୍ୱରାଜ ସାକାର ରୂପ ନେଇ ସମାଜକୁ ସମୃଦ୍ଧ କରିବେ। ସମଗ୍ର ବିଶ୍ୱରେ ଆମ ଦେଶ ଗାନ୍ଧୀଙ୍କ ନାମରେ ଜଣାଯାଏ। ଦେଶର ସମ୍ମାନ ଏବଂ ଅଖଣ୍ଡତାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ଦେଶ ସମ୍ବିଧାନ ଅନୁଯାୟୀ ପରିଚାଳିତ ହେବା ଉଚିତ ଏବଂ କୌଣସି ନିର୍ଦ୍ଦିଷ୍ଟ ଧର୍ମର ଦୃଷ୍ଟିକୋଣ ଅନୁଯାୟୀ ନୁହେଁ। ଗତ କିଛି ବର୍ଷ ଧରି ସାଧାରଣ ଜନତା ସମ୍ବିଧାନ ପ୍ରାପ୍ତ ଅଧିକାର ହାସଲ କରିବାରେ ପ୍ରତିବନ୍ଧକ ସୃଷ୍ଟି ହେଉଛି। ମୌଳିକ ଅଧିକାର ପରିପୂରଣ କରିବାରେ ସରକାରମାନେ ବିଫଳ ହେଉଛନ୍ତି। ଆମ ସମ୍ବିଧାନକୁ ଖତମ କରିବା ତଥା ସମ୍ବିଧାନ ଆଧାରିତ ଗଣତନ୍ତ୍ରର ଗଳା ଚିପିବା ପାଇଁ ଏକ ବିଧିବଦ୍ଧ ଷଡ଼ଯନ୍ତ୍ର ଚାଲୁରହିଛି।ଆମ ବିବିଧତା ହିଁ ଆମ ସମ୍ବିଧାନର ମୂଳଭିତ୍ତି। ଆମ ବିବିଧତାକୁ ନଷ୍ଟ କରି ଜାତି, ଧର୍ମ, ବର୍ଣ୍ଣ ନାଁରେ ଦେଶକୁ ଭାଙ୍ଗିବାକୁ ଲଗାତାର ଉଦ୍ୟମ ହେଉଛି। ଆମ ଦେଶରେ ସଂଖ୍ୟା ଗରିଷ୍ଠମାନେ ସଂଖ୍ୟାଲଘୁମାନଙ୍କୁ ସୁରକ୍ଷା ପ୍ରଦାନ କରିବା ହିଁ ଦେଶର ରାଷ୍ଟ୍ରୀୟ ଦାୟିତ୍ୱ, ଏହା ହିଁ ପ୍ରତ୍ୟେକ ଭାରତୀୟଙ୍କ ରାଷ୍ଟ୍ର ଧର୍ମ ଯାହାର ଫଳସ୍ୱରୂପ ଆମ ସମ୍ବିଧାନ ଓ ଗଣତନ୍ତ୍ର ସୁରକ୍ଷିତ ରହିପାରିବ। ଧର୍ମଶାସ୍ତ୍ର ନୁହେଁ ସମ୍ବିଧାନ ହିଁ ଗଣତନ୍ତ୍ରର ରକ୍ଷା କବଚ। ଧର୍ମନିରପେକ୍ଷତା ଏବଂ ସାମାଜିକ ନ୍ୟାୟର ନୀତି ହିଁ ଦେଶକୁ ମହାନ ତଥା ସମ୍ବିଧାନକୁ ସମୃଦ୍ଧ କରିଥାଏ। କେବଳ କୃଷକ ଏବଂ ଶ୍ରମିକଙ୍କ ସହଯୋଗ ଦ୍ୱାରା ବେକାରୀ, ସାମାଜିକ ଅସମାନତା, ମୁଦ୍ରାସ୍ଫୀତି ତଥା ଅର୍ଥନୈତିକ ବିଷମତାର ସମାଧାନ ସମ୍ଭବ। ଗଣତନ୍ତ୍ର, ସାମାଜିକ ସଦଭାବ, ସମ୍ବିଧାନକୁ ଭଲ ପାଉଥିବା ଦେଶପ୍ରେମୀମାନେ ସଂଗଠିତ ହୋଇ ହୋଇ ସମଗ୍ର ଦେଶରେ ସମତା ସ୍ୱରାଜ ସଂକଳ୍ପ ଅଭିଯାନକୁ ସଫଳ କରିବା ଉଚିତ୍।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଲିଙ୍ଗରାଜ ଆଜାଦଙ୍କ ଅଧ୍ୟକ୍ଷତାରେ ସମ୍ବିଧାନ – ୭୫ ଓଡ଼ିଶା ରାଜ୍ୟ ସମିତି ଗଠନ ଆସନ୍ତା ଫେବ୍ରୁଆରୀରେ କଟକରେ ଅନୁଷ୍ଠିତ ହେବ।