ପାରାଦୀପ, ୦୪/୦୫/୨୦୨୬ (ଓଡ଼ିଶା ସମାଚାର)- ପାରାଦୀପ ପୌରାଞ୍ଚଳସ୍ଥିତ ଇଫକୋ ଅଞ୍ଚଳରେ ଚଢଉ କରି ଜଣେ ନିଶା ମାଫିଆଙ୍କୁ ଗିରଫ କରିଛି ପାରାଦୀପ ଅବକାରୀ ରେଞ୍ଜ । ଯାଞ୍ଚ ପରେ ତାଙ୍କ ପାଖରୁ ୪୨ ଗ୍ରାମର ହେରୋଇନ୍ ଜବତ କରାଯାଇଛି। ସୂଚନାଯୋଗ୍ୟ ଯେ ମୂଷାଡିଆର ଅନ୍ଜିଲ୍ ହଳଧର ଦୀର୍ଘ ଦିନ ଧରି ଆଖପାଖ ଅଞ୍ଚଳରେ ହେରୋଇନ୍ ବେପାର କରୁଥିବା ସମ୍ପର୍କ ରେ ପାରାଦୀପ ଅବକାରୀ ରେଞ୍ଜକୁ ଅଭିଯୋଗ ମିଳିଥିଲା।
ଗ୍ରାହକଙ୍କୁ ଯୋଗାଣ ଉଦ୍ଦେଶ୍ୟରେ ସେ ଆଜି ହେରୋଇନ୍ ରଖିଥିବାର ସୂଚନା ପରେ ପାରାଦୀପ ଅବକାରୀ ରେଞ୍ଜ ର ନିରିକ୍ଷକ ବନ୍ଦନା ପଟ୍ଟନାୟକଙ୍କ ନେତୃତ୍ବରର ଏକ ଟିମ୍ ଗଠନ ହୋଇଥିଲା। ଗ୍ରାହକ ବେଶରେ ଅଭିଯୁକ୍ତଙ୍କ ସହ ସମ୍ପର୍କ କରିଥିଲେ ପାରାଦୀପ ଅବକାରୀ ରେଞ୍ଜର କର୍ମଚାରୀ ଏବଂ ଡିଲ୍ ବେଳେ ଅଭିଯୁକ୍ତଙ୍କୁ ମାଡିବସିଥିଲେ। ଗିରଫ ଅଭିଯୁକ୍ତ ଜଣକ ହେଲେ ଅନ୍ଜିଲ୍ ହଳଧର।
ଜବତ ହେରୋଇନ୍ ର ଆନୁମାନିକ କଳାବଜାରୀ ମୂଲ୍ୟ ପ୍ରାୟ ୪,୨୦,୦୦୦ ଟଙ୍କା ହେବ। ଅଭିଯୁକ୍ତଙ୍କୁ ଅତିରିକ୍ତ ଜିଲ୍ଲା ଦୌରାଜଜ କୁଜଙ୍ଗଙ୍କ ନିକଟରେ ହାଜର କରାଯାଇଥିବା ବେଳେ ଅଭିଯୁକ୍ତଙ୍କ ଜାମିନ ନାମଞ୍ଜୁର କରି ୧୪ଦିନିଆ ବିଚାର ବିଭାଗୀୟ ହାଜତ୍ କୁ ପଠାଇଛନ୍ତି। ଗିରଫ ଅଭିଯୁକ୍ତଙ୍କ ନାମରେ ମାମଲା ଥିବାର ସନ୍ଦେହ ରେ ଅବକରୀ ବିଭାଗ ତରଫରୁ ଖୋଳତାଡ ଆରମ୍ଭ କରିଥିବାର ପ୍ରକାଶ କରିଛନ୍ତି ଜଗତସିଂହପୁର ଅବକାରୀ ଅଧିକ୍ଷିକା ଶ୍ରୀମତି ଅନିତା ପ୍ରଧାନ। ସେ କହିଛନ୍ତି ଅବକାରୀ ବିଭାଗ ମୂଳ ପର୍ୟ୍ୟନ୍ତ ଯିବ। ଅଭିଯୁକ୍ତ ଜଣଙ୍କ କେଉଁଠୁ ହେରୋଇନ୍ ଆଣୁଥିଲେ ଏବଂ ଏହା ପଛରେ କାମ କରୁଥିବା ସିଣ୍ଡିକେଟକୁ ଧରିବାକୁ ପ୍ରୟାସ ଆରମ୍ଭ କରିଛି ଅବକାରୀ ବିଭାଗ।
