କାଳବୈଶାଖୀ, ମେଁ ୯ ଯାଏଁ ସତର୍କତା ଜାରି

ଭୁବନେଶ୍ୱର,୦୪/୦୫/୨୦୨୬(ଓଡ଼ିଶା ସମାଚାର)-ଗତ କିଛିଦିନ ହେବ ଅପରାହ୍ନ ବେଳକୁ ରାଜ୍ୟରେ ତାଣ୍ଡବ ରଚୁଛି କାଳବୈଶାଖୀ । ବର୍ଷା ଛେଚିବା ସହ ପ୍ରବଳ ବଜ୍ରପାତ ସାଙ୍ଗକୁ ଝଡ଼ି ପବନ ମାଡ଼ି ଆସୁଛି । ମେଁ ୯ ତାରିଖ ଯାଏଁ ରାଜ୍ୟରେ ଏଭଳି ସ୍ଥିତି ଲାଗି ରହିବ । ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଏପରି ପୂର୍ବାନୁମାନ କରିଛି । ନିକଟରେ କାଳବୈଶାଖୀ ସମୟରେ ଜଣେ ଚାଷୀଙ୍କ ମୃତୁ୍ୟ ହୋଇଥିବା ଘଟଣା ସାମ୍ନାକୁ ଆସିଛି ।

ତେଣୁ ବର୍ଷା ପବନ ବେଳେ ଘରେ ସୁରକ୍ଷିତ ରହିବା ପାଇଁ ପାଣିପାଗ ବିଭାଗ ପରାମର୍ଶ ଦେଇଛି । ଆଜି ସୋମବାର ବର୍ଷା ଓ ପବନର ବେଗ ବଢ଼ିବ । ଘଂଟାପ୍ରତି ୫୦- ୬୦ କିମି ବେଗରେ ପବନ ସହ ବର୍ଷା ଓ ପ୍ରବଳ ବଜ୍ରପାତ ପାଇଁ ୭ ଜିଲା ଗଞ୍ଜାମ, ଗଜପତି, ରାୟଗଡ଼ା, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ ଓ କେନ୍ଦୁଝରକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ୪୦-୫୦ କିମି ପବନ ସହ ବର୍ଷା ଓ ବିଜୁଳି ଘଡ଼ଘଡ଼ି ପାଇଁ ପୁରୀ, ଖୋର୍ଦ୍ଧା, ନୟାଗଡ଼, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, କନ୍ଧମାଳ, ନବରଙ୍ଗପୁର, ବୌଦ୍ଧ, ସୋନପୁର, ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି, କୋରାପୁଟ ଓ ମାଲକାନଗିରି ଜିଲାକୁ ସତର୍କତା ଜାରି କରାଯାଇଛି । ଅନ୍ୟ ସବୁ ଜିଲାରେ ହାଲୁକା ବର୍ଷା ସହ ୩୦-୪୦ କିମି ବେଗରେ ପବନ ଓ ବଜ୍ରପାତ ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ଆଗାମୀ ୭ ଦିନ ଯାଏଁ ଅର୍ଥାତ ୯ ତାରିଖ ପର୍ଯ୍ୟନ୍ତ କାଳବୈଶାଖୀର ପ୍ରଭାବ ରହିଥିବା ବେଳେ ତାତିରୁ ଆଶ୍ୱସ୍ତି ମକ୍ଟମକ୍ଟବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ବର୍ଷା ସମୟରେ ସମୁଦ୍ର ଉପକୂଳବର୍ତୀ ଅଂଚଳରେ ୫୦ରୁ ୬୦ କିମି ସର୍ବାଧିକ ୭୦ କିମି ବେଗରେ ପବନ ବହିବାର ସମ୍ଭାବନା ଥିବାରୁ ସମୁଦ୍ର ଅଶାନ୍ତ ରହିବ । ତେଣୁ ୫ ତାରିଖ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରିଛି ବିଭାଗ ।

Leave a Reply

Your email address will not be published. Required fields are marked *