ମାହାଙ୍ଗା,୨୬/୧୦/୨୦୨୫ (ଓଡିଶା ସମାଚାର/ ଅଭୟ ଜେନା ) – କଟକ ଜିଲ୍ଲା ମାହାଙ୍ଗା ବ୍ଲକ୍ ପାଇକରାପୁର ପଂଚାୟତର ପାଇକରାପୁର ଠାରେ ଗୋବରୀ ନଦୀର ଦକ୍ଷିଣ ପାର୍ଶ୍ଵନଦୀ ବନ୍ଧ ରାସ୍ତା ରେ ୬୦ ଫୁଟ୍ର ଘାଇ ସୃଷ୍ଟି ହୋଇଥିଲା । ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଥିଲେ ସ୍ଥାନୀୟ ବିଧାୟକ ସାରଦା ପ୍ରଧାନ । ଏହାପରେ ତୁରନ୍ତ ଘାଇ ମରାମତି ପାଇଁ ବିଧାୟକ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇ ଥିଲେ । ହେଲେ ବାଲି ବସ୍ତା ପକାଇବାର କିଛିଦିନ ପରେ ତାହା ନଦୀକୁ ଧସିଯାଇଥିଲା । ତେବେ ମାସାଧିକ କାଳ ବିତିଯାଇଥିଲେ ହେଁ ଅଦ୍ୟାବଧି ବନ୍ଧ ବାନ୍ଧିବା ପାଇଁ ମାଟି କିମ୍ବା କୌଣସି ସାମଗ୍ରୀ ପଡିଲା ନାହିଁ ଯାହାକି ବିଧାୟକଙ୍କ ପ୍ରତିଶୃତି ପାଣିର ଗାର ପାଲଟିଛିବୋଲି ଆଲୋଚନା ହେଉଛି ।
ଏହି ରାସ୍ତା ଦେଇ ପ୍ରାଚୀନ ବୌଦ୍ଧ ବିହାର ଲଳିତଗିରି ଓ ସନ୍ଥ ଅରକ୍ଷିତ ଦାସ ଙ୍କ ପୀଠ ଓଳାଶୁଣୀ କୁ ବହୁ ଶ୍ରଦ୍ଧାଳୁ ଯାତାୟାତ କରିଥାନ୍ତି । କେବଳ ଏତିକି ନୁହେଁ ବରଂ ପାଇକରାପୁର, ରାହାଣିଆ, ଲଳିତଗିରି, ପୋଡ଼ାମରାଇ ଆଦି ପଞ୍ଚାୟତ ସମେତ ବଡ଼ଚଣା ଓ ଡେରାବିଶ ବ୍ଲକ ର ଲୋକ ମାନେ ଏହି ରାସ୍ତା ଦେଇ ଦୈନଦିନ ଯା ଆସ କରିଥାନ୍ତି । ଏପରିକି ନିକଟରେ ଥିବା ବାଲିଚନ୍ଦ୍ରପୁର ମୁଖ୍ୟ ବଜାର ସହ ଜାତୀୟ ରାଜପଥ କୁ ସଂଯୋଗ କରିଛି ଏହି ରାସ୍ତା । ଗତ ବର୍ଷକ ତଳେ ପାଇକରାପୁର ନିକଟରେ ମଧ୍ୟ ୫୦ ଫୁଟରୁ ଉର୍ଦ୍ଧ୍ବ ଘାଇ ହୋଇଥିଲା । ବିଭାଗୀୟ ଅଧିକାରୀ ମାନେ ଆସି ଘଟଣା ସ୍ଥଳରେ ପହଁଚି ଘାଇ ମରାମତି କରିଥିଲେ । ଚଳିତ ବର୍ଷ ଲଘୁଚାପ ଜନିତ ପ୍ରବଳ ବର୍ଷାରେ ପୁନର୍ବାର ୬୦ ରୁ ଉର୍ଦ୍ଧ୍ବ ଘାଇ ସୃଷ୍ଟି ହୋଇଛି ।
ଯାହାକି ସ୍କୁଲ କଲେଜ୍ ପିଲା ଠାରୁ ଆରମ୍ଭ କରି ସାଧାରଣ ଲୋକେ ଯିବା ଆସିବା ପାଇଁ ଏବେବି ଭୟ କରୁଛନ୍ତି । ଆମ୍ବୁଲାନ୍ସ କିମ୍ୱା ଜରୁରୀକାଳୀନ ଗାଡି ସେହି ବାଟ ଦେଇ ଯିବାକୁ ଭୟ କରୁଥିବା ସ୍ଥାନୀୟ ଲୋକେ କହିଛନ୍ତି । ଯଦି ଘାଇ ର ସ୍ଥାୟୀ ମରାମତି ନ କରାଯାଏ , ତେବେ ପାଇକରାପୁର ପଞ୍ଚାୟତ ସମେତ ପୋଡ଼ାମରାଇ ପଂଚାୟତର ଲୋକ ସମେତ ବହୁ ଚାଷ ଜମି କ୍ଷୟକ୍ଷତି ହେବାର ଆଶଙ୍କା କରାଯାଉଛି । କାରଣ ଆଗକୁ ଆହୁରି ଦୁଇଟି ଲଘୁଚାପ ସହ ବାତ୍ୟା ଆଶଙ୍କା କରୁଛନ୍ତି ପାଣିପାଗ ବିଭାଗ ।
ଏହି ଘଟଣା ସଂପର୍କରେ ଗତ ସେପ୍ଟେମ୍ବର ମାସ ୧୧ ତାରିଖରେ ସ୍ଥାନୀୟ ବିଧାୟକ ସାରଦା ପ୍ରଧାନ ଖବର ପାଇ ଘଟଣା ସ୍ଥଳକୁ ଆସି ସ୍ଥିତି ସମୀକ୍ଷା କରିବା ସହ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ର ନିର୍ବାହୀ ଯନ୍ତ୍ରୀ ସୁଧାଂଶୁ ନାୟକ,ସହକାରୀ ଯନ୍ତ୍ରୀ ଚିନ୍ମୟୀ ସାହୁ କନିଷ୍ଠ ଯନ୍ତ୍ରୀ ଉର୍ମି ପ୍ରିୟଦର୍ଶିନୀ ଦାସ ଓ କଟକ ଡ୍ରେନେଜ୍ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଗୀତାଞ୍ଜଳି ବେହେରା ଓ ସହକାରୀ ଯନ୍ତ୍ରୀ ସୌମେନ୍ଦୁ ମହାନ୍ତି ଙ୍କୁ କିଭଳୀ ଭାବେ ଯୁଦ୍ଧକାଳୀନ ଭାବେ ମରାମତି କରାଯିବ ସେନେଇ ବିଭଗୀୟଙ୍କୁ ନିର୍ଦ୍ଦେଶ ଦେଇଥିଲେ । ହେଲେ ଦୁଃଖ ଆଉ ପରିତାପର ବିଷୟ ବିଧାୟକ ଦେଇଥିବା ନିର୍ଦ୍ଦେଶ ଫସର୍ ଫାଟି ଯାଇଛି । ଯଦି ତୁରନ୍ତ ଏହି ଗୋବରୀ ନଦୀ ବନ୍ଧ ପୂର୍ତ୍ତ ରାସ୍ତା ମରାମତି କରାନଯାଏ ତାହାହେଲେ ଆଗାମୀ ଦିନରେ ଆନ୍ଦୋଳନ କରିବାକୁ ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।
