ମାଲକାନଗିରି ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ — ଗେଞ୍ଜଇରୁ ପ୍ରସ୍ତୁତ ହାସିସ୍ ଯୁନିଟର ପର୍ଦାଫାସ

ତିଆରି ହୋଇଥାନ୍ତା ଶହେ କୋଟିର ନିଶା

ମାଲକାନଗିରି ୦୪/୦୫/୨୦୨୬ (ଓଡ଼ିଶା ସମାଚାର)- ମାଲକାନଗିରି ଜିଲାର ପୋଲିସ ନିଶା ତସ୍କରି ବିରୁଦ୍ଧରେ ବଡ଼ ସଫଳତା ଅର୍ଜନ କରି ଚିତ୍ରକୋଣ୍ଡା ଅଂଚଳରେ ଏକ ହାସିସ ତେଲ ବା ଗଂଜେଇ ତେଲ ତିଆରି ୟୁନିଟ୍ ର ପର୍ଦାଫାସ କରିଛି । ପ୍ରାୟ ୧୦୦ କୋଟି ମୂଲ୍ୟର କଂଚାମାଲ ଓ ଉପକରଣ ଜବତ କରାଯାଇଛି । ପୋଲିସକୁ ମିଳିଥିବା ଗୁପ୍ତ ସୂଚନା ଆଧାରରେ ଗତ କିଛିଦିନ ଧରି ଏକ ସନ୍ଦିଗ୍ଧ ତସ୍କରର କାର୍ଯ୍ୟକଳାପ ଉପରେ ନଜର ରଖାଯାଉଥିଲା ।

କୁହାଯାଉଛି ଯେ, ଏହି ଗ୍ରୁପ ପୋଲିସ କାର୍ଯ୍ୟରୁ ବର୍ତିବା ପାଇଁ ନିରନ୍ତର ତାଙ୍କର ମୋବାଇଲ୍ ସେଟଅପ୍ ବଦଳାଉଥିଲେ । ରବିବାର ସକାଳେ ଏସଡିପିଓ ଚିତ୍ରକୋଣ୍ଡା ପ୍ରଦୋଷ ପ୍ରଧାନଙ୍କ ନେତୃତ୍ୱରେ ପୋଲିସ ଦଳ ଏସାର ଛକ୍ ପାଖରେ, ଚିତ୍ରକୋଣ୍ଡା ଥାନା ଅଂଚଳରେ ସିଲେରୁକୁ ଯାଉଥିବା ରାସ୍ତାରେ ଏକ ସନ୍ଦିଗ୍ଧ ଯାନକୁ ଅଟକାଇଥିଲେ । ଏହି କାର୍ଯ୍ୟ ମାଲକାନଗିରି ଏସପିଙ୍କ ତଦାରଖରେ କରାଯାଇଥିଲା ।

ତଲାସି ସମୟରେ ପୋଲିସ ପ୍ରାୟ ୮୦୦ ଲିଟର ରାସାୟନିକ ପ୍ରିକର୍ସର ଏବଂ ସଲଭେଂଟ ଜବତ କରିଛି ଯାହା ଅତ୍ୟଧିକ ଶକ୍ତିଶାଳୀ ହାସିସ୍ ତେଲ ତିଆରିରେ ବ୍ୟବହୃତ ହୋଇପାରିଥାନ୍ତା । ଅଧିକାରୀମାନଙ୍କ ଅନୁସାରେ, ଏଥିରୁ ତିଆରି ହେବାକୁ ଥିବା ପ୍ରସ୍ତୁତ ପଦାର୍ଥର ବଜାର ମୂଲ୍ୟ ପ୍ରାୟ ୧୦୦କୋଟି ଆକଳନ କରାଯାଇଛି ।

Leave a Reply

Your email address will not be published. Required fields are marked *