ପ୍ରଜାବତ୍ସଳ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜୟନ୍ତୀ ପାଳିତ

ଭୁବନେଶ୍ୱର ୨୭/୦୪/୨୦୨୬ (ଓଡ଼ିଶା ସମାଚାର)- ଉତ୍କଳ ସମ୍ମିଳନୀର ପ୍ରାକ୍ତନ ସଭାପତି ତଥା ସ୍ୱତନ୍ତ୍ର ଓଡ଼ିଶା ରାଜ୍ୟର ଦୁଇଥର ପ୍ରଧାନମନ୍ତ୍ରୀ ଆସନ ଅଳଙ୍କୃତ କରିଥିବା ଓଡ଼ିଶାର ବିଶିଷ୍ଟ ବରପୁତ୍ର ପାରଳା ମହାରାଜ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ୧୩୪ ତମ ଜୟନ୍ତୀ ଉପଲକ୍ଷେ ଉତ୍କଳ ସମ୍ମିଳନୀ ପକ୍ଷରୁ ସ୍ଥାନୀୟ ଏ.ଜି. ଛକ ଠାରେ ଥିବା ତାଙ୍କ ପ୍ରତିମୂର୍ତିରେ ପୂର୍ବାହ୍ନ ୯ଟାବେଳେ ମାଲ୍ୟାର୍ପଣ କାର୍ଯ୍ୟକ୍ରମ କରାଯାଇଥିଲା ।
ଏହାପରେ ଦିନ ୧୦ଟା ୩୦ ମିନିଟ୍ ସମୟରେ ୟୁନିଟ୍-୬ ଭୁବନେଶ୍ୱର ଉତ୍କଳ ସମ୍ମିଳନୀ କେନ୍ଦ୍ରୀୟ କାର୍ଯ୍ୟାଳୟ ସଭାଗୃହରେ ଉପସଭାପତି ପ୍ରଫେସର ସୁରେନ୍ଦ୍ର ନାଥ ମହାନ୍ତିଙ୍କ ଅଧ୍ୟକ୍ଷତା ତଥା ସାଧାରଣ ସଂପାଦକ ଡା. ରାଧାନାଥ ପ୍ରହରାଜଙ୍କ ପରିଚାଳନାରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମହାରାଜଙ୍କ ପ୍ରଜାବତ୍ସଳ ଗୁଣାବଳୀ ବିଶେଷ କରି ମାଡ୍ରାସ ପ୍ରେଭିନ୍ସ ଅଧୀନରେ ଥିବା ତାଙ୍କ ଅଂଚଳକୁ ଓଡ଼ିଶା ସହ ମିଶାଇବା ପାଇଁ ବାରମ୍ବାର ଲଣ୍ଡନ ଯାଇ ଗୋଲଟେବୁଲ ବୈଠକରେ ଦୃଢ ଦାବି ଉପସ୍ଥାପନ କରିବା ଫଳରେ ୧୯୩୬ ମସିହାରେ ଆଜିର ଓଡ଼ିଶା ଗଠନ ସମ୍ଭବ ହୋଇପାରିଥିବା କଥା ଆଲୋଚନା ହୋଇଥିଲା । ଏହି ପରିପ୍ରେକ୍ଷୀରେ ମହାରାଜଙ୍କୁ ଓଡ଼ିଶା ରାଜ୍ୟ ଗଠନର ଅନ୍ୟତମ ପ୍ରମୁଖ କାଣ୍ଡାରି ଭାବରେ ଯେପରି ସମ୍ମାନିତ, ପ୍ରଚାରିତ ଓ ପ୍ରସାରିତ କରାଯିବା କଥା ତାହା ହୋଇ ପାରିନଥିବାରୁ ଦୁଃଖ ପ୍ରକାଶ କରାଯିବା ସହ ବର୍ତମାନର ସରକାର ଏଥିପ୍ରତି ଦୃଷ୍ଟି ଦେବେ ବୋଲି ଆଶା ପ୍ରକାଶ କରାଯାଇଥିଲା ।
ଉଭୟ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ପ୍ରଫେସର କାଶୀନାଥ ରଥ, ଶ୍ରୀ ସନ୍ତୋଷ କୁମାର ରାଉତ, ସଂପାଦକ ଶ୍ରୀ ପ୍ରଦୀପ୍ତ କୁମାର ମହାରଣା, ଇଂ. ବିରଂଚି ନାରାୟଣ ଦାଶ, କୋଷାଧ୍ୟକ୍ଷ ଶ୍ରୀ ତି୍ରନାଥ ସାମନ୍ତରାୟ, କାର୍ଯ୍ୟନିର୍ବାହୀ ସଦସ୍ୟ ପଠାଣି ଜେନା, ଯୁଗଳ କିଶୋର ନାୟକ, ଉପେନ୍ଦ୍ର ପଟ୍ଟନାୟକ, ସବ୍ୟସାଚୀ ସାମନ୍ତରାୟ, ଶିରିଶ ପାତ୍ର, ଅନିଲ କୁମାର ମହାନ୍ତି, ମନ୍ମଥନାଥ ସାମନ୍ତରାୟ, ଜୀବତେଶ ପ୍ରହରାଜ, ବିଶ୍ୱଜିତ୍ ସାହୁ, କେଶବ ପାଇଲ ଓ ବିକାଶ ଚନ୍ଦ୍ର ବେହେରା ପ୍ରଭୃତି ଯୋଗ ଦେଇଥିବା ବେଳେ ଇଂ. ଜିତେନ୍ଦ୍ର କୁମାର ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *