ଭୁବନେଶ୍ୱର,୨୭/୦୪/୨୦୨୬ (ଓଡ଼ିଶା ସମାଚାର)- ଗୋକର୍ଣିକା ସାହିତ୍ୟ ସମାଜ ର୫୨ତମ ବାର୍ଷିକ ସମାବର୍ତ୍ତନ ଉତ୍ସବ ଜାରକାସ୍ଥିତ ଧର୍ମଶାଳା ଷ୍ଟାଡିୟମରେ ମହାସମାରୋହରେ ପାଳିତ ହୋଇ ଯାଇଛି। ଏହି ସମାରୋହରେ ଓଡ଼ିଶାର ବିଶିଷ୍ଟ କଥାକାର ଗୌରହରି ଦାସ, ସତ୍ୟପ୍ରିୟ ମହାଳିକ, ପ୍ରାବନ୍ଧିକ ଗୁରୁଚରଣ ବେହେରା, ଗାଳ୍ପିକ ପ୍ରସନ୍ନ ମିଶ୍ର ଯୋଗ ଦେବା ସହ ଅନୁଷ୍ଠାନର ସମ୍ପାଦକ କବି ରମାକାନ୍ତ ଜେନା ସଭା ପରିଚାଳନା କରିଥିଲେ।
୨୦୨୫ ମସିହା ପାଇଁ କବି ନୃସିଂହ ତରାଇଙ୍କୁ ମର୍ଯ୍ୟାଦା ଜନକ ଗୋକର୍ଣିକା କବିତା ସମ୍ମାନ୨୦୨୫ ପ୍ରଦାନ କରାଯାଇଛି। ଶ୍ରୀଯୁକ୍ତ ତରାଇ ଜଣେ ସମ୍ବେଦନଶୀଳ ମାନବବାଦୀ କବି। ସାଧାରଣ ମଣିଷର ସୁଖ ଦୁଃଖ ଓ ସମକାଳୀନ ସମାଜର ଦୃଶ୍ୟ ସ୍ଥାନ ପାଇଛି। “ଗୁମ୍ ଖାଏ ମାଟି”, “ଆକାଶରେ ମେଘ ନାହିଁ”, “ଅନ୍ଧାରର ଆରପାଖ”, “ପ୍ରଶ୍ନକାଳ” ଆଦି କବିତା ସଙ୍କଳନ ପାଇଁ ସେ ପ୍ରସିଦ୍ଧି ପାଇଛନ୍ତି।
ଆଜି ତାଙ୍କର ସଦ୍ୟ ପ୍ରକାଶିତ ଅଷ୍ଟମ କବିତା ସଙ୍କଳନ ପ୍ରଶ୍ନକାଳ ମଧ୍ୟ ଉକ୍ତ ମଞ୍ଚରେ ପାଠକାର୍ପିତ ହୋଇ ଯାଇଛି। ଶ୍ରୀ ତରାଇ ଗୋକର୍ଣିକା ସାହିତ୍ୟ ସମାଜକୁ ତାଙ୍କର କୃତଜ୍ଞତା ଜଣାଇଛନ୍ତି ।
